ଗାଜା ପାଇଁ ସିଜ୍‌ଫାୟାର ପ୍ଲାନ- ହମାସକୁ ୭୨ ଘଣ୍ଟାର ଅଲଟିମେଟମ୍

ଗାଜା ପାଇଁ ଟ୍ରମ୍ପଙ୍କ ପିସ୍ ପ୍ଲାନ୍। ହମାସ-ଇସ୍ରାଏଲ ଯୁଦ୍ଧ ଭିତରେ ଗାଜା ପାଇଁ ୨୦ ସୂତ୍ରୀ ପ୍ଲାନ୍ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ୍। ଗାଜା ଯୁଦ୍ଧ ସମାପ୍ତ କରିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଗାଜାରେ ଶାନ୍ତି ଆଣିବାକୁ ଟ୍ରମ୍ପ ଦେଇଥିବା ପ୍ରସ୍ତାବକୁ ଭାରତର ପ୍ରଧାନମନ୍ତ୍ରୀ ମୋଦି ସମର୍ଥନ କରିଛନ୍ତି। ଟ୍ରମ୍ପଙ୍କ ଯୋଜନାକୁ ମୋଦି ସ୍ୱାଗତ କରି ଭାରତର ପୂର୍ଣ୍ଣ ସମର୍ଥନ ଥିବା କହିଛନ୍ତି। ଆଉ ୮ଟି ଦେଶ ବି ଟ୍ରମ୍ପଙ୍କ ଗାଜା ପିସ୍ ପ୍ଲାନକୁ ସମର୍ଥନ କରିଛନ୍ତି। ଏଥିରେ ମୁସଲିମ ରାଷ୍ଟ୍ର କତାର, ଜୋର୍ଡାନ, ୟୁଏଇ, ଇଣ୍ଡୋନେସିଆ, ପାକିସ୍ତାନ, ତୁର୍କୀ, ସାଉଦି ଆରବ ଓ ମିସ୍ତ୍ର ପ୍ରମୁଖ ଟ୍ରମ୍ପଙ୍କ ଏହି ପ୍ରୟାସକୁ ସମର୍ଥନ କରିଛନ୍ତି। ଏହି ୨୦ ସୂତ୍ରୀ ଯୋଜନା ହେଲା- ୭୨ ଘଣ୍ଟା ଭିତରେ ସମସ୍ତ ଜୀବିତ ଓ ମୃତ ବନ୍ଧକଙ୍କୁ ମୁକ୍ତ କରାଯିବ। ଗାଜାରେ ଅସ୍ଥାୟୀ ସରକାର ଗଠନ ହେବ। ଗାଜା ଉପରେ ଆଉ ଇସ୍ରାଏଲର ନିୟନ୍ତ୍ରଣ ରହିବନି। ଗାଜା ପାଇଁ ବୋର୍ଡ ଅଫ୍ ପିସ୍ ର ଅଧ୍ୟକ୍ଷତା କରିବେ ଟ୍ରମ୍ପ। ଏଥିରେ ଇସ୍ରାଏଲ ବି ସହମତି ପ୍ରକାଶ କରିଛି। କେବଳ ହମାସର ସହମତିକୁ ଅପେକ୍ଷା କରାଯାଇଛି। ଯଦି ଗାଜା ପ୍ଲାନ୍ ପ୍ରସ୍ତୁତ ହୋଇପାରିବନି, ତାହେଲେ ହମାସକୁ ସମାପ୍ତ କରିବାକୁ ଇସ୍ରାଏଲକୁ ଆମେରିକା ସମର୍ଥନ କରିବ ବୋଲି କହିଛନ୍ତି ଟ୍ରମ୍ପ୍। ହମାସକୁ ନିରସ୍ତ୍ରିକରଣ, ଇସ୍ରାଏଲ ସୈନିକଙ୍କ ପ୍ରତ୍ୟାବର୍ତ୍ତନ ଓ ଗାଜାରେ ଯୁଦ୍ଧବିରାମ ଶାସନ ପାଇଁ ଶାନ୍ତି ବୋର୍ଡ ଗଠନ ଭଳି ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ଲାନ ହୋଇଛି। ଟ୍ରମ୍ପ ଓ ନେତାନ୍ୟାହୁ ହ୍ୱାଇଟ୍ ହାଉସରେ ଏକାଠି ହୋଇ ପ୍ରେସମିଟରେ ଏ କଥା ରଖିଛନ୍ତି। ୨୦ ସୂତ୍ରୀ ଯୋଜନାର ମହତ୍ତ୍ୱପୂର୍ଣ ଦିଗ ଭିତରେ ରହିଛି, ପ୍ରତି ବନ୍ଧକଙ୍କ ବଦଳରେ ଇସ୍ରାଏଲ ୧୫ ଗାଜାବାସୀଙ୍କୁ ମୁକ୍ତ କରିବ। ହମାସ କଏଦୀଙ୍କୁ ମୁକ୍ତ କରିବ ଇସ୍ରାଏଲ। ଗାଜାକୁ ସଶସ୍ତ୍ର ବଳ କବଳରୁ ମୁକ୍ତ କରାଯିବ। ଏମାନେ ଯେମିତି