ପାକିସ୍ତାନକୁ ପାଣି ପିଆଇଲାଣି ଆକାଶ

ସବୁଠି ଆକାଶ ମିସାଇଲ୍ ଡିଫେନ୍ସ ସିଷ୍ଟମକୁ ନେଇ ଚର୍ଚ୍ଚା। ପାକିସ୍ତାନର ଡ୍ରୋନ୍ ଓ ମିସାଇଲକୁ ସଫଳତାର ସହ ପ୍ରତିହତ କରିପାରୁଥିବା ଆକାଶ ମିସାଇଲକୁ ତିଆରି କରିଥିବା ଡାକ୍ତର ପ୍ରହଲ୍ଲାଦ ରାମାରାଓଙ୍କୁ ବି ନେଇ ସେତିକି ଚର୍ଚ୍ଚା। ପାକିସ୍ତାନୀ ମିସାଇଲକୁ ଆକାଶରେ ମାରି ତଳେ ପକାଉଥିବା ଆକାଶକୁ ନେଇ ପୂର୍ବତନ ବୈଜ୍ଞାନିକ ରାମାରାଓ କହିଛନ୍ତି, ତାଙ୍କ ଲାଗି ଏହାଠୁ ଅଧିକ ଖୁସିର ଦିନ ଆଉ କିଛି ହୋଇନପାରେ। ଭାରତର ପ୍ରମୁଖ ସହରକୁ ଟାର୍ଗେଟ କରି ପାକିସ୍ତାନୀ ସେନା ପଠାଉଥିବା ଡ୍ରୋନ୍ ଓ ମିସାଇଲର ଗତିବିଧିକୁ ପରଖି ଏହାକୁ ପଣ୍ଡ କରିଚାଲିଛି ଆକାଶ। ଡିଆରଡିଓର ପୂର୍ବତନ ବୈଜ୍ଞାନିକ ରାମାରାଓ ଏହାକୁ ୧୫ ବର୍ଷ ଭିତରେ ବିକଶିତ କରିଥିଲେ। ଆଶାରୁ ଅଧିକ ଦକ୍ଷତା ଦେଖାଇପାରୁଥିବା ଆକାଶର ସଫଳତା ଦେଖି ରାମାରାଓ ଖୁସି ଜାହିର୍ କରିଛନ୍ତି। ୭୮ ବର୍ଷୀୟ ରାମାରାଓ କହିଛନ୍ତି, ଆରମ୍ଭରୁ ଭାରତୀୟସେନା ଆକାଶକୁ ନେଇ ଏତେଟା ରୁଚି ଦେଖାଇନଥିଲା। ସେ ଆକାଶ ସିଷ୍ଟମରେ କାମ କରିବା ବେଳେ ସବୁଠୁ କମ୍ ବୟସର ପରିଯୋଜନା ନିର୍ଦେଶକ ଥିଲେ। ସେତେବେଳେ ଭାରତର ମିସାଇଲ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦ୍ଦୁଲ କଲାମ ତାଙ୍କୁ ଚୟନ କରିଥିଲେ। ଦେଶରେ ପ୍ରସ୍ତୁତ ଏହି ସିଷ୍ଟମ ଆକାଶମାର୍ଗରେ ଉପୁଜୁଥିବା ଆଶଙ୍କାକୁ ପ୍ରତିହତ କରିବାର ବେଶ୍ ସାମର୍ଥ୍ୟ ରଖିଛି। ଏହାକୁ ଡିଆରଡିଓ ଓ ଭାରତ ଡାୟୋନୋମିକ୍ସ ଲିମିଟେଡ୍ ପକ୍ଷରୁ ମିସାଇଲ୍ ଭାବେ ବିକଶିତ କରାଯାଇଥିଲା। ଆକାଶର ବଡ଼ ଦକ୍ଷତା ହେଲା ଯେ, ଏହାକୁ କେଉଁଠି ବି ନିଆଯାଇପାରିବ। ଏହାକୁ ଏଲଓସି ବା ଅନ୍ୟ ସୀମାକୁ ଟ୍ରକ୍ ନଚେତ ଟ୍ୟାଙ୍କରରେ ନିଆଯାଇପାରିବ। ଏହାର ଆଡଭାନ୍ସ ସିଷ୍ଟମ ଆକାଶ ଏନଜି-୭୦ରୁ ୮୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହାର ଗତି ଘଣ୍ଟାକୁ ୨୫ଶହ କିଲୋମିଟର ଅଟେ। ଏହା ୧୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ୬୪ ଲକ୍ଷ୍ୟକୁ ଦେଖିପାରିବ। ଏକା ସାଙ୍ଗରେ ୧୨ଟି ମିସାଇଲକୁ ପଣ୍ଡ କରିପାରିବ। ଏହି ମିସାଇଲରେ ସ୍ମାର୍ଟ ଗାଇଡେନ୍ସ ସିଷ୍ଟମ ଥିବାରୁ ଶେଷ ମୂହୂର୍ତ୍ତରେ ବି ଟାର୍ଗେଟକୁ ଲକ୍ କରିବାରେ ସକ୍ଷମ ଅଟେ। ଆକାଶ ବ୍ୟାଟେରୀ ମିସାଇଲ ସିଷ୍ଟମ ୧୮ହଜାର ମିଟର ଉଚ୍ଚତାରେ ୪୫ କିଲୋମିଟର ଦୂର ପର୍ଯ୍ୟନ୍ତ ବିମାନକୁ ନିଶାନା କରିପାରିବା। ଏଥିରେ ଫାଇଟର ଜେଟ୍, କ୍ରୁଜ ମିସାଇଲ ସହ ବାଲିଷ୍ଟିକ୍ ମିସାଇଲ ଭଳି ଆକାଶମାର୍ଗର ଲକ୍ଷ୍ୟକୁ ପ୍ରଭାବହୀନ କରିବାର କ୍ଷମତା ଅଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *