ପ୍ରପର୍ଟି ଟାଇଟଲ ଆଳରେ ପଞ୍ଜୀକରଣକୁ ମନା କରିପାରିବେନି ସବରେଜିଷ୍ଟ୍ରାର : ସୁପ୍ରିମକୋର୍ଟ

ସବରେଜିଷ୍ଟ୍ରାର ନିଜର ସୀମା ଜାଣନ୍ତୁ। ରେଜିଷ୍ଟ୍ରେସନ ଆକ୍ଚ, ୧୯୦୮ କୌଣସି ରେଜିଷ୍ଟରିଂ ଅଥୋରିଟିଙ୍କୁ ଅଧିକୃତ କରିନି ଯେ, ସେ କୌଣସି ପଞ୍ଜୀକରଣକୁ ମନା କରିପାରିବେ। ଟ୍ରାନ୍ସଫର ଡକ୍ୟୁମେଣ୍ଟରେ ବିକ୍ରେତାଙ୍କ ଟାଇଟଲ ଡକ୍ୟୁମେଣ୍ଟ ଦାଖଲ ହୋଇନି କି ତାଙ୍କର ରେକର୍ଡ ପ୍ରମାଣିତ କରୁନି କହି ସବ-ରେଜିଷ୍ଟ୍ରାର ପଞ୍ଜୀକରଣକୁ ନାଁ କରିପାରିବେନି। ସୁପ୍ରିମକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି। ସେଥିଲାଗି ତାମିଲନାଡ଼ୁ ରେଜିଷ୍ଟ୍ରେସନ ରୁଲ୍ସରେ ଥିବା ୫୫ଏକୁ ଅସାମ୍ୱିଧାନିକ ବୋଲି କହି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ନିୟମ ୫୫(ଏ) ଅନୁସାରେ କୌଣସି ଦସ୍ତାବିଜର ରେଜିଷ୍ଟ୍ରେସନ କରିବାକୁ ଚାହୁଁଥିବା ବ୍ୟକ୍ତି ପୂର୍ବର ବିକ୍ରିଦଲିଲ୍ ପାଖରେ ରହିବା ଅନିର୍ବାର୍ଯ୍ୟ ଥିଲା। ଏଥିରୁ ସମ୍ପତ୍ତିର ମାଲିକାନା ପ୍ରମାଣପତ୍ର ହାସଲ କରିହେବ। ଯେ ପର୍ଯ୍ୟନ୍ତ ଏହି ନିୟମର ଅନୁପାଳନ ହୋଇନି, ସେ ପର୍ଯ୍ୟନ୍ତ ଦସ୍ତାବିଜକୁ ରେଜିଷ୍ଟ୍ରେସନ କରାଯିବନି। ଜଷ୍ଟିସ୍ ଅଭୟ ଓକା ଓ ଜଷ୍ଟିସ୍ ଉଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବିକ୍ରେତାଙ୍କ ପାଖରେ ମାଲିକାନା ହକ୍ ର ବୈଧ ଅଧିକାର ଅଛି କି ନାହିଁ, ତାକୁ ଯାଞ୍ଚ କରିବା ସବ-ରେଜିଷ୍ଟ୍ରାରଙ୍କ ଅଧିକାର ପରିସରଭୁକ୍ତ ନୁହେଁ। ଏହାକୁ ନିର୍ଣ୍ଣୟ କରିବାକୁ ସବ-ରେଜିଷ୍ଟ୍ରାରଙ୍କୁ ଅଧିକାର ଦିଆଯାଇନି।ସେଥିଲାଗି ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି ନେଇ ଅଧିକାରୀ ଏହାକୁ ରେଜିଷ୍ଟ୍ରେସନ କରିବେ। ଯଦି ସମସ୍ତ ପ୍ରକ୍ରିୟା ଅନୁପାଳନ ହୋଇଥିବ। ଟ୍ରାନ୍ସଫର ପ୍ରପର୍ଟିର ରେଜିଷ୍ଟ୍ରେସନ କରିବାକୁ ବାରଣ କରିପାରିବେନି ଅଧିକାରୀ। ବିକ୍ରେତାଙ୍କ ଟାଇଟଲ ସମ୍ୱନ୍ଧୀୟ ଦସ୍ତାବିଜ୍ ପ୍ରସ୍ତୁତ ହେଇନଥିଲେ କି ତାଙ୍କର ମାଲିକାନା ପ୍ରମାଣିତ କରୁନଥିଲେ ବି ରେଜିଷ୍ଟ୍ରେସନରେ କୌଣସି ପ୍ରତିବନ୍ଧକ ରହିବନି। ବିକ୍ରେତାଙ୍କ ପାଖରେ ସମ୍ପତ୍ତିର ଟାଇଟଲ ଅବା ଅଧିକାର ଅଛି କି ନାହିଁ। ଯେଉଁ ବଳରେ ସମ୍ପତ୍ତିକୁ ବିକିବାକୁ ଚାହୁଁଛନ୍ତି। ଯଦି ବିକ୍ରେତା ନିଜେ ସବ-ରେଜିଷ୍ଟ୍ରାରଙ୍କ ଆଗରେ ଉପସ୍ଥିତ ରହି ଏହା ତାଙ୍କର ସମ୍ପତ୍ତି ବୋଲି ସ୍ୱୀକାର କରୁଛନ୍ତି। ସେତେବେଳେ ଦସ୍ତାବିଜ୍ ରେଜିଷ୍ଟ୍ରେସନ ହେବା ଦରକାର। ମାମଲା ଥିଲା ଏମିତି। ଆବେଦନକାରୀ ଏକ ଅଣପଞ୍ଜୀକୃତ ଚୁକ୍ତିନାମା ବା ଓ୍ୱିଲ୍ ଆଧାରରେ ଏହାର ମାଲିକାନା ଦାବି କରି ନିଜ ନାଁରେ ସମ୍ପତ୍ତି ପଞ୍ଜୀକରଣ ଲାଗି ସବରେଜିଷ୍ଚ୍ରାରଙ୍କ ପାଖରେ ବିକ୍ରିଦଲିଲ୍ ଦାଖଲ କରିଥିଲେ। କିନ୍ତୁ ସବ-ରେଜିଷ୍ଟ୍ରାର ଏହାକୁ ରେଜିଷ୍ଟ୍ରେସନ କରିବାକୁ ବାରଣ କରିଥିଲେ। ସବ-ରେଜିଷ୍ଟ୍ରାର ଆଳ ନେଇଥିଲେ ଯେ, ବିକ୍ରେତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କ କଥା ଉଲ୍ଲେଖ ନାହିଁ। ଆଉ ବିକ୍ରେତା ୫୫ଏ ନିୟମ ଆଧାରରେ ଆବଶ୍ଯକ ହେଉଥିବା ଅଧିକାର ତଥା ମାଲିକାନା ସତ୍ତ୍ୱ ପ୍ରମାଣିତ କରିପାରୁନାହାନ୍ତି। ଏହା ବିରୁଦ୍ଧରେ ଆବେଦନକାରୀ ଆଗ ମାଡ୍ରାସ ହାଇକୋର୍ଟରେ ରିଟ୍ ପିଟିସନ ଦାଏର କରିଥିଲେ। ହାଇକୋର୍ଟରେ ହାରିଯାଇଥିଲେ। ତା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯଦିଓ ମାଡ୍ରାସ ହାଇକୋର୍ଟ ସ୍ୱୀକାର କରିଥିଲେ ଯେ, ୫୫ଏ ନିୟମରେ କୌଣସି ବୈଧାନିକ ଅଧିକାର ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *