ଅଲ୍ଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେର ଗିରଫ

Spread the love

ଧାର୍ମିକ ବିଶ୍ୱାସକୁ ଅପମାନିତ କରି ସମାଜରେ ଅଶାନ୍ତ ବାତାବରଣକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ପୋଲିସ ଅଲ୍ଟନ୍ୟୁଜ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଗିରଫ କରିଛି। ତାଙ୍କୁ ପଚରାଉଚୁରା କରିବା ପରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଆଇଏଫଏସଓ ୟୁନିଟ ଜୁବେରଙ୍କୁ ଗିରଫ କରିଥିଲା। ସେପଟେ ଅଲ୍ଟ ନ୍ୟୁଜର ଅନ୍ୟତମ ସହପ୍ରତିଷ୍ଠାତା ପ୍ରତୀକ ସିହ୍ନା ଟ୍ୱିଟ କରି କହିଛନ୍ତି ଯେ ୨୦୨୦ ମାମଲାର ତଦନ୍ତ ପାଇଁ ଜୁବେରଙ୍କୁ ସ୍ପେଶାଲ ସେଲ ଡକାଯାଇଥିଲା। ଯେତେବେଳେ ମହମ୍ମଦ ଜୁବେରଙ୍କ ବିରୋଧରେ ଅନେକ ତଥ୍ୟ ମିଳିଥିଲା, ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା। ୨୦୧୮ ମସିହାରେ ହିନ୍ଦୁ ଦେବାଦେବୀଙ୍କୁ ଜାଣିଶୁଣି ଅପମାନିତ କରି ଆପତ୍ତିଜନକ ଟୁଇଟ କରିଥିବା ଅଭିଯୋଗ ହୋଇଥିଲା।

ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଅଲ୍ଟନ୍ୟୁଜ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ଗିରଫଦାରୀକୁ ନିନ୍ଦା କରିଛି। ଏହାସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରାଯାଇଛି। ୨୦୧୮ ମସିହାର ଏକ ଟୁଇଟ ପାଇଁ ଦିଲ୍ଲୀ ପୋଲିସ ମହମ୍ମଦ ଜୁବେରଙ୍କୁ ଗିରଫ କରିଛି । ମହମ୍ମଦ ଜୁବେର ଧାର୍ମିକ ଭାବନାକୁ ଆଘାତ ଦେବା ସହ ଘୃଣାର ପ୍ରସାର କଲାଭଳି ମତ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ତାଙ୍କୁ ପ୍ରଥମେ ମାଜିଷ୍ଟ୍ରେଟଙ୍କ ଘରେ ହାଜର କରିଥିଲା। ପରେ ତାଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ। ଅଲ୍ଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ପୂର୍ବତନ ବିଜେପି ନେତା ନୁପୁର ଶର୍ମାଙ୍କ ଭିଡିଓ କ୍ଲିପ ସେୟାର କରିବା ପରେ ଏହା ସାମ୍ନାକୁ ଆସିଥିଲା। ଏହାକୁ ନେଇ ନୁପୁର ଶର୍ମା ମଧ୍ୟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

ଅଲ୍ଟ ନ୍ୟୁଜ ସହ ପ୍ରତିଷ୍ଠାତା ପ୍ରତୀକ ସିହ୍ନା କହିଛନ୍ତି ଯେ୨୦୨୦ରେ ଅଲଗା ମାମଲାରେ ପଚରାଉଚୁରା ପାଇଁ ଜୁବେରଙ୍କୁ ଦିଲ୍ଲୀ ଡକାଯାଇଥିଲା। ଏଥିରେ କୋର୍ଟ ତାଙ୍କୁ ମୁକ୍ତ କରିଥିଲେ। ହେଲେ ଅନ୍ୟ ଏକ ମାମଲାରେ ଏବେ ଗିରଫ କରିଛି ପୋଲିସ। ସେପଟେ ପୋଲିସ ମଧ୍ୟ ଏହା ନିଜେ ସ୍ୱୀକାର କରିଛି। ଜୁବେରଙ୍କୁ ଏକ ପୁରୁଣା ମାମଲାରେ ପଚରାଉଚୁରା କରାଯାଉଥିଲା। କିନ୍ତୁ ଏକ ନୂଆ ମାମଲାରେ ଯଥେଷ୍ଟ ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଏବେ ମଧ୍ୟ ପଚରାଉଚୁରା କରାଯାଉଛି।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *