ପୁଲିସକୁ ପିଟିଲେ ଓକିଲ- ବାରାଣସୀରେ ବିବାଦ

ବାରାଣସୀରେ ପୁଲିସ- ଓକିଲ ଭିତରେ ବିବାଦ ଥମିବାର ନାଁ ଧରୁନି। ପୁରୁଣା ଜମି ବିବାଦର ପ୍ରତିଶୋଧ ନେବାକୁ ଜଣେ ଏସଆଇ ମିଥିଲେଶ ପ୍ରଜାପତିଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଓକିଲ। କୋର୍ଟ ପରିସରରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହାର ସିସିଟିଭି ଭିଡ଼ିଓ ଏବେ ଜୋରଦାର ଭାଇରାଲ ହୋଇଛି। ଗଲା ୧୬ ତାରିଖର ଘଟଣା। ଲାତ ଭୁଷା ମାରିବା ସହ ଏସଆଇଙ୍କୁ ବନ୍ଧକ ରଖିଥିଲେ ଓକିଲ ସଂଘ। ଏବେ ଏସଆଇ ଆଇସିୟୁର ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି। ଅନେକ କନଷ୍ଟେବଳ ବି ଆହତ ହୋଇଛନ୍ତି।

ପୁଲିସ ୭୦ ଓକିଲଙ୍କ ଉପରେ ଏତଲା ରୁଜୁ କରିଛି। ପୁଲିସ କମିଶନରଙ୍କ ଅଫିସରେ କାର୍ଯ୍ୟରତ ଜଣେ ମହିଳା ଆଇପିଏସ ଅଧିକାରୀ ଓ ଓକିଲଙ୍କ ଭିତରେ ବି କଥା କଟାକଟିର ଭିଡ଼ିଓ ଭାଇରାଲ ହୋଇଛି। ସଂପୃକ୍ତ ମହିଳା ଆଇପିଏସ ନୀତୁ କାଦୟାନଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେଇଥିଲେ ଜଣେ ଓକିଲ। ଆକ୍ରମଣକାରୀ ଓକିଲଙ୍କ ବିରୁଦ୍ଧରେ ଆଜିଯାଏ କୌଣସି ଆକ୍ସନ କାହିଁକି ହୋଇନି କହି ଏସଆଇଙ୍କ ପରିବାର କମିଶନଙ୍କ ଅଫିସକୁ ଯାଇଥିଲେ। କୌଣସି ଓକିଲଙ୍କ ବିରୁଦ୍ଧରେ ଯେଭଳି ଆକ୍ସନ ନ ହୁଏ, ସେଥିଲାଗି ଓକିଲ ସଂଘ ବି କମିଶନର ଅଫିସରେ ପହଞ୍ଚିଥିଲା। ଯେଉଁ ପୁଲିସ କର୍ମୀଙ୍କ ଦ୍ୱାରା ଓକିଲଙ୍କୁ ଅଭଦ୍ର ବ୍ୟବହାର କରାଯାଇଛି। ସେମାନଙ୍କୁ ବି ଗିରଫ କରିବା ଦାବିରେ ଅଡ଼ି ବସିଛି ଓକିଲ ସଂଘ। ଆଉ ମହିଳା ଆଇପିଏସଙ୍କ ସହ ଯୁକ୍ତିତର୍କରୁ ସଂପୃକ୍ତ ଅଫିସର କହିଥିଲେ, କାହାର ଗରମ ଶାନ୍ତି କରିବି ବୋଲି କହୁଛ। ବାସ୍ ଏହାକୁ ନେଇ ହଙ୍ଗାମା ବଢ଼ିଥିଲା। ଆଉ ଜଣେ ପୁଲିସ କର୍ମଚାରୀ ଜଣେ ଓକିଲଙ୍କୁ କହୁଛନ୍ତି, କୋର୍ଟ ବାହାରକୁ ଆସିଲେ ଦେଖିନେବି। ଏହାର ଭିଡ଼ିଓ ବି ଭାଇରାଲ ହେଲାଣି।

ବାରାଣସୀରେ ସେଣ୍ଟ୍ରାଲ୍ ବାର ଓ ବନାରସ ବାର୍ ଆସୋସିଏସନ ନିଜ ଦାବି ପୂରଣ ନ ହେବା ଯାଏ ହଡ଼ତାଳ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ସେପଟେ ପୁଲିସ ବିଭାଗ ବି ନିଜ ଅଧିକାରୀଙ୍କ ସମର୍ଥନରେ ବାହାରିଛି। ମଙ୍ଗଳବାରରୁ ଆରମ୍ଭ ଏ ବିବାଦ ବଢ଼ିବାରେ ଲାଗିଛି। ଆଜି ବି ଓକିଲ ସଂଘ ପ୍ରତିବାଦ ରାଲି କରିଛି। ସଂପୃକ୍ତ ଏସଆଇଙ୍କୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବାକୁ ଯାଇ ପାଲଟା କେସ୍ ଖାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ପଚାରିଛନ୍ତି ଓକିଲ ସଂଘ। ଆଜି କୋର୍ଟ କାମରୁ ନିବୃତ୍ତ ରହିଛନ୍ତି ଓକିଲ। ପ୍ରତିବାଦ ରାଲି କରି ପୁଲିସ କମିଶନରଙ୍କ ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ଧସ୍ତାଧସ୍ତି ହୋଇଥିଲା। ତେବେ ପୁଲିସ ଉପରେ ଆକ୍ରମଣକାରୀ ବାର୍ ର କୌଣସି ସଦସ୍ୟ ନଥିଲେ ବୋଲି ଦାବି କରିଛି ସଂଘ। ଯେଉଁ ପୁଲିସ ଅଧିକାରୀ ଆହତ ହୋଇଛନ୍ତି, ସେମାନଙ୍କ ସୁସ୍ଥତା ବି କାମନା କରିଛି ସଂଘ। କୌଣସି ଅରାଜକତତ୍ତ୍ୱ ଆଇନଜୀବିଙ୍କ ଆଳରେ ଏଭଳି ଘଟଣା ଘଟାଇନି ତ ବୋଲି ପ୍ରଶ୍ନ ଉଠିଥିଲା। କିଛି ଦିନ ତଳେ ଆଇନଜୀବି ଶିବପ୍ରତାପ ସିଂ ଜଣେ ପୁଲିସ ଅଧିକାରୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଯାଇଥିଲେ। ସେ ବି ବିଏଚୟୁ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ବାରାଣସୀରେ ପୁଲିସ -ଓକିଲ ସଂଘ ଭିତରେ ବିବାଦ ଆଗକୁ କି ମୋଡ଼ ନେଉଛି, ତା ଉପରେ ସମସ୍ତଙ୍କ ନଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *