ପବିତ୍ର ମାଘମେଳା- ସନାତନ ପରମ୍ପରା ଓ ଆସ୍ଥାର ଆଧାର

ଆଜିଠୁ ଆରମ୍ଭ ହେଲା ମାଘମେଳା। ଶ୍ରଦ୍ଧାଳୁ ଆସ୍ଥାର ବୁଡ଼ ପକାଇଛନ୍ତି। ତ୍ରିବେଣୀ ସଙ୍ଗମରେ ପ୍ରୟାଗରାଜରେ ୪୪ ଦିନିଆ ମାଘମେଳାର ଶୁଭାରମ୍ଭ ହୋଇଛି। ପୌଷପୂର୍ଣ୍ଣିମାରେ ପ୍ରଥମ ସ୍ନାନ ପର୍ବରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗାରେ ଆସ୍ଥାର ବୁଡ଼ ପକାଇଛନ୍ତି। ପ୍ରୟାଗରାଜକୁ ୧୫ କୋଟି ଶ୍ରଦ୍ଧାଳୁଙ୍କ ଆଗମନ ସମ୍ଭାବନାକୁ ଦେଖି ସୁରକ୍ଷାର ବ୍ୟାପକ ବ୍ୟବସ୍ଥା କରାଯାଇଛି। ସାତୋଟି ସେକ୍ଟରକୁ ବ୍ୟାପିଥିବା ମେଳାରେ ଟେଣ୍ଟ ସିଟି, ବିଶେଷ ଯାତାୟତ ବ୍ୟବସ୍ଥା, ଏଟିଏସ, ଏନଡିଆରଏଫକୁ ମୁତୟନ କରାଯାଇଛି। ଏଆଇ ଟେକ୍ନୋଲୋଜିର ୪ଶହ ସିସିଟିଭି କ୍ୟାମେରା, ଡ୍ରୋନ୍ ସର୍ଭେଲାନ୍ସକୁ ସୁରକ୍ଷା ପାଇଁ ଲଗାଯାଇଛି। ୪୪ଦିନ ଧରି ଚାଲିବାକୁ ଥିବା ଐତିହାସିକ ମାଘମେଳା କେବଳ ଏକ ଧାର୍ମିକ ଆୟୋଜନ ନୁହେଁ। ବରଂ ସନାତନ ପରମ୍ପରା, ସଂସ୍କୃତି ଓ ସୁରକ୍ଷା ବ୍ୟବସ୍ଥାର ଅଦ୍ଭୁତ ଉଦାହରଣ ଅଟେ। ମାଘମେଳାରେ ପ୍ରଥମ ସ୍ନାନରେ ସକାଳ ୧୦ଟା ସୁଦ୍ଧା ପ୍ରାୟ ୯ଲକ୍ଷ ଲୋକ ବୁଡ଼ ପକାଇଛନ୍ତି। ମେଳା ପ୍ରଶାସନ ଆକଳନ କରିଛି, ୨୫ରୁ ୩୦ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇବେ। ଅଯୋଧ୍ୟାର ସରାୟୁ ନଦୀରେ ବି ପବିତ୍ର ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଫାରୁକାବାଦର ପାଞ୍ଚାଳ ଘାଟରେ ବି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ଉତ୍ତରାଖଣ୍ଡ, ହରିଦ୍ୱାରରେ ବି ପୌଷପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବିଶ୍ୱାସ ରହିଛି, ସଙ୍ଗମ ତଟରେ ବୁଡ଼ ପକାଇଲେ ପାପ କ୍ଷୟ ହୁଏ। ଜୀବନରେ ସୁଖ-ଶାନ୍ତି ଓ ସକରାତ୍ମକ ଉର୍ଜା ଭରିଯାଏ। ସଙ୍ଗମ ତଟରେ କଳ୍ପବାସର ପରମ୍ପରା ବି ଆରମ୍ଭ ହୋଇଛି। ଯେଉଁଠି