ଋଷ-ୟୁକ୍ରେନ ଯୁଦ୍ଧବିରତି: ଏକାଠି ବସିବେ ଟ୍ରମ୍ପ,ପୁଟିନ ଓ ଜେଲେନେସ୍କି

ଋଷ-ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ବନ୍ଦ ହେବ! ଆଲାସ୍କାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଅଢ଼େଇ ଘଣ୍ଟା ଧରି ବୈଠକ କରିଥିଲେ ଟ୍ରମ୍ପ। କିନ୍ତୁ ଯୁଦ୍ଧ ବନ୍ଦ ନେଇ ନା କୌଣସି ସହମତି ପାଇଥିଲା ନା କୌଣସି ଡିଲ୍ ହୋଇଥିଲା। କିନ୍ତୁ ଉଭୟ ସୁପରପାଓ୍ୱାର ରାଷ୍ଟ୍ର ମୁଖ୍ୟ ଶାନ୍ତିକୁ ସମର୍ଥନ କରିଥିଲେ। ମସ୍କୋରେ ପରବର୍ତ୍ତୀ ବୈଠକ ହେବ କହି ଟ୍ରମ୍ପକୁ ନିମନ୍ତ୍ରଣ ବି କରିଛନ୍ତି ପୁଟିନ୍। ବିନା ସିଜଫାୟାର ଓ ବିନା ଡିଲରେ ଉଭୟ ରାଷ୍ଟ୍ରପତି ଫେରିଯାଇଥିଲେ। କିନ୍ତୁ ବୈଠକରେ କିଛି ବଡ଼ ମୁଦ୍ଦା ନେଇ ସହମତି ପ୍ରକାଶ ପାଇଥିଲା। ଯାହାକୁ ସର୍ବସମ୍ମୁଖରେ ଖୁଲାସା କରିବାକୁ ଉଚିତ୍ ମଣିନାହାନ୍ତି ଟ୍ରମ୍ପ। ଆଉ ସେପଟେ ହ୍ୱାଇଟ୍ ହାଉସରେ ୟୁରୋପିୟାନ ୟୁନିଅନର ନେତାଙ୍କ ଉପସ୍ଥିତିରେ ଟ୍ରମ୍ପଙ୍କ ସହ ଜେଲେନେସ୍କିଙ୍କ ବୈଠକ ହୋଇଛି। ଆଉ ବୈଠକ ସରିବା ପରେ ଟ୍ରମ୍ପ୍‌ କହିଛନ୍ତି, ସିଜାଫାୟାର ଲାଗି କଥାବାର୍ତ୍ତା ଜାରି ରହିଛି। ଯୁଦ୍ଧକୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ହିଁ ଉସୁକାଇଥିଲେ। ଯୁଦ୍ଧ ବହୁ ପୂର୍ବରୁ ବନ୍ଦ ହୋଇପାରିଥାଆନ୍ତା। ପୁଟିନ୍ ବି ଯୁଦ୍ଧ ବନ୍ଦ ସପକ୍ଷରେ ଥିଲେ। ସେ ଶାନ୍ତି ଲାଗି କାମ କରୁଛନ୍ତି। ପୁଟିନଙ୍କ ସହ କଥା ହେବାକୁ ଜେଲେନେସ୍କି ବି ରାଜି ଅଛନ୍ତି। ପୁଟିନ ଆଲାସ୍କା ଆସିବା ସହଜ ନଥିଲା। ତା ସତ୍ତ୍ୱେ ସେ ତାଙ୍କ ଅନୁରୋଧ ରକ୍ଷା କରି ଆସିଲେ। ୟୁରୋପ ବାସୀ ବି ଶାନ୍ତି ଚାହାନ୍ତି। ଯୁଦ୍ଧ ସମୟ ଆସିଲେ ବନ୍ଦ ହେବ। ଥରେ ତ୍ରିପାକ୍ଷିକ ବୈଠକ ହେଲେ, ଯୁଦ୍ଧବିରତିର ଯଥେଷ୍ଟ ସମ୍ଭାବନା ରହିଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି କହିଛନ୍ତି, ତାଙ୍କର ଆବଶ୍ୟକତା ଅଧିକ ରହିଛି। ୟୁକ୍ରେନକୁ ସୁରକ୍ଷା ଜରୁରୀ। ଟ୍ରମ୍ପ- ଜେଲେନେସ୍କିଙ୍କ ଭିତରେ ହୋଇଥିବା ବୈଠକରେ ନାଟୋ ମହାସଚିବ ମାର୍କ ରୁଟ ଓ ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ଓ୍ୱାର୍ଣ୍ଣ ଡେର୍ ଲାୟନ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଜର୍ମାନୀ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲି ଓ ବ୍ରିଟେନ୍ ଶୀର୍ଷ ନେତା ଏହି ବୈଠକରେ ସାମିଲ୍ ହୋଇଥିଲେ। ଯୁଦ୍ଧ ରେକିବାକୁ ଋଷ୍ ଉପରେ ଚାପ ପକାଇବାକୁ ପଡ଼ିବ। କାରଣ ବୈଠକର ମୁଖ୍ୟ ମୁଦ୍ଦା ହେଉଛି, ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା। ଟ୍ରମ୍ପ ଓ ପୁଟିନଙ୍କ ଭିତରେ ହୋଇଥିବା ବୈଠକରେ ୟୁରୋପୀୟ ଦେଶର ନେତାଙ୍କୁ ସାମିଲ୍ କରାଯାଇନଥିଲା। ଏବେ ୟୁରୋପ ଚାହୁଁଛି, ୟୁକ୍ରେନ ଓ ପୁରା ମହାଦ୍ୱୀପକୁ ଋଷର ଆକ୍ରମଣରୁ ରକ୍ଷା କରିବାକୁ ଠୋସ୍ ରଣନୀତି ତିଆରି ହେଉ। ଏହି ନେତାଙ୍କ ଉଦେଶ୍ୟ ହେଉଛି, ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ମିଳୁ। ଭବିଷ୍ୟତରେ ଯେମିତି କୌଣସି ଶାନ୍ତି ବୁଝାମଣାକୁ କେହି ଭାଙ୍ଗିପାରିବେନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *