ଅର୍ଥନୀତି

୪୦ ମୋବାଇଲ କମ୍ପାନୀ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ମୋବାଇଲ କମ୍ପାନୀ ସରକାରଙ୍କୁ ଚୂନ ଲଗାଇବାରେ ବ୍ୟସ୍ତ। ବିଶେଷ କରି ଚାଇନା ମେଡ୍ ମୋବାଇଲ କମ୍ପାନୀ କଷ୍ଟମ ଡ୍ୟୁଟି ବାବଦରେ ହଜାର ହଜାର କୋଟି ଟଙ୍କା ଚୀନକୁ ଦେଉଛନ୍ତି। ଅଥଚ ଭାରତ ସରକାରଙ୍କୁ ନୁହେଁ। ଏଭଳି ପ୍ରାୟ ୪୦ରୁ ବେଶୀ କମ୍ପାନୀ ବିରୁଦ୍ଧରେ ଆଇନଗତ ଆକ୍ସନ ନେବା ଆରମ୍ଭ କରିଦେଲେଣି ସରକାର। ମୋବାଇଲ କମ୍ପାନୀଗୁଡିକର ଚାଇନା ପ୍ରୀତିକୁ ନେଇ ଭାରତ ସରକାର ଆଉ କ୍ଷତି ସହିବା ମୁଡରେ ନାହାନ୍ତି ବୋଲି ଆଜି ସଂସଦରୁ ସ୍ପଷ୍ଟ କରିଦେଇଛନ୍ତି।

ଭିଭୋ ଇଣ୍ଡିଆ, ଓପୋ, ଜିଓମି  ଭଳି ନାମୀଦାମୀ ମୋବାଇଲ କମ୍ପାନୀ ଚୀନ୍ ପ୍ରୀତିରେ ଉବୁଟୁବୁ। ଭାରତରେ ରହି ବେପାର କରୁଛନ୍ତି। କିନ୍ତୁ ଭାରତ ସରକାରଙ୍କୁ ଟିକସ ଫାଙ୍କୁଛନ୍ତି। ଏମାନଙ୍କୁ ରାଜସ୍ୱ ଗୁଇନ୍ଦା ବିଭାଗ ବା ଡିଆରଆଇ ନୋଟିସ୍ କରିଛି। କଷ୍ଟମ ଡ୍ୟୁଟି ବାବଦକୁ ହଜାର ହଜାର କୋଟି ଟଙ୍କା ଫାଙ୍କିଥିବା ଧରାପଡିଛି। ଏକା ଓପୋ ୪ହଜାର ୩୮୯ କୋଟି ଫାଙ୍କି ଥିଲା ବେଳେ ଭିଭୋ ଇଣ୍ଡିଆ ୨ହଜାର ୨୧୭ କୋଟି ଫାଙ୍କିଛି।  କାରଣ ଦର୍ଶାଅ ନୋଟିସ ପରେ ନାମକୁ ମାତ୍ର କିଛିଟା ଅର୍ଥ ଦେଇ ନୀରବ ବସିଯାଇଛନ୍ତି ଏ ସବୁ କମ୍ପାନୀ। ଓପୋ ମାତ୍ର ୪୫୦ କୋଟି ପୈଠ କରିଛି। ଜିଓମି ଉପରେ ୬୫୦ କୋଟି ଟଙ୍କାର କଷ୍ଟମ ଡ୍ୟୁଟି ବକେୟା ଗଡ଼ୁଛି। କିନ୍ତୁ ତିନି ତିନି ଥର ସୋ-କଜ୍ ପରେ ମାତ୍ର ୪୬ ଲକ୍ଷ ଜମା କରିଛି କମ୍ପାନୀ। ଆଉ ଭିଭୋ ମାତ୍ର ୬୦ କୋଟି ବାନ୍ଧିଛି। କେବଳ ଏ ତିନି ଚୀନ୍ ମୋବାଇଲ କମ୍ପାନୀ ନୁହେଁ, ଭିଭୋ ଗ୍ରୁପ ଦ୍ୱାରା ଗଠିତ ୧୮ଟି କମ୍ପାନୀ ଉପରେ ଇଡି ନଜର ରଖିଛି। ପ୍ରାୟ ୬୨ ହଜାର କୋଟି ଟଙ୍କା ଏହି ୧୮ କମ୍ପାନୀ ଜରିଆରେ ଭିଭୋ ଭାରତ ବାହାରେ ଥିବା ଏହାର ପ୍ୟାରେଣ୍ଟ କମ୍ପାନୀକୁ ପଠାଇଛି। ମୋଟ୍ ୪୮ କମ୍ପାନୀ ବିରୁଦ୍ଧରେ ତଦନ୍ତ ଚାଲିଛି।

ଚାଇନିଜ୍ ମୋବାଇଲ କମ୍ପାନୀର ଏଭଳି କଷ୍ଟମ ଡ୍ୟୁଟି ଓ ଲାଇସେନ୍ସ ବାବଦୀୟ ଅର୍ଥ ଫାଙ୍କିବାକୁ ନେଇ ସଂସଦରେ ଦଳମତ ନିର୍ବିଶେଷରେ ଉଦବେଗ ପ୍ରକାଶ ପାଇଛି। କଷ୍ଚମ ଆକ୍ଟ ଉଲ୍ଲଂଘନକାରୀ ଏଭଳି କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମତ ପ୍ରକାଶ ପାଇଛି। ଓଡ଼ିଶା ପରିପ୍ରେକ୍ଷୀରେ ବି କିଭଳି ଚାଇନିଜ ପ୍ରୋତ୍ସାହିତ ଡିଜିଟାଲ ଲୋନ୍ ଆପ୍ ନିଜର କାୟା ମେଲାଇଛି।  ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ଏହାକୁ ଡାଉନଲୋଡ କରି ଏହାର ଠକେଇରେ ପକାଇବାକୁ ଚକ୍ରାନ୍ତ ଚଲାଇଛି, ସେ ନେଇ ବି ସ୍ୱର ଉଠିଛି।

ତେବେ ଲୋନ୍ ଆପ୍ ରେ ଲୋକେ ଯେଭଳି ଠକେଇର ଶୀକାର ହେବେନି, ତାକୁ ନେଇ ଅର୍ଥ, ଗୃହ ଓ କର୍ପୋରେଟ ଆଫାୟର ମନ୍ତ୍ରାଳୟ ଏକାଠି କାମ କରୁଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। କେଉଁଠି ଗଳାବାଟ ପାଉଛନ୍ତି ଚାଇନିଜ ମୋବାଇଲ କମ୍ପାନୀଗୁଡିକ, ତାକୁ ଚିହ୍ନଟ କରାଯାଉଛି। କୌଣସି ପରିସ୍ଥିତିରେ ଏଠି ବେପାର ମେଲାଇ କଷ୍ଟମ ଡ୍ୟୁଟି ଓ ଲାଇସେନ୍ସ ବାବଦ ଅର୍ଥ ନ ଦେଇ ବିଭିନ୍ନ କମ୍ପାନୀ ଜରିଆରେ ଚୀନକୁ ପଠାଚାଲିଛି, ତାକୁ ସିରିୟସ ଭାବେ ନେଇଛନ୍ତି ସରକାର।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button