ଇସ୍ରାଏଲ-ଇରାନ ଭିତରେ ଯୁଦ୍ଧ ବିଭୀଷିକା। ଜୁନ୍ ୧୩ ସକାଳେ ଇସ୍ରାଏଲ ସେନା ଆଗ ଇରାନ ଉପରେ ଆକ୍ରମଣ କରିଥିଲା। ଯାହାକୁ ଅପରେସନ ରାଇଜିଂ ଲାୟନ ନାଁ ଦିଆଯାଇଛି। ଏହି ଅପରେସନରେ ୨ଶହରୁ ଅଧିକ ଫାଇଟର ଜେଟ୍ ଜରିଆରେ ଶହେରୁ ଅଧିକ ଇରାନର ଠିକଣାକୁ ଟାର୍ଗେଟ କରିଥିଲା ଇସ୍ରାଏଲୀ ସେନା। ଅଧିକାଂଶ ଇରାନର ପରମାଣୁ ଓ ସେନା ଠିକଣା ସାମିଲ ଥିଲା। ଆଉ ଜବାବରେ ଅପରେସନ ଟ୍ରୁ ପ୍ରୋମିସ-୩ ନାଁରେ ଇରାନ ବି ପାଲଟା ଆକ୍ରମଣ କରିଥିଲା। ଇସ୍ରାଏଲର ପ୍ରମୁଖ ସହରକୁ ଟାର୍ଗେଟ କରିଥିଲା। ସ୍ଥିତି ଏମିତି ହୋଇଛି ଯେ, ଏକ ବଡ଼ ଯୁଦ୍ଧକୁ ଏହା ଇଙ୍ଗିତ କରିସାରିଲାଣି। ଇସ୍ରାଏଲ ଓ ଇରାନ ଭିତରେ ଚାଲିଥିବା ଏହି ଯୁଦ୍ଧ କେବଳ ଭୂମି ରାଜନୀତିକ ଉତ୍ତେଜନା ନୁହେଁ। ବରଂ ଧର୍ମର ବି ଲଢ଼େଇ କୁହାଯାଉଛି। ଦୁଇ ଦେଶ ନିଜ ନିଜର ଧାର୍ମିକ ପ୍ରତୀକ ଓ ମାନ୍ୟତାର ଆଳ ନେଇ ଏଭଳି ସଂଘର୍ଷକୁ ବୈଚାରିକ ଆଧାର ଦର୍ଶାଇବାରେ ଲାଗିଛନ୍ତି। ଇସ୍ରାଏଲ ନିଜକୁ ୟୁହିଦିଙ୍କ ପବିତ୍ର ଭୂମି କହି ୟେରୁସେଲମ ଭଳି ଧାର୍ମିକ ସହର ଉପରେ ନିଜର ହକ୍ ଜାହିର କରୁଛି। ସେପଟେ ଇରାନ ନିଜକୁ ମୁସଲିମଙ୍କ ପବିତ୍ର ଭୂମି କହି ଇସଲାମ ମାନ୍ୟତା ଓ ଏକତାର ଆଢୁଆଳରେ ମୁସଲିମ ଦେଶକୁ ଇସ୍ରାଏଲ ବିରୁଦ୍ଧରେ ଉସୁକାଉଛି। ଟ୍ରୁ ପ୍ରୋମିସର ଅର୍ଥ ସତ ପ୍ରତିଶୃତି। ଇଶ୍ୱର ସମସ୍ତ ମଣିଷକୁ ସେମାନଙ୍କ କର୍ମ ଆଧାରରେ ହିସାବ ନିଅନ୍ତି। ନିଜର ଅନ୍ତିମ ନ୍ୟାୟର ଦିନ ବି କୁହାଯାଏ। ଇରାନ ଏହି ନାଁକୁ ନିଜର ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ବ୍ୟବହାର କରେ। ଇରାନ ନଜରରେ ଏହା ନ୍ୟାୟ ଓ ପ୍ରତିଶୋଧର ପ୍ରତୀକ ଅଟେ। ଇସ୍ରାଏଲ ବିରୁଦ୍ଧରେ ଇରାନର ଏହା ତୃତୀୟ ପ୍ରତ୍ୟକ୍ଷ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଅଟେ। ଏପ୍ରିଲ ୨୦୨୪ ଓ ଅକ୍ଟୋବର ୨୦୨୪ରେ ଟ୍ରୁ ପ୍ରୋମିସ-୧ ଓ ୨ ହୋଇସାରିଛି। ଏହାର ମୁଖ୍ୟ ଲକ୍ଷ୍ୟ ଇସ୍ରାଏଲର ସୈନିକ ଓ ଗୁଇନ୍ଦା ଠିକଣାକୁ ଆକ୍ରମଣ। ଆଉ ଅପରେସନ ରାଇଜିଂ ଲାୟନ ନାଁ ବାଇବେଲରୁ ଆସିଛି। ଏହାର ଅର୍ଥ ଲୋକେ ଏକ ବଡ଼ ସିଂହ ଭଳି ଉଠିବେ ଆଉ ଜଣେ ଜବାନ ସିଂହ ଭଳି ନିଜକୁ ଉଚ୍ଚକୁ ଉଠାଇବ। ସେପର୍ଯ୍ୟନ୍ତ ଶୋଇବନି, ଯେପର୍ଯ୍ୟନ୍ତ ନିଜର ଶୀକାରକୁ ଖାଇନି। ଆଉ ମରିଥିବା ଲୋକଙ୍କ ରକ୍ତ ପିଇନି। ଏହି ଅପରେସନ ଏକ ଭବିଷ୍ୟବାଣୀ ସହ ଜଡ଼ିତ। ଏହାକୁ ଇସ୍ରାଏଲର ଶକ୍ତି ଓ ସାମର୍ଥ୍ୟ ସହ ତୁଳନା ଏମିତି ସିଂହ ସହ କରାଯାଇଛି। ଯାହାର ଭୋକ ମେଣ୍ଟିବା ନ ଯାଏ ସେ ଆରାମ କରେନା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲର ଅସ୍ତିତ୍ୱ ରକ୍ଷା ପାଇଁ ଇରାନ ବିରୁଦ୍ଧରେ ଏହା ସୈନିକ କାର୍ଯ୍ୟାନୁଷ୍ଠାନ। ଯେପର୍ଯ୍ୟନ୍ତ ବିପଦ ସରିନି, ସେପର୍ଯ୍ୟନ୍ତ ଅପରେସନ ଜାରି ରହିବ। ଇରାନ ପାଇଁ ପରମାଣୁ ବୋମା ତିଆରି କରୁଥିବା ବୈଜ୍ଞାନିକଙ୍କୁ ଟାର୍ଗେଟ କରିଛି ଇସ୍ରାଏଲ। ବାଲିଷ୍ଟିକ ମିସାଇଲ କାର୍ଯ୍ୟକ୍ରମକୁ ବି ଟାର୍ଗେଟ ହୋଇଛି। ୬ ପରମାଣୁ ବୈଜ୍ଞାନିକ ମରିଛନ୍ତି। ଏହି ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି ଇରାନ। ଇରାନରେ ୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଇସ୍ରାଏଲରେ ଏତେ ବଡ଼ କ୍ଷତି ହୋଇନି ବୋଲି କୁହାଯାଉଛି। ଏହି ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ଆମେରିକାର ଏଥିରେ କୌଣସି ହାତ ନାହିଁ। ସେପଟେ ଭାରତର ଦୁଇ ରାଷ୍ଟ୍ର ସହ ଘନିଷ୍ଠତା ଓ ବନ୍ଧୁତା ସମ୍ପର୍କ ରହିଛି। ଇରାନ ଉପରେ ଇସ୍ରାଏଲ ଆକ୍ରମଣରେ ବୈଶ୍ୱିକ ବେପାର ଓ ଅନ୍ତରାଷ୍ଟ୍ରୀୟ ସମ୍ପର୍କ ବଦଳିପାରେ। ପଶ୍ଚିମ ଏସିଆରେ ଯୁଦ୍ଧର ଭୟ ବି ବଢ଼ିପାରେ। ଆମେରିକା ଇସ୍ରାଏଲ ସମର୍ଥନରେ ବାହାରିଥିଲା ବେଳେ ଋଷ ଓ ଚୀନ୍ ଇରାନ ପକ୍ଷରେ ବୟାନ ଦେଇଛି। ସଂଯୁକ୍ତ ରାଷ୍ଟ୍ର ଜରୁରୀକାଳୀନ ବୈଠକ ଡାକିଥିଲା। ଆମେରିକା ଇସ୍ରାଏଲର ପ୍ରମୁଖ ସହଯୋଗୀ। ମଧ୍ୟ-ପୂର୍ବରେ ୪୦ହଜାର ସୈନିକ ମୁତୟନ ଅଛନ୍ତି। ଯଦି ଇରାନ ଉପରେ ଆକ୍ରମଣ ହୁଏ, ତେବେ ଆମେରିକା ସାମିଲ୍ ହୋଇପାରେ। ଯିଏ ନାଟୋକୁ ବି ବାଧ୍ୟ କରିପାରେ। ଆସନ୍ତା ୭୨ ଘଣ୍ଟା ବେଶ୍ ମହତ୍ତ୍ୱପୂର୍ଣ୍ଣ। ଉଭୟ ଦେଶ ଭିତରେ ଶାନ୍ତି ପ୍ରତିଷ୍ଠା ଲାଗି ଯଦିଓ ପ୍ରୟାସ ଜାରି ରହିଛି। କିନ୍ତୁ ଉତ୍ତେଜନା ଥମିବାର ନାଁ ଧରୁନି। ଏହି ଦୁଇ ଦେଶ ଭିତରେ ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧକୁ ବି ଆମନ୍ତ୍ରଣ କରିପାରେ। ଯଦି ଏଥିରେ ଋଷ ଓ ଚୀନ୍ ଭଳି ରାଷ୍ଟ୍ର ହସ୍ତକ୍ଷେପ କରେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now