ବାଂଲାଦେଶରେ ରାଜନୈତିକ ସଂକଟ ଘନେଇଲାଣି। ମହମ୍ମଦ ୟୁନୁସଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ୍ ଦେଲାଣି ସେନା। ବାଂଲାଦେଶ ମହଙ୍ଗା ମାଡ଼ ଓ ବେରୋଜଗାର ସହ ଜୁଝୁଥିଲା ବେଳେ ୟୁନୁସ ବାଂଲାଦେଶକୁ ସମ୍ଭାଳିବାରେ ପୁରା ଫେଲ୍ ମାରିଗଲେଣି। ସେନା ମୁଖ୍ୟ ଜେନେରାଲ ଓ୍ୱକାର ଉଜ ଜମାନ ବି ଦେଶରେ ନିର୍ବାଚନର ନିଆଁ ଲଗାଇଦେଇ ରାଜନୀତିକ ପାରା ଚଢ଼ାଇଦେଇଛନ୍ତି। ଏମିତିରେ ୟୁନୁସ ବି ସ୍ପଷ୍ଟ କରିସାରିଲେଣି, ସେ ଆସନ୍ତା ବର୍ଷ ଜୁନ୍ ୩୦ ପରେ ଆଉ କ୍ଷମତା ଚୌକିରେ ରହିବେନି। ବାଂଲାଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ୟୁନୁସ ସରକାରଙ୍କ ନୀତି ବିରୁଦ୍ଧରେ ଲୋକେ ସଡ଼କକୁ ଓହ୍ଲାଇସାରିଲେଣି। ଢାକା ସମେତ ଅନେକ ସହରରେ ସ୍ଥିତି ଗମ୍ଭୀର ରହିଛି। ବ୍ୟବସାୟ ସଂଘର ନେତା ସୌକତ ଅଜିଜ୍ ରସେଲ ଆଗରୁ କହିସାରିଲେଣି ଯେ, ଦେଶର ବ୍ୟବସାୟୀଙ୍କୁ ଏମିତି ମରାଯାଉଛି, ଯେମିତି ୧୯୭୧ରେ ମୁକ୍ତି ସଂଗ୍ରାମରେ ବୁଦ୍ଧିଜୀବିଙ୍କୁ ମରାଯାଉଥିଲା। ସେନା ଓ ଅନ୍ତରୀଣ ସରକାର ଭିତରେ ମତଭେଦ ଚରମସୀମାରେ ପହଞ୍ଚିଛି। ତେବେ ସେନା ସ୍ପଷ୍ଟିକରଣ ଦେଇଛି, ମତଭେଦ ଗୁଜବ। ସରକାର ଓ ସେନା ଦୁହେଁ ମିଶି ହିତ ଓ ସଂପ୍ରଭୂତାର ରକ୍ଷା ଦିଗରେ କାମ କରିବାକୁ ସଂକଳ୍ପବଦ୍ଧ। ମିଆଁମାରରେ ମାନବୀୟ କରିଡର ପ୍ରସ୍ତାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ୟୁନୁସ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। କିନ୍ତୁ ସେନାକୁ ଏ ବାବଦରେ କୌଣସି ସୂଚନା ନଥିଲା। ସେନା ମୁଖ୍ୟ ଜମାନ ଏହାକୁ ରକ୍ତର କରିଡର ବୋଲି କହି ଖାରଜ କରିଦେଇଥିଲେ। ବାଂଲାଦେଶ ସେନା ବି ଖୁଲମଖୁଲା ଚେତାବନୀ ଦେଇସାରିଲାଣି। ଯେପର୍ଯ୍ୟନ୍ତ ନିଃଶ୍ୱାସ ଚାଲିବ, ସେ ପର୍ଯ୍ୟନ୍ତ ସୀମା ଉପରେ ବୁଝାମଣା ହେବନି। ସେନା ଓ ସରକାର ଗୋଟିଏ ପରିବାରର। ଏହାକୁ ଛୋଟ ଛୋଟ ମତଭେଦ ଆଳରେ କଦର୍ଥ କରାଯିବା ଉଚିତ ନୁହେଁ। କିନ୍ତୁ ଏହା ବିଭାଜନର ସଙ୍କେତ ନୁହେଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି, ଆମେରିକାକୁ ବାଂଲାଦେଶ ବିକ୍ରି କରିବାକୁ ମସୁଧା କରୁଛନ୍ତି ୟୁନୁସ। ଆତଙ୍କବାଦୀଙ୍କ ସହଯୋଗ ନେଇ ସରକାରକୁ କବଜା କରିଛନ୍ତି ୟୁନୁସ। ଏଭଳି ପରିସ୍ଥିତିରେ ୟୁନୁସ ନରମିଗଲେଣି। ୟୁନୁସ୍ କହିଛନ୍ତି, ଦେଶର କୌଣସି ସାମ୍ୱିଧାନିକ ସଂଶୋଧନ ଧାର୍ମିକ ସ୍ୱତନ୍ତ୍ରତା ଓ ସଂଖ୍ୟାଲଘୁ ଅଧିକାରଙ୍କୁ ରକ୍ଷା କରିବ। ବାଂଲାଦେଶରେ ହିଂସା ବେଳେ ସଂଖ୍ୟାଲଘୁଙ୍କୁ କେମିତି ଟାର୍ଗେଟ କରାଯାଇଥିଲା, ତାହା ପୁରା ବିଶ୍ୱ ଦେଖିଥିଲା। ଏବେ ହଡ଼ତାଳ ଓ କାମବନ୍ଦ ଜାରି ରହିଛି। ଲୋକଙ୍କୁ ଦରମା ଦେବାକୁ ରାଜକୋଷରେ ଅର୍ଥ ନାହିଁ। ବାଂଲାଦେଶରେ ଦୁର୍ଭିକ୍ଷ ଭଳି ସ୍ଥିତି ଉପୁଜିଛି। କାରଣ ବେରୋଜଗାର ଚରମସୀମାରେ। ଏଭଳି ସ୍ଥିତିକୁ ମୁକାବିଲାରେ ଫେଲ୍ ମାରିଥିବା ମହମ୍ମଦ ୟୁନୁସ୍ କହିଛନ୍ତି, ଦେଶ ଏବେ ଯୁଦ୍ଧ ଭଳି ସ୍ଥିତିରେ ଗତି କରୁଛି। ଆଗ ଡିସେମ୍ୱର ୨୦୨୫ ଯାଏ ନିର୍ବାଚନ ହେବ ବୋଲି କହୁଥିବା ୟୁନୁସ ଏବେ ଏହାକୁ ଜୁନ୍ ୨୦୨୬ ଯାଏଁ କରିବାକୁ କହିଲେଣି। ଆଉ ଆଭ୍ୟନ୍ତରୀଣ ବିପତ୍ତିକୁ ମୁକାବିଲାରେ ଫେଲ୍ ୟୁନୁସ୍ ସରକାର ଭାରତ ଉପରେ ଆକ୍ଷେପ ଲଦିଛନ୍ତି। ଭାରତ ବେଆଇନ ବାଂଲାଦେଶୀଙ୍କୁ ପଠାଉଛି।ସୀମାରେ ଅନୁପ୍ରବେଶକୁ ରୋକିବାକୁ ପ୍ରୟାସ ଜାରି ଥିବା କହି ସଫେଇ ଦେଇଛି ୟୁନୁସ୍। ଭାରତ ବେଆଇନ ବାଂଲାଦେଶୀଙ୍କୁ ଚିହ୍ନଟ କରି ବାଂଲାଦେଶକୁ ଫେରାଇଦେବାକୁ ଅଭିଯାନ ଆରମ୍ଭ ପରେ ଢାକାରେ କମ୍ପନ ସୃଷ୍ଟି ହୋଇଛି। ବାଂଲାଦେଶ ସେନାମୁଖ୍ୟ ଧମକ ଦେଲେଣି, ଯଦି ସରକାର ଆଦେଶ ଦେବେ, ତାହେଲେ ସେନା ହସ୍ତକ୍ଷେପ କରିବ। ସେପଟେ ଅବୈଧ ଅନୁପ୍ରବେଶକାରୀଙ୍କୁ ନିଜ ଦେଶକୁ ଫେରାଇ ନେବାକୁ ବାଂଲାଦେଶ ପ୍ରତିବନ୍ଧକ ସାଜିଲାଣି। ମେ ୪ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୮ଶହ ବାଂଲାଦେଶୀଙ୍କୁ ନିଜ ଦେଶକୁ ପଠାଇସାରିଛି ଭାରତ। ବାଂଲାଦେଶ ଏହାକୁ ଅପରେସନ ଧକ୍କା ବୋଲି କହିଛି। ସୋମବାର ଆସାମର ମନକଛରରେ ଠାକୁରନବାଡି ଅନ୍ତରାଷ୍ଟ୍ରୀୟ ସୀମାରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ସମ୍ଭାଳିବାକୁ ବିଏସଏଫ ବ୍ଲାଙ୍କ୍ ଫାୟାରିଂ କରିଥିଲା। କାରଣ ଅନୁପ୍ରବେଶକାରୀଙ୍କୁ ନିଜ ଦେଶକୁ ନେବାକୁ ବାଂଲାଦେଶ ସେନା ବାଧା ଦେଉଥିଲା। ୧୪ ବାଂଲାଦେଶୀଙ୍କୁ ବାଂଲାଦେଶ ସେନା ବିଜିବି ସୀମାରେ ଅଟକାଇଥିଲା। ଆଉ ବିଏସଏଫ ସହ ଯୁକ୍ତି କରିଥିଲା। ଆଉ ବାଧ୍ୟ ହୋଇ ବିଏସଏଫକୁ ଗୁଳି କରିବାକୁ ପଡ଼ିଥିଲା। ଏଭଳି ସ୍ଥିତିକୁ ମୁକାବିଲା ଲାଗି ଦୁଇ ଦେଶର ଉଚ୍ଚପଦସ୍ଥ ଅଧିକାରୀ ସୀମାରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି। ଅଗଷ୍ଟ ୭, ୨୦୨୪ରେ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ ୟୁନୁସ। କିନ୍ତୁ ବାଂଲାଦେଶ ଆଭ୍ୟନ୍ତରୀଣ ବିବାଦ ଓ ସଂକଟ ସହ ଜୁଝୁଛି। ଭାରତର ଅନୁପ୍ରବେଶକାରୀ ହଟାଅ ଅଭିଯାନରେ ବିଚଳିତ ହୋଇପଡ଼ିଲାଣି ବାଂଲାଦେଶ।

Naxatra News is now on Whatsapp
Join and get latest news update delivered to you via whatsapp
Join Now