ପଡୋଶୀ ଦେଶ ଲାଗି ଭବିଷ୍ୟତରେ କୌଣସି ବିପଦ ହେବେନି। ଗାଜାର ପୁନଃନିର୍ମାଣ କରାଯିବ। ଏଥିଲାଗି ନିବେଶ କରିବାକୁ ଚାହୁଁଥିବା ଦେଶକୁ ପ୍ରୋତ୍ସାହନ ମିଳିବ। ଯେଉଁଠି ନାଗରିକଙ୍କ ଉତ୍ତମ ଜୀବିକା ଓ ଜୀବନକୁ ପ୍ରାଥମିକତା ଦିଆଯିବ। ହମାସର ଯେଉଁ ସଦସ୍ୟ ଅସ୍ତ୍ରଶସ୍ତ୍ର ଛାଡ଼ିବେ ଆଉ ଅହିଂସାର ବାଟ ବାଛିବାକୁ ଶପଥ ନେବେ, ସେମାନଙ୍କୁ କ୍ଷମା କରାଯିବ। ଯିଏ ଗାଜା ଛାଡ଼ିବାକୁ ଚାହିଁବେ, ସେମାନଙ୍କୁ ସୁରକ୍ଷିତ ଭାବେ ଯିବାକୁ ଦିଆଯିବ। ଗାଜାକୁ ସହଯୋଗର ହାତ ବଢ଼ାଯିବ। ବିଜୁଳି, ଇନ୍ଧନ, ହସ୍ପିଟାଲ ସେବା, ଖାଦ୍ୟ ଉତ୍ପାଦନ, ଅବଶିଷ୍ଟାଂଶ ହଟାଇବା ଓ ଭଲ ରାସ୍ତା ଉପଲବ୍ଧ କରାଯିବ। ଗାଜାରେ ରାଫା କ୍ରସିଂକୁ ନୂଆ ସର୍ତ୍ତ ସହ ଖୋଲାଯିବ। ଅସ୍ଥାୟୀ ଶାନ୍ତିବୋର୍ଡ ଓ ଅସ୍ଥାୟୀ ସରକାରରେ ହମାସ କି ଅନ୍ୟ ଗୋଷ୍ଠୀ ଶାସନର କୌଣସି ପ୍ରକାର ପ୍ରତ୍ୟକ୍ଷ କି ପରୋକ୍ଷ ହସ୍ତକ୍ଷେପ ରହିବନି। ନିବେଶକଙ୍କୁ ପ୍ରୋତ୍ସାହିତ କରିବାକୁ ଅନ୍ତରାଷ୍ଟ୍ରୀୟ ମଡେଲକୁ ଅନୁପାଳନ କରାଯିବ। ଅନୁକୂଳ ଟାରିଫ୍ ଓ ବଜାର ପହଞ୍ଚାଇବାକୁ ସ୍ୱତନ୍ତ୍ର ବ୍ୟାପାର କେନ୍ଦ୍ର ସ୍ଥାପନ କରାଯିବ। ସୁଡ଼ଙ୍ଗ ଓ ହତିଆର ତିଆରି ସୁବିଧା ସମେତ ସମସ୍ତ ସୈନ୍ୟ ଓ ଆତଙ୍କବାଦୀ ଢାଞ୍ଚାକୁ ନଷ୍ଟ କରିଦିଆଯିବ। ଏ ସମସ୍ତ ସୁଧାର ପରେ ଫିଲିସ୍ତିନି ସମ୍ପୂର୍ଣ୍ଣ ଭାବେ ରାଜନୀତିକ ଓ ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ।ଗାଜାର ନକ୍ସା ବି ପରିବର୍ତ୍ତନ କରିଦେଇଛନ୍ତି ଟ୍ରମ୍ପ। ଏହି ନକ୍ସା ଅନୁସାରେ ଏଣିକି ଗାଜା ଓ ଇସ୍ରାଏଲ ଭିତରେ ସର୍ବଦା ଏକ ବଫର ଜୋନ୍ ରହିବ। ଏହାର ଅର୍ଥ ଏହି ଜୋନ୍ ବା ସୀମା ଡେଇଁ ନା ଇସ୍ରାଏଲ ସେନା ଯିବେ ନା ଫିଲିସ୍ତିନ ଲୋକ ଆସିପାରିବେ। ସୋମବାର ଶାନ୍ତି ପ୍ଲାନ୍ ଲାଗି ଯୋଜନା ଚାଲିଥିବା ବେଳେ ଇସ୍ରାଏଲ ଆକ୍ରମଣରେ ଗାଜାରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଇସ୍ରାଏଲ-ହମାସ ଯୁଦ୍ଧରେ ଏଯାବତ ୬୬ହଜାରରୁ ଅଧିକ ପାଲେଷ୍ଟିଆନଙ୍କ ମୃତ୍ୟୁ ହେଲାଣି। ଦେଢ଼ ଲକ୍ଷରୁ ଅଧିକ ଆହତ ହୋଇଛନ୍ତି। ଅକ୍ଟୋବର ୭, ୨୦୨୩ରୁ ଏହି ଯୁଦ୍ଧ ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *