ମହିଳା ଡ୍ୟାନ୍ସରଙ୍କୁ କୋଳରେ ବସାଇ ଆପତ୍ତିଜନକ ଆଚରଣ କରିଥିବା ବଲିୟାର ବୟସ୍କ ବିଜେପି ନେତା ବବ୍ବନ ସିଂ ରଘୁବଂଶୀ ଦଳରୁ ତଡ଼ା ଖାଇଲେ। ବିହାରର ଏକ ବିବାହ ଶୋଭାଯାତ୍ରାରେ ଯାଇଥିଲା ବେଳେ ବବ୍ବନଙ୍କ ଏଭଳି ଅଶ୍ଳୀଳ ଆଚରଣର ଭିଡ଼ିଓ ଭାଇରାଲ ପରେ ଏହାକୁ ରାଜନୀତିକ ଷଡ଼ଯନ୍ତ୍ର କହି ନିଜ ଦଳର ବିଧାୟିକା କେତକୀ ସିଂ ଓ ତାଙ୍କ ସ୍ୱାମୀଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ବବ୍ବନ। କେବଳ ଏତିକି ନୁହେଁ, ନିଜକୁ ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂଙ୍କ ସମ୍ପର୍କୀୟ କହି ଆସନ୍ତା ବିଧାନସଭା ନିର୍ବାଚନରେ ସେ ଟିକଟ ଦୌଡ଼ରେ ଆଗରେ ଥିବାରୁ ତାଙ୍କ ଛବିକୁ ମଳିନ କରିବାକୁ ଏଭଳି ଏଡିଟେଡ୍ ଭିଡ଼ିଓ ଭାଇରାଲ ହୋଇଥିବା ସଫେଇ ଦେଇଥିଲେ। ହେଲେ କୌଣସି ସଫେଇ କାଟୁ କଲାନି। ଶେଷରେ ଦଳରୁ ବିଦା ହୋଇଛନ୍ତି ୭୦ ବର୍ଷର ରସିକିଆ ବିଜେପି ନେତା ବବ୍ବନ। ସେପଟେ କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ପାକିସ୍ତାନୀ ଆତଙ୍କବାଦୀଙ୍କ ଭଉଣୀ କହିଥିବା ମଧ୍ୟପ୍ରଦେଶ ବିଜେପିର କ୍ୟାବିନେଟ୍ ମନ୍ତ୍ରୀ ବିଜୟ ଶାହାଙ୍କ ଅଡ଼ୁଆ ଥମିବାର ନାଁ ଧରୁନି। ମହିଳାସେନା ଅଧିକାରୀ ସୋଫିଆ କ୍ୟୁରେସିଙ୍କ ବିରୁଦ୍ଧରେ ମନ୍ତ୍ରୀଙ୍କ ବୟାନ କ୍ୟାନସର ସଦୃଶ ବୋଲି ହାଇକୋର୍ଟ କହି ତୁରନ୍ତ ଏତଲା ରୁଜୁ ଲାଗି ନିର୍ଦେଶ ଦେଇଥିଲା ବେଳେ ସୁପ୍ରିମକୋର୍ଟ କହିଥିଲେ ସାମ୍ୱିଧାନିକ ପଦରେ ବସି କେମିତି ଏଭଳି ଭାଷା ପ୍ରୟୋଗ କରିପାରୁଛନ୍ତି ବିଜୟ। ସାମ୍ୱିଧାନିକ ପଦରେ ଥାଇ ସମ୍ୱେଦନଶୀଳତା ଦେଖାଇବା ଦରକାର। ହାଇକୋର୍ଟ ଯାଅ ଓ କ୍ଷମା ମାଗ ବୋଲି କହିଥିଲେ ସୁପ୍ରିମକୋର୍ଟ। ବିଜୟଙ୍କ ବିବାଦୀୟ ବୟାନକୁ ଦେଇ ଭୋପାଳରେ ରାଜଭବନ ଆଗରେ ବିକ୍ଷୋଭ କରିଛି କଂଗ୍ରେସ। ବିଜୟଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛି କଂଗ୍ରେସ। କଳାକପଡ଼ା ପିନ୍ଧି କଂଗ୍ରେସ ବିଧାୟକମାନେ ନାରାବାଜି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ କାହିଁକି ବିଜୟଙ୍କୁ ଏଯାଏ ମନ୍ତ୍ରିମଣ୍ଡଳରେ ରଖିଛନ୍ତି କହି ପଚାରିଛି ବିରୋଧୀ। କେବଳ ସେନାର ନୁହେଁ, ବରଂ ଦେଶର ଝିଅଙ୍କୁ ବି ଅପମାନ କରିଛନ୍ତି ବିଜୟ। ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରି ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଗୁରୁବାର ବିଳମ୍ୱିତ ରାତିରେ ଏକ୍ସ-ରେ ପୋଷ୍ଟ କରି କହିଥିଲେ, ସରକାର କୋର୍ଟର ଆଦେଶକୁ ପାଳନ କରୁଛନ୍ତି। ଏମିତିରେ ବିଜୟ ନିଜର ମନ୍ତବ୍ୟ ଲାଗି ଭୁଲ୍ ମାଗିସାରିଛନ୍ତି। ବିଜୟଙ୍କ ବିରୁଦ୍ଧରେ ପୁଲିସ ଯେଭଳି ଢଙ୍ଗରେ ଏତଲା କରିଥିଲା, ତାକୁ ବଡ଼ ଧରଣର ଧୋକା ବୋଲି କହିଥିଲେ ହାଇକୋର୍ଟ। ସେପଟେ ବିଜୟ ଶାହାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣୀ ସ୍ଥଗିତ ରହିଲା। ସୋମବାରକୁ ଏହାର ଶୁଣାଣୀ ହେବ। ମହିଳାଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଓ ଆଚରଣ ନେଇ ଫସିଛନ୍ତି ଦୁଇ ବିଜେପି ନେତା। ଜଣେ ନେତା ଦଳରୁ ତଡ଼ା ଖାଇଥିଲା ବେଳେ ଆଉ ଜଣଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now