ଭାରତର ସାର୍ବଭୌମତ୍ୱ- ତୃତୀୟ ପକ୍ଷର ହସ୍ତକ୍ଷେପ ଜରୁରୀ କି ?

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ବିରାମରେ ଆମେରିକା ଭଳି ତୃତୀୟ ପକ୍ଷର ହସ୍ତକ୍ଷେପକୁ ନେଇ ଅଙ୍ଗୁଳି ଉଠାଉଛନ୍ତି ବିରୋଧୀ ଦଳ। ସେଥିଲାଗି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ପହଲଗାଁଓ ଆକ୍ରମଣ, ଅପରେସନ ସିନ୍ଦୂର ଓ ଯୁଦ୍ଧିବିରତି ଉପରେ ବିସ୍ତୃତ ଆଲୋଚନା ଦାବି କରୁଛନ୍ତି ବିରୋଧୀ ଦଳ ମେ ୧୦ ତାରିଖ ପ୍ରାୟ ସାଢ଼େ ୫ଟା ବେଳେ ତତ୍କାଳ ଯୁଦ୍ଧବିରତି ଲାଗି ଉଭୟ ଭାରତ ଓ ପାକିସ୍ତାନ ରାଜି ହୋଇଥିବା ନେଇ ଆଗ ଦାବି କରି ଟ୍ୱିଟ୍ କରିଥିଲେ ଟ୍ରମ୍ପ୍। ଆଉ ଆମେରିକାର ମଧ୍ୟସ୍ଥତାରୁ ରାତିତମାମ ଆଲୋଚନାରୁ ଏହା ଫଳପ୍ରଦ ହେଲା ବୋଲି କହିଥିଲେ ଟ୍ରମ୍ପ। ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ବି ଏ କଥାରେ ମୋହର ମାରି ଟ୍ୱିଟ୍ କରିଥିଲେ। କିନ୍ତୁ ଟ୍ରମ୍ପଙ୍କ ଏଭଳି ବଡ଼ ଦାବିର କିଛି ସମୟ ପରେ ଏହାକୁ ଖଣ୍ଡନ କରିଥିଲା ଭାରତ। ଦୁଇ ଦେଶର ଡିଜିଏମଓ  ବା ମିଲିଟାରୀ ଅପରେସନ ମହାନିର୍ଦେଶକଙ୍କ ସ୍ତରରେ କଥାବାର୍ତ୍ତାରୁ ଯୁଦ୍ଧବିରତି ଲାଗୁ ହୋଇଥିଲା ବୋଲି କହିଥିଲା ଭାରତ। ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ବି କହିଥିଲେ, କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡ଼ା ନାହିଁ। ଡିଜିଏମଓ ବି ସ୍ପଷ୍ଟ କରିସାରିଛନ୍ତି, ତାଙ୍କ ପାକିସ୍ତାନ ପ୍ରତିପକ୍ଷ ତାଙ୍କୁ ଆଗ ଫୋନ୍ କରି ଅସ୍ତ୍ରବିରତି ଲାଗି ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀଙ୍କ ମନରେ ବିପୁଳ ପ୍ରଶ୍ନ। ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରର ହସ୍ତକ୍ଷେପରେ ସତରେ କଅଣ ପାକିସ୍ତାନ ସହ ଯୁଦ୍ଧ ବନ୍ଦ ଲାଗି ଭାରତ ରାଜି ହୋଇଗଲା କହି କଂଗ୍ରେସ ଅଙ୍ଗୁଳି ଉଠାଇଥିଲା। ଅନେକ ପ୍ରଶ୍ନ କରି ମୋଦି ସରକାରଙ୍କୁ ଘେରିଥିଲା। ତୃତୀୟ ପକ୍ଷର ହସ୍ତକ୍ଷେପ ଲାଗି କେନ୍ଦ୍ର ସରକାର କଅଣ ଦୁଆର ଖୋଲିଦେଲେ କି। ସେଥିଲାଗି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ପହଲଗାଁଓ ଆତଙ୍କି ଆକ୍ରମଣ, ଅପରେସନ ସିନ୍ଦୂର ସମେତ ଯୁଦ୍ଧବିରତି ଘୋଷଣାକୁ ନେଇ ବିସ୍ତୃତ ଆଲୋଚନା ଦାବି କରିଛି କଂଗ୍ରେସ। ଯୁଦ୍ଧ ବିରତି ପରେ ସିନ୍ଧୁ ଜଳଚୁକ୍ତି ନିଲମ୍ୱନର ଷ୍ଟାଟସ କଅଣ ବୋଲି ପଚାରିଛନ୍ତି ବିରୋଧୀ। ଟ୍ରମ୍ପ ରବିବାର ସକାଳେ ବି କହିଥିଲେ, କଶ୍ମୀର ପ୍ରସଙ୍ଗକୁ ନେଇ ଉଭୟ ରାଷ୍ଟ୍ର ଭିତରେ ସମାଧାନ କରିବାକୁ ସେ ବି ଆଗେଇ ଆସିବେ। ତେବେ ପାକିସ୍ତାନ ସହ ତିକ୍ତତା ଚରମସୀମାରେ ଥିଲା ବେଳେ ସବୁଦଳକୁ ଆସ୍ଥାକୁ ନେଇ ଦେଶକୁ ସ୍ପଷ୍ଟ ବାର୍ତ୍ତା ଦିଅନ୍ତୁ ସରକାର ବୋଲି ବିରୋଧୀ ଦାବି କରିଛନ୍ତି। ଟ୍ରମ୍ପଙ୍କ ହସ୍ତକ୍ଷେପ ଭାରତର ସାର୍ବଭୌମତ୍ୱକୁ ଆକ୍ରମଣ ସଦୃଶ। ମୋଦି ସରକାରଙ୍କ ଦୁର୍ବଳତାକୁ ଏହା ଦର୍ଶାଉଛି। ତେବେ ଡିଏମକେ ଏଭଳି ଯୁଦ୍ଧ ବିରତିକୁ ସ୍ୱାଗତ କରିଛି। ଏକବିଂଶ ଶତାବ୍ଦୀରେ ଯୁଦ୍ଧ ନୁହେଁ, ବରଂ ଶାନ୍ତି ଓ ସୌହାର୍ଦ୍ଦ୍ୟ ଦରକାର। ଟ୍ରମ୍ପ ଯୁଦ୍ଧ ବନ୍ଦ ଲାଗି ହସ୍ତକ୍ଷେପ କରିବା ଉଚିତ୍ ପଦକ୍ଷେପ ଥିଲା। କିନ୍ତୁ ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, ଟ୍ରମ୍ପଙ୍କୁ କିଏ ଅଧିକାର ଦେଲା କଶ୍ମୀର ଉପରେ କଥାବାର୍ତ୍ତା କରିବାକୁ। ଯୁଦ୍ଧ ବିରତି ନେଇ ଭାରତ ସରକାର ଘୋଷଣା କରିବା ଆଗରୁ ଆମେରିକା ରାଷ୍ଟ୍ରପତି କେମିତି ଘୋଷଣା କଲେଏହାର ସ୍ପଷ୍ଟତା ମୋଦି ରଖନ୍ତୁ। ସେପଟେ ବିଜେପି ଏହାର କଡ଼ା କାଉଣ୍ଟର କରିଛି। ପ୍ରଧାନମନ୍ତ୍ରୀ ମୋଦି ଯାହା କହିଥିଲେ, ତାହା କରିଛନ୍ତି। ପାକିସ୍ତାନ ଭଳି ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭିତରେ ପଶି ଭାରତୀୟ ସେନା ୧୧ଟି ବାୟୁସେନା ଘାଟି ଉଡ଼ାଇଲା। ଏହା ଛୋଟ କଥା ନୁହେଁ। ଶହେରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କଲା। ସିନ୍ଧୁ ନଦୀ ଜଳଚୁକ୍ତିକୁ ଏବେ ସ୍ଥଗିତ ରଖାଯାଇଛି। ଜଳଚୁକ୍ତି ସ୍ଥଗିତ ରଖିବାର ଅର୍ଥ ହେଉଛି, ପାକ୍ ଅର୍ଥନୀତି ଉପରେ କଡ଼ା ପ୍ରହାର। ୨୦ ରାଷ୍ଟ୍ର ସହ ମୋଦି ସିଧାସଳଖ କଥାବାର୍ତ୍ତା କରିଥଲେ। ଭାରତର ଆତଙ୍କ ବିରୋଧୀ ଅଭିଯାନକୁ ସମସ୍ତେ ସମର୍ଥନ କରିଥିଲେ। ପାକିସ୍ତାନକୁ ଏକୁଟିଆ କରିଦିଆଗଲା। ପାକିସ୍ତାନକୁ ଦୁର୍ବଳ କରିଦେଲେ ମୋଦି। ଭାରତ-ପାକିସ୍ତାନ ଭିତରେ ଆମେରିକା ଭଳି ତୃତୀୟ ପକ୍ଷର ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ବିରୋଧୀ। ସରକାର ବି ଏହା ସପକ୍ଷରେ ନାହାନ୍ତି। ତା ହେଲେ ପ୍ରଶ୍ନ ଉଠୁଛି, ଆମେରିକା କେଉଁ ବଳରେ ନିଜର ହସ୍ତକ୍ଷେପ ବଳରେ ହିଁ ଯୁଦ୍ଧବିରତି ହେଲା ବୋଲି କହିବାକୁ ଆଗେଇଆସିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *