ଦିନରେ ଚୋର, ରାତିରେ ପ୍ରବଚକ

ୟୁଟ୍ୟୁବ ଚାନେଲରେ ଦିଅନ୍ତି ପ୍ରବଚନ। ଚୋରି କରିବା କେମିତି ଅପରାଧ, ଏହାକୁ କିଭଳି ରୋକାଯାଇପାରିବ, ସେ ନେଇ ପ୍ରବଚନ ଝାଡ଼ୁଥିଲେ। କିନ୍ତୁ ଏ ଭଣ୍ଡ ପ୍ରବଚକ ଯେ ନିଜ ବଡ଼ ଚୋର, ଏକଥା କେହି ବି ସହଜେ ବିଶ୍ୱାସ କରିବେନି। ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଗିରଫ ପରେ ସବୁ ଗୁମର ଖୋଲିଛି। ୨ଶହ ଗ୍ରାମ ସୁନା,  ଲକ୍ଷେ ଟଙ୍କା ନଗଦ, ବାଇକ୍ ଓ ଲୁହା ରଡ୍ ଜବତ କରିଛି ପୁଲିସ। ଗିରଫ ଯୁବକର ନାଁ ମନୋଜ ସିଂ। ଘର କଟକରେ। ମନୋଜ ୧୦ରୁ ଅଧିକ ଚୋରୀ ଅପରାଧରେ ଓ୍ୱାଣ୍ଟେଡ୍ ଥିଲା। ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ ତମାଣ୍ଡୋ ଥାନାରେ ମନୋଜଙ୍କ ନାଁରେ ଏତଲା ରହିଛି। ସବୁଠୁ ବଡ଼ କଥା, ସେ ଦେଉଥିବା ପ୍ରବଚନକୁ ଗଣମାଧ୍ୟମକୁ ଶୁଣାଇଥିଲେ ସିପି। କେମିତି ଚୋରି ବିଦ୍ୟାରେ ମାହିର୍ ଭଣ୍ଡ ମନୋଜ ନିଜେ ଚୋରୀରୁ ରକ୍ଷା ପାଇବା ନୀତି ନେଇ ଘଣ୍ଟା ଘଣ୍ଟା ଧରି ପ୍ରବଚନ ଦେଉଥିଲା। ସଙ୍ଗଦୋଷ ତ କେତେବେଳେ ପରିସ୍ଥିତି ଚୋରି କରିବାକୁ ବାଧ୍ୟ କରୁଛି ବୋଲି ପ୍ରବଚନରେ କହିଥାଏ ମନୋଜ। ୟୁଏନଆଇ ଗୋଲ୍ଡ ବ୍ରାଞ୍ଚରେ ସେ କିଛି ସୁନା ରଖିଥିବା ଜଣାପଡ଼ିଛି। ରାକ୍ଷୀ ପୂର୍ଣ୍ଣିମାରେ ଦିନ ବେଳା ଚୋରୀ ହୋଇଥିଲା। ନବଦମ୍ପତ୍ତି ଘରେ ତାଲା ପକାଇ ରାକ୍ଷୀ ପୂର୍ବରୁ ଗାଁକୁ ଯାଇଥିଲେ। ଆଉ ଏହି ମଉକା ଉଣ୍ଡି ଘରେ କଳାକନା ବୁଲାଇଥିଲା ମନୋଜ। ଚୋରକୁ ଧରିବାକୁ ଏକ ଟିମ୍ ଗଠନ କରିଥିଲା ପୁଲିସ। ମାନୁଆଲି ଇଣ୍ଟେଲିଜେନ୍ସ ସହ ଟେକ୍ନିକାଲି ସର୍ଭେଲାନ୍ସର ସହଯୋଗ ନିଆଯାଇଥିଲା। ଏଭଳି ଚୋରକୁ ଧରିବା ସହ ଲୁଟ ହୋଇଥିବା ସାମଗ୍ରୀ ଫେରିପାଇବା ପରେ ପୁଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ନବଦମ୍ପତ୍ତି। ଭଣ୍ଡ ପ୍ରବଚକଙ୍କ ଡବଲ ଡ୍ୟୁଟିକୁ ନେଇ ଏବେ ସବୁଠି ଚର୍ଚ୍ଚା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *