Kandhamalଅର୍ଥନୀତିଓଡ଼ିଶା

ଆନ୍ତର୍ଜାତିକ ସ୍ତରରେ ବଢୁଛି କନ୍ଧମାଳ ହଳଦୀର ଚାହିଦା, ଚାଷୀଙ୍କ ପାଇଁ ଖୁସି ଖବର

କନ୍ଧମାଳ: ଦିନକୁ ଦିନ ଜାତୀୟ ଓ ଆନ୍ତର୍ଜାତୀୟ ମାର୍କେଟରେ କନ୍ଧମାଳ ହଳଦୀର ଚାହିଦା ବଢିବାରେ ଲାଗିଛି । ଫଳରେ ହଳଦୀ ଚାଷୀ ମଧ୍ୟ ଆଗ ଅପେକ୍ଷା ଦି ପଇସା ଅଧିକ ପାଉଥିବାରୁ ବେଶ ଖୁସି ଅନୁଭବ କରିଛନ୍ତି । ଗୁଣବତା ଦୃଷ୍ଟିରୁ କନ୍ଧମାଳ ହଳଦୀକୁ ପ୍ରଥମେ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବାବେଳେ ପରେ ୨୦୨୧-୨୨ରେ ଏନଆଇପି ଆୱାର୍ଡ ମିଳିଛି । ଯାହାଫଳରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଚାହିଦା ବଢିଥିବା ଜଣାପଡିଛି । ହଳଦୀ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ମଧ୍ୟ ବଢିବାରେ ଲାଗିଛି । ଫଳରେ ଚଳିତ ବର୍ଷ ହଳଦୀ ଉତ୍ପାଦନ ମଧ୍ୟ ଢେର ବଢିଛି । ପ୍ରାୟ ୧୫ ଶହ ମେଟ୍ରିକ ଟନ ହଳଦୀ ଉତ୍ପାଦନ ହୋଇଥିବା ଜଣାପଡିଛି ।

୨୦୨୧-୨୨ରେ ଜିଲ୍ଲାରେ ୧୩ ହଜାର ୩୪୭ ହେକ୍ଟର ଜମିରେ ହଳଦୀ ଚାଷ ହୋଇଥିଲା । ବିଶେଷ କରି ଦାରିଙ୍ଗବାଡି, କ. ନୂଆଗାଁ, ରାଇକିଆ, ଜି. ଉଦୟଗିରି ଓ ଫିରିଙ୍ଗିଆ ଏପରି ୫ଟି ବ୍ଲକରେ ଅଧିକ ହଳଦୀ ଚାଷ ହେଉଥିବା ବେଳେ ଅନ୍ୟ ୭ଟି ବ୍ଳକରେ କମ ପରିମାଣର ହଳଦୀ ଚାଷ ହେଉଥିବା କସମର ସମ୍ପାଦକ ସଞ୍ଜିତ୍ ପଟ୍ଟନାୟକ କହିଛନ୍ତି ।କସମ ନିଜର ସୋସାଇଟି ମାଧ୍ୟମରେ ଜିଲ୍ଲାର ଅଧିକରୁ ଅଧିକ ଚାଷୀଙ୍କ ଠାରୁ ସେମାନଙ୍କ ଦୁଆରମୁହଁରୁ ନିର୍ଦ୍ଧାରିତ ମୂଲ୍ୟ କେଜି ପିଛା ୬୦ ଟଙ୍କା ମୂଲ୍ୟରେ ହଳଦୀ କିଣୁଥିବା ବେଳେ କିଛି ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସାୟୀ ମଧ୍ୟ ହଳଦୀ କିଣୁଛନ୍ତି । ହେଲେ ସେହି ବ୍ୟବସାୟୀମାନେ କମ ଦରରେ କିଣୁଥିବାରୁ ଚାଷୀ ଶୋଷଣର ଶୀକାର ହେଉଛନ୍ତି । ଉପଯୁକ୍ତ ମୂଲ୍ୟ ପାଇପାରୁନି ଚାଷୀ । ଏପଟେ ଅର୍ଥ ଅଭାବରୁ କସମ ସଂସ୍ଥା ଉତ୍ପାଦିତ ସବୁ ହଳଦୀ କିଣି ପାରୁନି । କସମ ପ୍ରାୟ ୧୫୦୦ ମେଟ୍ରିକ ଟନ୍ ହଳଦୀ କିଣିବ ବୋଲି କସମ ସଂପାଦକ ସଞ୍ଜିତ୍ ପଟ୍ଟନାୟକ କହିଛନ୍ତି । କସମର ଏକ ଅତ୍ୟାଧୁନୀକ ନିଜସ୍ୱ ହଳଦୀ ପ୍ରୋସେସିଂ ୟୁନିଟ ବନ୍ଧଗଡ଼ ଠାରେ ରହିଛି । ହଳଦୀଗୁଣ୍ଡ କେ.ଜି. ୧୧୦ ଟଙ୍କାରେ କସମ ବିକ୍ରୀ କରୁଛି ।

କସମ ସମ୍ପାଦକ ସଞ୍ଜିତ ପଟ୍ଟନାୟକ ଦୀର୍ଘ ୧୦ ବର୍ଷ ପାଖାପାଖି ହେବ ଦାୟୀତ୍ୱରେ ରହିବା ପରଠାରୁ ନିଷ୍ଠା ଓ ଆନ୍ତରିକତାର ସହ ଚାଷୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ଦିଗରେ କାର୍ଯ୍ୟ କରି ସଂସ୍ଥାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ଉନ୍ନତ ତଥା ଗଠନମୂଳକ ଚିନ୍ତାଧାରା, କାର୍ଯ୍ୟଶୈଳୀ, ନିଜର କାର୍ଯ୍ୟଦକ୍ଷତା, ବିଶେଷ ଜ୍ଞାନକୌଶଳ ଯୋଗୁଁ ତାଙ୍କ ସମୟରେ ହଳଦୀକୁ ଜିଆଇ ମାନ୍ୟତା ଓ ଏନଆଇପି ଆୱାର୍ଡ଼ ସହ ଅନେକ ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହୋଇଛି । ଆଗକୁ ହଳଦୀ ଚାଷୀ ଯେପରି ଅଧିକରୁ ଅଧିକ ମୂଲ୍ୟ ପାଇବା ସହ ଅନ୍ୟାନ୍ୟ ସହାୟତା ଯଥା ବୀମା, ବିନା ସୁଦ୍ଧରେ ହଳଦୀଚାଷୀଙ୍କୁ ଲୋନ୍ ପ୍ରଦାନ, ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷା ସୁବିଧା ଆଦି ଯେପରି ମିଳିବ ସେଥିପାଇଁ କସମ ସମ୍ପାଦକ ଉଦ୍ୟମ ଜାରୀ ରଖିଥିବା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button