ଠିକ୍ ଆଜିର ଦିନରେ ଗଣତନ୍ତ୍ରର ପବିତ୍ର ମନ୍ଦିର ସଂସଦ ଉପରେ ହୋଇଥିଲା ଆତଙ୍କି ଆକ୍ରମଣ। ଯାହାକୁ ଆଜି ୨୪ ବର୍ଷ ପୁରିଲା। ଡିସେମ୍ୱର ୧୩, ୨୦୦୧। ୫ ଆତଙ୍କବାଦୀ ସଂସଦର ଗେଟ୍ ନମ୍ୱର ୧୨ରେ ପଶି ଗୁଳି କରିଥିଲେ। ଗୁଳିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ଭିତରେ ସୁରକ୍ଷାକର୍ମୀ ଓ ସଂସଦର କର୍ମଚାରୀ ସାମିଲ ଥିଲେ। ଗେଟ୍ ନମ୍ୱର ୧୧ରେ ପାର୍କିଂ ଥିବା ଉପ ରାଷ୍ଟ୍ରପତିଙ୍କ କାରକେଡ୍ ଗାଡ଼ିକୁ ବି ଟାର୍ଗେଟ କରିଥିଲେ। ଜବାବରେ ଆତଙ୍କବାଦୀଙ୍କୁ ମାରିଥିଲେ ସୁରକ୍ଷାକର୍ମୀ। ଏହି ଆକ୍ରମଣ ପରେ ଭାରତ ଅପରେସନ ପରାକ୍ରମ ଆରମ୍ଭ କରିଥିଲା। ସୀମାରେ ବ୍ୟାପକ ସୈନିକ ମୁତୟନ ହୋଇଥିଲା। କିନ୍ତୁ ବିନା ଅପରେସନରେ ଯୁଦ୍ଧ ସମାପ୍ତ ହୋଇଥିଲା। ଏହି ଘଟଣା ଭାରତ- ପାକିସ୍ତାନ ସମ୍ପର୍କ ଓ ରାଷ୍ଟ୍ରୀୟ ନିରାପତ୍ତା ନୀତିରେ ନିର୍ଣ୍ଣାୟକ ମୋଡ଼ ପ୍ରମାଣିତ ହୋଇଥିଲା। ଏହି ଆକ୍ରମଣ କେବଳ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହ୍ୱାନ କରିନଥିଲା। ବରଂ ଭାରତର ସ୍ୱାଭିମାନକୁ ବଡ଼ ଆଘାତ ପହଞ୍ଚାଇଥିଲା। ଭାରତ ସରକାର ଏହି ଆକ୍ରମଣ ଲାଗି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଓ ଜୈସ-ଏ-ମହମ୍ମଦକୁ ଦାୟୀ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାର ପାକିସ୍ତାନକୁ ପାନେ ଦେବାକୁ ୧୯୭୧ରୁ ବି ବଡ଼ ସୈନ୍ୟ କାର୍ଯାନୁଷ୍ଠାନର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ତେବେ ପାକିସ୍ତାନର ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ପରଭେଜ ମୁସାରଫ ଆତଙ୍କି ଗୋଷ୍ଠୀ ଉପରେ ଆକ୍ସନ ନେବାକୁ କଥା ଦେବା ପରେ ସୀମାରୁ ୯ ମାସ ପରେ ସୈନ୍ୟଙ୍କୁ ଫେରାଇ ନେଇଥିଲେ ଭାରତ ସରକାର। ୧୯୯୯ କାର୍ଗିଲ ଯୁଦ୍ଧ ପରେ ଦୁଇ ଦେଶ ଭିତରେ ତିକ୍ତତା ଜାରି ଥିଲା। ଏହା ପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାନ୍ଧାର ହାଇଜାକ୍ କରିଥିଲେ। ଆତଙ୍କବାଦୀ ସଂସଦ ଆକ୍ରମଣ ଦିନ ଜାଲି ଆଇଡି ଓ କାରରେ ସଂସଦରେ ପଶିଥିଲେ। ଆଉ ଅନ୍ଧାଧୁନିଆ ଫାୟାରିଂ କରିଥିଲେ। ଗୃହ ମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ସଂସଦରେ କହିଥିଲେ, ଏହା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଆକ୍ରମଣ। ସଂସଦ ଇତିହାସରେ ଏହା ସବୁଠୁ ବଡ଼ ଦୁଃଖର ଦିନ। ଆଜିକା ଦିନରେ ଶହୀଦ ହୋଇଥିବା ସିଆରପିଏଫ ଜବାନ କମଲେଶ କୁମାରୀଙ୍କ କଥା କେମିତି ଭୁଲିହେବ। ନିଜର ବୀରତ୍ୱ ଲାଗି ପ୍ରଥମ ମହିଳା ଯିଏ, ମୃତ୍ୟୁପରେ ସର୍ବୋଚ୍ଚ ସମ୍ମାନ ଅଶୋକ ଚକ୍ର ପାଇଛନ୍ତି। କେବଳ ଓ୍ୱାକିଟକି ଧରି ଗେଟ୍ ନମ୍ୱର ୧ରେ ଜଗିଥିଲେ କମଲେଶ। ଆତଙ୍କବାଦୀଙ୍କ ପ୍ରବେଶ ପରେ ସେ ହିଁ ପ୍ରଥମେ ରେଡିଓରେ ସମସ୍ତଙ୍କୁ ଆଲର୍ଟ କରିଥିଲେ। ମୁକାବିଲା ବେଳେ ସେ ବି ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିଲେ। ତ୍ୟାଗ, ସମର୍ପଣ ଓ ସାହସିକତା ଲାଗି ଚିରସ୍ମରଣୀୟ ହୋଇ ରହିବେ କମଲେଶ। ଗୃହ ଭିତରେ ସଂସଦ ଆକ୍ରମଣରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଶୁକ୍ରବାର ନୀରବ ପ୍ରାର୍ଥନା କରାଯାଇଥିଲା।ସଂସଦ ଉପରେ ଆକ୍ରମଣର ୨୪ ବର୍ଷ ପୂର୍ତ୍ତି ଅବସରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ବଳିଦାନକୁ ସ୍ମରଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କୌଣସି ଆତଙ୍କବାଦ ଆକ୍ରମଣକୁ ଦୃଢ଼ ହସ୍ତରେ ଦମନ ଲାଗି ଭାରତ ସଂକଳ୍ପବଦ୍ଧ ବୋଲି ସନ୍ଦେଶ ଦେଇଛି ସଂସଦ।
Naxatra News is now on Whatsapp
Join and get latest news update delivered to you via whatsapp
Join Now