ଶ୍ରଦ୍ଧାଳୁ ପୁରା ମାଘମାସ ସଂଯମ ଓ ସାଧନା ସହ ଜୀବନ ବିତାଇବେ। ବ୍ରହ୍ମମୂହୂର୍ତ୍ତରେ ସ୍ନାନ, ଗୋଟିଏ ବେଳା ସାତ୍ତ୍ୱିକ ଭୋଜନ, ଭୂମିରେ ଶୟନ, ଜପ,ତପ, ଧ୍ୟାନ କରିବେ। ଦାନ କରିବେ। କ୍ରୋଧ, ଅହଙ୍କାର ଓ ଭୋଗବିଳାସରୁ ଦୂରେଇ ରହିବେଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମ ତଟରେ ପହଞ୍ଚି ପବିତ୍ର ସ୍ନାନ, ପୂଜାପାଠ ଓ ଧାର୍ମିକ ଅନୁଷ୍ଠାନରେ ସାମିଲ୍ ହେବେ। ଏଥର ମାଘମେଳାରେ ହେଲିକେପ୍ଟର ସେବା ଓ ପାରା ଗ୍ଲାଇଡିଂ ସେବା ଆରମ୍ଭ ହୋଇଛି। ପର୍ଯ୍ୟଟନକୁ ବୃଦ୍ଧି ପାଇଁ ଲୋକପ୍ରିୟ କଳାକାରଙ୍କୁ ବି ନିମନ୍ତ୍ରଣ କରାଯିବ। ମାଘ ମେଳା ଅବସରରେ ୬ଟି ପ୍ରମୁଖ ସ୍ନାନପର୍ବ ପଡ଼ିବ। ଜାନୁଆରୀ ୩, ୧୪, ୧୮, ୨୩। ଫେବୃଆରୀ ୧ ଓ ୧୫ ଫେବୃଆରୀ ମହାକୁମ୍ଭ ଅନୁଭବ ଆଧାରରେ ଏଥର ୭ଟି ପାଣ୍ଟୁନ୍ ପୁଲ୍ ଓ ଓ୍ୱାନ-ୱେ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ୩୮୦୦ ରୋଡଓ୍ୱେଜ୍ ବସ୍‌, ୭୫ ଇ-ବସ୍ ଓ ୫ଶହରୁ ଅଧିକ ଇ-ରିକ୍ସା ବ୍ୟବସ୍ଥା ହୋଇଛି। ଅଗ୍ନିନିରାପତ୍ତା ବ୍ୟବସ୍ଥା ଲାଗି ୧୭ଟି ଫାୟାର ଷ୍ଟେସନ କରାଯାଇଛି। ମାଘମେଳାକୁ ମିନି କୁମ୍ଭ କୁହାଯାଏ। ପବିତ୍ର ମାଘମେଳାରେ ଚନ୍ଦ୍ରଭାଗାରେ ବି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ପ୍ରୟାଗରାଜରେ ୮ଶହ ହେକ୍ଚର ଜମିରେ ମାଘମେଳାର କ୍ଷେତ୍ର ପରିବ୍ୟାପ୍ତ ହୋଇଛି। ଆସ୍ଥା, ପରମ୍ପରା ଓ ଆଧ୍ୟାତ୍ମିକ ସାଧନାର ଉତ୍ସବ ହେଉଛି ମାଘମେଳା। ଆଜିଠୁ ଆରମ୍ଭ ମାଘମେଳା ମହାଶିବରାତ୍ରୀରେ ସରିବ। ତ୍ରିବେଣୀ ସଙ୍ଗମର ପବିତ୍ର ଭୂମି ଏବେ ଶ୍ରଦ୍ଧା, ସଂସ୍କୃତି ଓ ସାଧନାର ପେଣ୍ଠସ୍ଥଳୀ ପାଲଟିଛି। ସଙ୍ଗମ ତଟ ଶ୍ରଦ୍ଧା ଓ ଭକ୍ତିର ସାଗର ସାଜିଛି। ସଙ୍ଗମ ତଟରେ ଆସ୍ଥାର ମହାସଙ୍ଗମ ଦେଖିବାକୁ ମିଳୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *