ଆସାମୀ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାରେ ଆଜି ଗୌହାଟି କୋର୍ଟରେ ହାଜର ହୋଇଥିଲେ ୫ ଅଭିଯୁକ୍ତ। ସେପ୍ଟେମ୍ୱର ୧୯ରେ ସିଙ୍ଗାପୁରରେ ଜୁବିନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ନର୍ଥଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲରେ ପରଫର୍ମାନ୍ସ ଦେବାର ଦିନକ ଆଗରୁ ସମୁଦ୍ରରେ ସ୍କୁଭା ଡାଇଭିଂ ବେଳେ ବୁଡ଼ିଯାଇ ମୃତ୍ୟୁକୁ ନେଇ ସବୁଠି ସନ୍ଦେହ ଉଠିଥିଲା। ତେବେ ଜୁବିନ ମୃତ୍ୟୁ ପଛରେ ସାଙ୍ଘାତିକ ଷଡ଼ଯନ୍ତ୍ର ହୋଇଛି। ଏ ମାମଲାରେ ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନଙ୍କ ଭିତରୁ ୫ ଜଣଙ୍କୁ କୋର୍ଟରେ ହାଜର କରିଥିଲା ପୁଲିସ। କାରଣ ଏହି ୫ଜଣଙ୍କ ପୁଲିସ ରିମାଣ୍ଡ ଆଜି ସରୁଥିଲା। ଆଉ ବାକି ୨ ଅଭିଯୁକ୍ତଙ୍କ କଷ୍ଟଡି ଦିନେ ଦୁଇ ଦିନ ଭିତରେ ସରିବ ବୋଲି କହିଛନ୍ତି ଏସଆଇଟିର ସ୍ୱତନ୍ତ୍ର ଡିଜି ମୁନ୍ନାପ୍ରସାଦ ଗୁପ୍ତା। ତେବେ ଅଭିଯୁକ୍ତଙ୍କୁ ଆଉ ରିମାଣ୍ଡରେ ନେବାର ଆବଶ୍ୟକ ପଡ଼ି ନପାରେ। କୋର୍ଟରେ ହାଜର ହୋଇଥିବା ଅଭିଯୁକ୍ତ ହେଲେ ଜୁବିନଙ୍କ ଦାଦା ପୁଅ ଭାଇ ଡିଏସପି ସନ୍ଦୀପନ ଗର୍ଗ, ମ୍ୟାନେଜର ସିଦ୍ଧାର୍ଥ ଶର୍ମା, ସହ ଗାୟିକା ଅମୃତପ୍ରଭା ମହନ୍ତ, ନର୍ଥ ଇଷ୍ଟଇଣ୍ଡିଆ ଫେଷ୍ଟିଭାଲର ଆୟୋଜକ ଶ୍ୟାମାକାନୁ ମହାନ୍ତ ଓ ବ୍ୟାଣ୍ଡର ଡ୍ରମ୍ ମାଷ୍ଟର ଶେଖର ଜ୍ୟୋତି ଗୋସ୍ୱାମୀ। ୫ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି କୋର୍ଟ। ଜୁବିନଙ୍କ ଦୁଇ ପର୍ସନାଲ ସିକ୍ୟୁରିଟି ଅଫିସର ନନ୍ଦେଶ୍ୱର ବୋରା ଓ ପରେଶ ବୈଶ୍ୟଙ୍କୁ ବି ପୁଲିସ ଗିରଫ କରିସାରିଛି। ଏମାନେ ଦୀର୍ଘ ସମୟ ଧରି ଜୁବିନଙ୍କ ସୁରକ୍ଷାକର୍ମୀ ଥିଲେ। ଦୁହିଁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଗଲା ୪ରୁ୫ ବର୍ଷ ଭିତରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ନେଣଦେଣ ହୋଇଛି। ବୋରାଙ୍କ ଆକାଉଣ୍ଟକୁ ୭୦ ଲକ୍ଷ ଓ ପରେଶଙ୍କ ଆକାଉଣ୍ଟକୁ ୪୦ଲକ୍ଷ ଯାଇଛି। ଏହି ଦୁଇ ସିକ୍ୟୁରିଟି ଅଫିସରଙ୍କୁ ଏହି ଘଟଣା ପରେ ସସପେଣ୍ଡ କରିଦିଆଯାଇଥିଲା। ଏସଆଇଟି ଟିମ୍ ଆଗରେ ୩ ଜଣ ଏନଆରଆଇ ବି ବୟାନ ରେକର୍ଡ କରିଛନ୍ତି। ଯେଉଁମାନେ ସିଙ୍ଗାପୁରରୁ ଆସିସାରିଛନ୍ତି। ୩ ଏନଆରଆଇ ହେଲେ ଜେ ନାରଜାରି, ପରିକ୍ଷିତ ଶର୍ମା ଓ ସିଦ୍ଧାର୍ଥ ବୋରା। ସମସ୍ତଙ୍କୁ ଏସଆଇଟି ସମନ କରିଥିଲା। କୋର୍ଟରେ ଶବ ବ୍ୟବଛେଦ ରିପୋର୍ଟ ବି ଦାଖଲ କରିଛି ଏସଆଇଟି। ଜୁବିନଙ୍କ ବ୍ୟାଣ୍ଡମେଟ୍ ଶେଖର ଜ୍ୟୋତି ଗୋସ୍ୱାମୀ ଆରୋପ ଲଦିଥିଲେ ଯେ, ଜୁବିନଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ଆସାମ ପୁଲିସ ଖୁବଶୀଘ୍ର ସିଙ୍ଗାପୁର ଯିବ। ଭାରତ- ସିଙ୍ଗାପୁର ଭିତରେ ଦସ୍ତାବିଜ୍, ଫରେନସିକ ରିପୋର୍ଟ ଓ ସାକ୍ଷୀଙ୍କ ବୟାନକୁ ଆଦାନପ୍ରଦାନ କରାଯାଉଛି। ଜୁବିନଙ୍କ ଦାଦା ପୁଅ ଭାଇ ଡିଏସପି ସନ୍ଦୀପନଙ୍କୁ ଗିରଫ କରାଯାଇଛି। ପୁଲିସ ଅନୁସାରେ, ସିଙ୍ଗାପୁର ୟାଟ୍ ପାର୍ଟିରେ ଜୁବିନ୍ ସହ ଥିଲେ ସନ୍ଦୀପନ। ଜୁବିନଙ୍କ ମୃତ୍ୟୁକୁ ନେଇ ଫ୍ୟାନ୍ସ ଓ ବିରୋଧୀଙ୍କ ସନ୍ଦେହସ୍କାନରରେ ଥିଲେ ଆସାମ ସରକାର। କାରଣ ଦୀର୍ଘ ଦିନ ପରେ ବି ସରକାର ଜୁବିନଙ୍କ ଦ୍ୱିତୀୟ ଶବବ୍ୟବଛେଦ ରିପୋର୍ଟ ସାର୍ବଜନୀନ କରୁନାହାନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦେଶରେ ସେପ୍ଟେମ୍ୱର ୨୩ରେ ଗୌହାଟି ମେଡିକାଲ କଲେଜରେ ଜୁବିନଙ୍କ ଦ୍ୱିତୀୟ ଥର ପୋଷ୍ଟମର୍ଟମ ହୋଇଥିଲା। କିନ୍ତୁ ୨୨ ଦିନ ପରେ ବି ରିପୋର୍ଟ ସାର୍ବଜନୀନ କରାଗଲାନି। ମୁଖ୍ୟମନ୍ତ୍ରୀ କହିଥିଲେ, ରିପୋର୍ଟ ସାର୍ବଜନୀନ କଲେ ଏହା ଆଇନତଃ ଅମାନ୍ୟ ହୋଇଯିବ। ଜୁବିନଙ୍କ ପ୍ରଥମ ଶବବ୍ୟବଛେଦ ରିପୋର୍ଟରେ ତାଙ୍କ ମୃତ୍ୟୁ ବୁଡ଼ିବାରୁ ହୋଇଥିଲା ବୋଲି କୁହାଯାଇଥିଲା। କିନ୍ତୁ ଜବରଦସ୍ତି ବୁଡ଼ାଇବା, ବିଷ ଦେବା ଓ ଆର୍ଥିକ ଷଡ଼ଯନ୍ତ୍ର ଲାଗି ମର୍ଡର ହୋଇଥିବା ଅଭିଯୋଗ ମାମଲାକୁ ଅଧିକ ଜଟିଳ କରିଦେଇଛି। ଡାକ୍ତର ଜୁବିନଙ୍କୁ ବିଶ୍ରାମ ନେବାକୁ କହିଥିଲେ। କିନ୍ତୁ ଶ୍ୟାମକନୁ ନିଜ ବେପାର ଲାଗି ତାଙ୍କୁ ବ୍ୟବହାର କଲେ। ସିଙ୍ଗାପୁର ନେଇଯାଇଥିଲେ। ମ୍ୟାନେଜର ସିଦ୍ଧାର୍ଥ ୧୨ ବର୍ଷ ଧରି ଜୁବିନଙ୍କ ସହ ଥିଲେ। ଗୌହାଟିରେ ଲକଜରି ହୋଟେଲ ସମେତ ଅନେକ ବଡ଼ ବ୍ୟବସାୟ ପ୍ରତିଷ୍ଠା କରିପାରିଲେ। କିନ୍ତୁ ଜୁବିନ ଦୁଇ ବର୍ଷ ହେଲା ନିଜ ଘର ନିର୍ମାଣ ବି ସମ୍ପୂର୍ଣ୍ଣ କରିପାରିଲେନି। କଥା ପଡ଼ିଛି। ଜୁବିନଙ୍କ ସମ୍ପତ୍ତି ଗଲା କୁଆଡ଼େ, କିଏ ଖାଇଲା। ଜୁବିନ ନିଜ କ୍ୟାରିଅରରେ ୪୦ଟି ଭାଷାରେ ପ୍ରାୟ ୩୮ହଜାର ଗୀତ ଗାଇଥିଲେ। ଆସାମୀ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷାରେ ଗୀତ ଗାଇଛନ୍ତି ଜୁବିନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now