ଭାରତର ପ୍ରହାରକୁ ମାନିଲା ପାକିସ୍ତାନ- ଆତଙ୍କବାଦ ବିରୋଧୀ ଶୂନ୍ୟସହଶୀଳତାର ବାର୍ତ୍ତା ପହଞ୍ଚାଇବାକୁ ଭାରତର ସର୍ବଦଳୀୟ ଟିମ୍

ଭାରତର ମିସାଇଲ ମାଡରେ ପାକିସ୍ତାନର ଅନେକ ଏୟାରବେସ୍ ଧ୍ୱସ୍ତ ହୋଇଛି। ଏକଥା ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ୱାଜ ସରିଫ୍। ଅପରେସନ ସିନ୍ଦୂର ପାକିସ୍ତାନର ବିପୁଳ କ୍ଷତି କଲା। ଭାରତର ଆକ୍ରମଣରେ ବହୁ ଏୟାରବେସ୍ ଛାରଖାର ହୋଇଗଲା। ସବୁଠୁ ବେଶୀ କ୍ଷତି ହୋଇଛି ରାଓ୍ୱଲପିଣ୍ଡିସ୍ଥିର ନୁରଖାନ୍ ଏୟାରବେସର। ପାକିସ୍ତାନର ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା କାର୍ଯ୍ୟକ୍ରମରେ ସମ୍ୱୋଧନ ବେଳେ ଏ କଥା ସ୍ୱୀକାର କରିଛନ୍ତି ସରିଫ। କେମିତି ବିଳମ୍ୱିତ ରାତି ଅଢ଼େଇଟାରେ ଆର୍ମି ମୁଖ୍ୟ ମୁନିର ଏ ବାବଦରେ ତାଙ୍କୁ ସୂଚିତ କରିଥିଲେ, ସେ କଥା ବଖାଣିଛନ୍ତି ସରିଫ। ମିସାଇଲ୍ ମାଡ଼ କରି ନୁରଖାନ ଏୟାରବେସର ବିପୁଳ କ୍ଷତି ହୋଇଥିବା ଭାରତ ବାରମ୍ୱାର ଦାବି କରି ଏହାର ସାଟେଲାଇଟ୍ ଫଟୋ ସହ ପ୍ରମାଣ ବି ଦେଇଥିଲା। କିନ୍ତୁ ପାକିସ୍ତାନ ଏହାକୁ ଖଣ୍ଡନ କରିଚାଲିଥିଲା। ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି ବିଭିନ୍ନ ଆର୍ମି କ୍ୟାମ୍ପ ଯାଇ ସେନାର ମନୋବଳ ବୃଦ୍ଧି ସହ ପାକିସ୍ତାନର ଆତଙ୍କି ଆଡ୍ଡାକୁ ଧୂଳିସାତ୍ କରିଦିଆଗଲା, ସେ କଥା କହିଥିଲେ। ଶୁକ୍ରବାର ଗୁଜରାଟର ଭୁଜରେ ରାଜନାଥ ସିଂ କହିଥିଲେ, ବ୍ରହ୍ମୋସ୍ତ୍ର ପାକିସ୍ତାନକୁ ରାତିରେ ଦିନର ଭ୍ରମ ଦେଖାଇଥିଲା ଆଉ ଆଇନା ଦେଖାଇଦେଲା। ମାତ୍ର ୨୩ ମିନିଟରେ ଆତଙ୍କବାଦର ଅଜଗରକୁ ଦଳିଦେଲା ଭାରତୀୟ ସେନା। ପାକିସ୍ତାନ ଉପରେ ଭାରତର ମିସାଇଲ୍ ବର୍ଷାରେ ଏୟାରବେସ୍ ସମେତ ଆତଙ୍କି ଠିକଣା ଧ୍ୱସ୍ତ ହୋଇଯାଇଛି। ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ନେଇ ଭାରତ ସରକାର ଗଠନ କରିଛନ୍ତି ସର୍ବଦଳୀୟ ପ୍ରତିନିଧି ଟିମ୍। ପ୍ରତି ଟିମର ନେତୃତ୍ୱ ନେଉଛନ୍ତି ୭ ଜଣ ପ୍ରମୁଖ ନେତା। ୭ ସଦସ୍ୟ ବିଶିଷ୍ଟ ସର୍ବଦଳୀୟ ପ୍ରତିନିଧିମଣ୍ଡଳରେ କଂଗ୍ରେସର ଶଶୀ ଥରୁର, ବିଜେପିର ରବିଶଙ୍କର ପ୍ରସାଦ, ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ ଝା, ଡିଏମକେର କାନିମୋଝି କରୁଣାନିଧି, ଏନସିପି(ସିପି)ର ସୁପ୍ରିୟା ସୁଲେ ଓ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ସାମିଲ ଅଛନ୍ତି। ଏମାନେ ପ୍ରମୁଖ ସହଯୋଗୀ ଦେଶ ଗସ୍ତ କରିବେ। ୟୁଏନଏସସି ସଦସ୍ୟ ରାଷ୍ଟ୍ରକୁ ବି ସର୍ବଦଳୀୟ ପ୍ରତିନିଧି ଦଳ ଗସ୍ତ କରି ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ବାର୍ତ୍ତା ପହଞ୍ଚାଇବ। ପ୍ରତି ଟିମରେ ସାଂସଦ, ରାଜନୈତିକ ବ୍ୟକ୍ତିତ୍ୱ ଓ କୂଟନୀତିଜ୍ଞ ରହିଛନ୍ତି। ଏହି ଟିମ୍‌ର ସମନ୍ୱୟର କମାଣ୍ଡ ଧରିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି, ରାଜନୀତିକ ମତଭେଦ ଭୁଲି ଏଭଳି ଟିମ୍‌ ରାଷ୍ଟ୍ରୀୟ ଏକତାର ଶକ୍ତିଶାଳୀ ପ୍ରତିବିମ୍ୱ ଅଟେ। ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ କରିବାକୁ ରାଷ୍ଟ୍ରୀୟ ସହମତି ଓ ଦୃଢ଼ ଦୃଷ୍ଟିକୋଣକୁ ଏହା ପ୍ରଦର୍ଶିତ କରିବ। ମେ ୨୩ରୁ ଏହି ଗସ୍ତ ଆରମ୍ଭ ହୋଇ ୧୦ ଦିନ ଯାଏ ଚାଲିବ। ଆମେରିକା, ୟୁକେ, ୟୁଏଇ, ଦକ୍ଷିଣ ଆଫ୍ରିକା ଓ ଜାପାନ ସମେତ ପ୍ରମୁଖ ରାଷ୍ଟ୍ର ଗସ୍ତ କରିବ ଏହି ଟିମ୍। ଏଭଳି ଟିମରେ ଥିବା ନେତାଏ କହିଛନ୍ତି, ଯେତେବେଳେ ରାଷ୍ଟ୍ର ସ୍ୱାର୍ଥରେ କଥା, ସେତେବେଳେ ସବୁ କଥା ପଛରେ। ତେବେ କଂଗ୍ରେସ ଏହି ଟିମରେ ୪ ସାଂସଦ ଗୌରବ ଗୋଗୋଇ, ଆନନ୍ଦ ଶର୍ମା, ସୟେଦ ନାସିର ହୁସେନ ଓ ରାଜା ବ୍ରାରଙ୍କୁ ସାମିଲ୍ ନେଇ ଚିଠି କରିଥିଲା। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁଙ୍କୁ କଂଗ୍ରେସ ପକ୍ଷରୁ ଏହି ୪ଜଣଙ୍କ ନାଁ ଦେଇଥିଲେ। ତେବେ  ଆମେରିକା ଓ ୟୁରୋପରେ ଏହି ପ୍ରତିନିଧିଦଳକୁ ଶଶୀ ଥରୁର ଲିଡ୍ କରିବେ ବୋଲି ମୋଦି ସରକାର ଶଶୀଙ୍କୁ ଅନୁରୋଧ କରିଥିବା କୁହାଯାଉଛି।ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ଓ ଆତଙ୍କବାଦୀଙ୍କ ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତିର ବାର୍ତ୍ତା ପହଞ୍ଚାଇବାକୁ ଭାରତ ପଣ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *