ବଲାଙ୍ଗିର ସହରର ତିନୋଟି ସ୍ଥାନରୁ ଚୋରୀ

Spread the love

ବଲାଙ୍ଗିର : ବଲାଙ୍ଗିର ସହର ଭିତରେ ବଢ଼ି ଚାଲିଛି ଚୋରଙ୍କ ଉତ୍ପାତ। ପୋଲିସର ତତ୍ପରତା ଯେତେ ବଢ଼ିଲେ ବି ଚୋରଙ୍କୁ ସାବାଡ଼୍ କରିବାରେ ସକ୍ଷମ ହୋଇ ପାରୁନଥିବା ଜଣାପଡ଼ୁଛି । ସ୍ଥାନୀୟ ଲାଲ୍ଟିକ୍ରା ଇରିଗେସନ୍ କଲୋନୀ ପଛପଟେ ରହିଥିବା ରଘୁନାଥନଗରରୁ ଗତ ରାତିରେ ଦୁଇଟି ଘରୁ ଚୋରି ହୋଇଥିବା ସୂଚନା ମିଳିଛି । ଚୋରମାନେ ଘରର ଝରକା ଭାଙ୍ଗି ଘରେ ପଶି ଘର ଭିତରେ କଳାକନା ବୁଲାଇ ଦେଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ରଘୁନାଥ ନଗରରେ ରହୁଥିବା ମିତ୍ରଭାନୁ ମେହେରଙ୍କ ପରିବାର ଗତ ରାତିରେ ଗୋଟିଏ ବେଡ଼ରୁମ୍ ରେ ଶୋଇଥିବା ବେଳେ ଅନ୍ୟ ଏକ ବେଡ଼ରୁମ୍ ଝରକାରେ ରହିଥିବା ଗ୍ରିଲ୍ ତାଡ଼ି ଚୋରମାନେ ଘର ଭିତରକୁ ପଶିଥିଲେ ଓ ଘରେ ଥିବା ସୁନା ଗହଣା ସହ ନଗଦ ଟଙ୍କା ମଧ୍ୟ ଚୋରି କରି ନେଇଛନ୍ତି । ଘରର ଆସବାବ ପତ୍ର ଛିନ୍ ଛତ୍ର କରି ଫିଙ୍ଗି ଫୋପାଡ଼ି ଦେଇଥିବା ଘର ମାଲିକ ମିତ୍ରଭାନୁ କହିଛନ୍ତି । ତେବେ ରଘୁନାଥନଗରର ଅନ୍ୟ ଜଣେ ନିବାସୀ ସୁରେଶ ବରିହାଙ୍କ ଘରୁ ମଧ୍ୟ ଗତରାତିରେ ଚୋରି ହୋଇଥିବା ଜଣାପଡ଼ିଛି । ତାଙ୍କ ଘରୁ ମଧ୍ୟ ଝରକା ଗ୍ରିଲ୍ ତାଡ଼ି ଚୋରମାନେ ଘରେ ପଶିଥିବା ବେଳେ ଘର ଭିତରୁ କ’ଣ କ’ଣ ଚୋରି ହୋଇଛି ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଚୋରି ଘଟଣା ସମ୍ପର୍କରେ ମିତ୍ରଭାନୁ ମେହେର ବଲାଙ୍ଗିର ଟାଉନ୍ ଥାନାରେ ଏତଲା ଦେଇ ସାରିଥିବା ବେଳେ ସୁରେଶ ବରିହା ଅନୁପସ୍ଥିତ ଥିବାରୁ ସେ ଏପର୍ଯ୍ୟନ୍ତ ଏତଲା ଦେଇ ନଥିବା ଜଣାପଡ଼ିଛି । ଅନ୍ୟପଟେ ପୁରୁଣା ପ୍ରାଇଭେଟ୍ ବସ୍ ଷ୍ଟାଣ୍ଡ୍ ପାଖ ଜଳାରାମ ମନ୍ଦିର ଗଳିରେ ରହିଥିବା ପ୍ରିନ୍ସ ମୋବାଇଲ୍ ଦୋକାନରୁ ମଧ୍ୟ ଗତ ରାତିରେ ଚୋରି ହୋଇଥିବା ସୂଚନା ମିଳିଛି । ବଲାଙ୍ଗିର ସହରରେ ଚୋରଙ୍କ ଉତ୍ପାତ ଶିଖର ଛୁଇଁଥିବା ବେଳେ ବଲାଙ୍ଗିର ପୋଲିସର ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଚୋରଙ୍କୁ ସାବାଡ୍ କରିବାରେ କେତେ ଦୂର ସକ୍ଷମ ହେଉଛି, ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *