ଜିଏସଟି ସଂସ୍କାର- ସଞ୍ଚୟ ନା ସଂଶୟ

ଆଜିଠୁ ଲାଗୁ ହେଲା ଜିଏସଟିର ନୂଆ ଦର। ନବରାତ୍ରର ସୂର୍ଯ୍ୟୋଦୟରୁ ଅର୍ଥାତ୍‌ ଆଜିଠୁ ଦେଶବାସୀଙ୍କୁ ସଞ୍ଚୟ ଉପହାରର ପର୍ବ ଆରମ୍ଭ ହୋଇଛି। ଦରଦାମ୍ ହ୍ରାସ ସହ ନୂଆ ସୁଯୋଗ ସୃଷ୍ଟି ହୋଇଛି। ୩୫ଟି ବସ୍ତୁ ଉପରେ ଜିରୋ ଟିକସ ଲାଗୁ ହୋଇଛି। ୩୯୦ରୁ ଅଧିକ ବସ୍ତୁ ଉପରେ ଟିକସ ହ୍ରାସ ହୋଇଛି। ୨.୫ ଲକ୍ଷ କୋଟିର ସଞ୍ଚୟ ଦେଇଛି ଏହି ଜିଏସଟି ସଂସ୍କାର। ଏହି ନୂଆ ଦର ଲାଗୁରୁ ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ଲାଭ ମିଳିଛି। ଆତ୍ମନିର୍ଭର ଭାରତ ଉପରେ ଜୋର୍ ଦେଇ ଜିଏସଟିର ନୂଆ ଦର କେମିତି ଏହି ବର୍ଗକୁ ଫାଏଦା ଦେବ, ତାକୁ ନିଜେ ଆଜି ଅରୁଣାଚଳପ୍ରଦେଶର ଇଟାନଗରରୁ ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସ୍ୱଦେଶୀ ଜାଗରଣ ଓ ଆତ୍ମନିର୍ଭରତାର ଏହା ହେଉଛି ମୂହୂର୍ତ୍ତ। ସ୍ୱଦେଶୀ ଦୋକାନକୁ ପରିଦର୍ଶନ କରିବା ସହ ସ୍ୱଦେଶୀ ସାମଗ୍ରୀ କିଣି ଆତ୍ମନିର୍ଭରତାର ମନ୍ତ୍ର ଫୁଙ୍କିଛନ୍ତି ମୋଦି। ସ୍ଥାନୀୟ ଦୋକାନୀ, ଟିକସଦାତା, ଟ୍ରେଡର୍ସ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ମୋଦିଙ୍କ ଏହି ନିଷ୍ପତ୍ତି ଐତିହାସିକ। ୯୯ ପ୍ରତିଶତ ସାମଗ୍ରୀ ଉପରେ ଜିଏସଟିରେ ହ୍ରାସ କମ୍ ହେବ। ରୋଷେଇ, ଖାଇବାପିଇବା ସାମଗ୍ରୀ, ପଢ଼ା ସାମଗ୍ରୀରୁ ନେଇ ଟିଭି, କାର୍ ବା ସ୍କୁଟି ଉପରେ ବଡ଼ ସଞ୍ଚୟ ହେବ। ନାନା ଟିକସର ଜାଲରେ ଦେଶର ଜନତା ଓ ବେପାରୀ ଜୁଝୁଥିଲେ। ବିଜେପି ୭ ଦିନିଆ ଜିଏସଟି ସଞ୍ଚୟ ଉତ୍ସବ ପାଳନ କରୁଛି। ଓଡ଼ିଶା ବିଜେପି ସଭାପତି କହିଛନ୍ତି, ଯୁବ, ଗରିବ, ମହିଳା ଓ ଚାଷୀ ଉପକୃତ ହେବେ। ଦେଶର ଉତ୍ପାଦନ ବଢ଼ିବା ସହ ଆମଦାନୀ କମିବ। ଓଡ଼ିଶାର ପ୍ରାୟ ୨୦ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। କୋଇଲାରେ ଓଡ଼ିଶାର ଆୟ ବଢ଼ିବ। ବିରୋଧୀ ଦଳର କହିବା କଥା, ଗଲା ୮ ବର୍ଷ ଧରି ଜିଏସଟି ନାଁରେ ଯେମିତି ଦେଶକୁ ଲୁଟି ଲକ୍ଷ କୋଟି ଟଙ୍କା ନେଇଛନ୍ତି ସରକାର। ସେ ଟଙ୍କା ଜନତାଙ୍କ ଖାତାକୁ ଫେରାନ୍ତୁ ସରକାର। ସ୍ୱିଜରଲ୍ୟାଣ୍ଡର ଘଣ୍ଟା, ଜର୍ମାନୀର ପେନ୍, ଇଟାଲୀର ଚଷମା, ଆମେରିକାର ଫୋନ୍। ବିଦେଶୀ କାର, ହେଲିକେପ୍ଟର ଓ ବିମାନ ବ୍ୟବହାର କରୁଥିବା ମୋଦିଙ୍କ ମୁହଁରେ ସ୍ୱଦେଶୀ ଜ୍ଞାନ ବାଣ୍ଟିବା ଶୋଭା ପାଏନା। ମୋଦି ସରକାର ୨୦୧୭ରେ ଆଣିଥିବା ଜିଏସଟିକୁ ଗବ୍ବର ସିଂ ଟାକ୍ସ କହିଥିଲେ ରାହୁଲ। ବିମୁଦ୍ରୀକରଣ ପରେ ଏହା ଦେଶ ଲାଗି ବଡ଼ ଅର୍ଥନୈତିକ ଝଟକା। ସଞ୍ଚୟ ଉତ୍ସବ ନୁହେଁ,ନିଜ ଭୁଲ୍‌ ସୁଧାରିବାର ଉତ୍ସବର ନାଁ ଦେବା କଥା। ଜିଏସଟି ସଂସ୍କାରକୁ ନେଇ ସବୁଠି ଉତ୍ସବମୁଖର ପରିବେଶ। କପଡ଼ା, ଜୋତା, ଔଷଧ, ବୀମା ଓ ଅନ୍ୟାନ୍ୟ ସେବାକୁ ବଡ଼ ରିହାତି ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *