ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ୩୯ ମାସର ଯୁଦ୍ଧ ଅବସାନ ପାଇଁ ନୂଆ ଆଲୋଚନା ଆରମ୍ଭ ହୋଇଛି। ମେ ୧୯ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟରେ ଦୁଇ ଘଣ୍ଟିଆ ଫୋନ୍ କଥାବାର୍ତ୍ତା ପରେ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଦୁଇ ଦେଶ ତତ୍କାଳ ଅସ୍ତ୍ରବିରତି ଆଲୋଚନା ଆରମ୍ଭ କରିବେ। ପୁଟିନ୍ ବି କହିଛନ୍ତି ଯେ ସେ ଏକ ଶାନ୍ତି ସମ୍ମତି ପାଇଁ ମେମୋରାଣ୍ଡମ୍ ଉପରେ କାମ କରିବାକୁ ପ୍ରସ୍ତୁତ। ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କିଙ୍କ ସହ ଏକ ଉଚ୍ଚସ୍ତରୀୟ ଆଲୋଚନା ପ୍ରସ୍ତାବ ରଖିଛନ୍ତି। ଯେଉଁଠି ୟୁକ୍ରେନ,ଋଷ୍,ଆମେରିକା, ଏବଂ ୟୁରୋପୀୟ ଦେଶଗୁଡିକ ଅଂଶ ନେବେ। ଏହି ଆଲୋଚନା ସ୍ୱିଜରଲ୍ୟାଣ୍ଡ, ଭାଟିକାନ୍ କିମ୍ୱା ତୁର୍କୀରେ ହୋଇପାରେ। ଟ୍ରମ୍ପ କହିଛନ୍ତି, କିଛିଟା ଅଗ୍ରଗତି ହୋଇଛି। ତେବେ ପ୍ରକ୍ରିୟାଟି ଦୀର୍ଘ ହେବା ସମ୍ଭାବନା ରହିଛି ଓ କୌଣସି ସଠିକ ଅବଧି ନିର୍ଦ୍ଧାରିତ ହୋଇନାହିଁ। ଅସ୍ତ୍ରବିରତି ପାଇଁ ନୂଆ ଉଦ୍ୟମ ଆରମ୍ଭ ହୋଇଥିବାରୁ ଏହା ଶାନ୍ତି ପ୍ରତିଷ୍ଠା ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଉଭୟ ରାଷ୍ଟ୍ର ଭିତରେ ବିବାଦିତ ଅଞ୍ଚଳକୁ ନେଇ ଯେଉଁ ଯୁଦ୍ଧ ଚାଲିଛି, ତାହା ଏତେ ସହଜରେ ତୁଟିବ କି ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚାରୋଟି ବିବାଦିତ ଅଞ୍ଚଳରୁ ୟୁକ୍ରେନ୍ ସେନା ପଛକୁ ହଟିବାକୁ ଦାବି କରୁଛି ଋଷ୍। ଜେଲେନସ୍କି କହିଛନ୍ତି, ସେ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଋଷକୁ ଭରସା କରିହେଉନି। ଆମେରିକା ପକ୍ଷରୁ ଏକ ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଋଷ୍ ସେଥିପାଇଁ ସମ୍ମତି ଦେଇନାହିଁ। ୟୁରୋପୀୟ ନେତାମାନେ ଶାନ୍ତି ଉଦ୍ୟମକୁ ସମର୍ଥନ କରି ଋଷ ବିରୋଧରେ ନୂଆ ପ୍ରତିବନ୍ଧକ ଲାଗୁ କରିଛନ୍ତି। ଇସ୍ତାନବୁଲରେ ଦୁଇ ଦେଶର ମଧ୍ୟମ ସ୍ତରୀୟ ପ୍ରତିନିଧିମାନେ ମିଶି ନିଜ ନିଜ ପ୍ରସ୍ତାବ ଦେଇଛନ୍ତି ଓ ହଜାରେ ବନ୍ଦୀ ସେନା ପରସ୍ପର ଅଦଳବଦଳ କରିବା ଉପରେ ଚୁକ୍ତି କରିଛନ୍ତି। ତେବେ ଯୁଦ୍ଧ ଅବସାନ ପାଇଁ ଏପର୍ଯ୍ୟନ୍ତ କୌଣସି ଦୃଢ଼ ଚୁକ୍ତି ହୋଇନାହିଁ। କାରଣ ଶାନ୍ତି ବାର୍ତ୍ତା ବିଫଳ ହୋଇଥିଲା ଇସ୍ତାନବୁଲରେ। ଦୁଇ ପକ୍ଷ ଭିତରେ କେବଳ କଏଦୀଙ୍କ ଆଦାନପ୍ରଦାନ ଉପରେ ବୁଝାମଣା ହୋଇଥିଲା। ରବିବାର ବଡ଼ ଧରଣର ଆକ୍ରମଣ କରିଥିଲା ଋଷ। କିଭ୍ ଓ ଏହାର ଆଖପାଖ ଅଞ୍ଚଳରେ ଋଷ ସେନା ଏକା ସାଙ୍ଗରେ ୨୭୩ଟି ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରୁ ୮୮ଟି ଡ୍ରୋନକୁ ନଷ୍ଟ କରିଥିଲା ୟୁକ୍ରେନ। ୟୁକ୍ରେନର ଡିଫେନ୍ସ ସେଣ୍ଟରର ମୁଖ୍ୟ ଆନ୍ଦ୍ରିୟୁ କୋଓ୍ୱାଲେନକୋ କହିଛନ୍ତି, ଋଷ ସର୍ବଦା ଆପୋଷ ବାର୍ତ୍ତା ବେଳେ ହିଁ ଧମକାଇବାକୁ ଯୁଦ୍ଧର ଆଳ ନେଇଥାଏ। ରାଷ୍ଟ୍ରପତି ହେବା ପରେ ଦୁଇ ନେତାଙ୍କ ଭିତରେ ଏହା ତୃତୀୟ ସାର୍ବଜନୀକ କଥାବାର୍ତ୍ତା ଅଟେ। ଋଷ୍ ଏବେ ବି ୟୁକ୍ରେନର ୪ଟି କ୍ଷେତ୍ରକୁ ମାଗୁଛି। ମସ୍କୋ ଚାହୁଁଛି, ୟୁକ୍ରେନ କେବେ ବି ନାଟୋରେ ସାମିଲ ନ ହେଉ ଆଉ ନିଜର ସୈନିକ ତାକତକୁ ସୀମିତ କରୁ। ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧରେ ଏଯାବତ୍ ଲକ୍ଷାଧିକ ସୈନିକ ମଲେଣି। ଉଭୟ ରାଷ୍ଟ୍ରର ଅର୍ଥନୀତି ଉପରେ କଡ଼ା ପ୍ରହାର ହେଲାଣି।

Naxatra News is now on Whatsapp
Join and get latest news update delivered to you via whatsapp
Join Now