
ସିନ୍ଧୁ ଜଳ ଚୁକ୍ତିନାମା ନିଲମ୍ୱନ ପରେ କାହାକୁ କେତେ କ୍ଷତି ହେବ। ପାକିସ୍ତାନର କେତେ ପାଣି ଅଟକାଇପାରିବ ଭାରତ। ସିନ୍ଧୁ ଷ୍ଟ୍ରାଇକରୁ କାହାର କେତେ କ୍ଷତି। ଏଭଳି ଆକଳନକୁ ନେଇ ଅନେକ କଥା କୁହାଯାଉଛି। ୧୯୬୫, ୧୯୭୧ ଓ କାଗଗିଲ ଯୁଦ୍ଧ ବେଳେ ବି ସିନ୍ଧୁ ନଦୀର ପାଣି ଅଟକାଇନଥିଲା ଭାରତ। ଭାରତ- ପାକିସ୍ତାନ ଭିତରେ ୧୯୬୦ରୁ ସିନ୍ଧୁ ଜଳ ଚୁକ୍ତିନାମା ଲାଗୁ ହୋଇଛି। ସିନ୍ଧୁ ନଦୀକୁ ପାକିସ୍ତାନର ଜୀବନରେଖା କୁହାଯାଏ। ପ୍ରାୟ ୨୧ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ପିଇବା ପାଣିର ଆବଶ୍ୟକତା ଏହା ମେଣ୍ଟାଏ। ସିନ୍ଧୁ ଓ ଏହାର ୪ଟି ଶାଖା ନଦୀ ଉପରେ ୨୧କୋଟି ପାକିସ୍ତାନୀ ନିର୍ଭର କରନ୍ତି। ପାକିସ୍ତାନର ୮୦ ପ୍ରତିଶତ କ୍ଷେତକୁ ପାଣି ଅର୍ଥାତ୍ ପ୍ରାୟ ୧୬ ମିଲିୟନ ହେକ୍ଟର ଜମିକୁ ସିନ୍ଧୁ ନଦୀରୁ ସିଞ୍ଚନ କରାଯାଏ। ପହଲଗାମ ଆତଙ୍କି ଆକ୍ରମଣ ପରେ ଭାରତ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ଯାଇ ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ କରିଦେଇଛି। ପାକିସ୍ତାନ ଉପରେ ହୋଇଥିବା ଏହି ଓ୍ୱାଟର ଷ୍ଟ୍ରାଇକ୍ ପାଇଁ ପାକିସ୍ତାନ ବି ଆକ୍ଟ ଅଫ ଓ୍ୱାର ଭାବେ ଏହାକୁ ବିବେଚନା କରି ଆବଶ୍ୟକସ୍ଥଳେ ଯୁଦ୍ଧ ଲାଗି ପ୍ରସ୍ତୁତ ରୁହ ବୋଲି ଭାରତକୁ ଧମକ ଦେଇଛି। ପାଣି ପାଇଁ ଦୁଇ ଦେଶ ଭିତରେ ମହାଭାରତ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ସିନ୍ଧୁ ଓ ଏହାର ଶାଖା ନଦୀ ଉପରେ ପାକିସ୍ତାନର ପ୍ରମୁଖ ସହର କରାଚି, ଲାହୌର, ମୁଲତାନ ନିର୍ଭରଶୀଳ ଅଟେ। କେବଳ ଏତିକି ନୁହେଁ। ନରବେଲା ଓ ମଙ୍ଗଳା ଭଳି ପାଓ୍ୱାର ପ୍ରୋଜେକ୍ଟ ବି ଏହି ନଦୀ ଉପରେ ନିର୍ଭର କରେ। ଭାରତ ପାଣି ଅଟକାଇଦେଲେ, ପାକିସ୍ତାନରେ ଖାଦ୍ୟ ଉତ୍ପାଦନ ହ୍ରାସ ପାଇବ। ଲକ୍ଷ ଲକ୍ଷ ଲୋକଙ୍କୁ ଭୋକର ସଂକଟ ସହ ଜୁଝିବାକୁ ପଡ଼ିପାରେ। ପାକିସ୍ତାନର ସହରୀ ପାଣିଯୋଗାଣ ବାଧାପ୍ରାପ୍ତ ହେବ। ବିଜୁଳି ଉତ୍ପାଦନ ଠପ୍ ହେବାର ଆଶଙ୍କା ରହିଛି। ଏମିତି ହେଲେ ପାକିସ୍ତାନର ଅନେକ ସହର ବ୍ଲାକଆଉଟ୍ ହେବାର ବିପଦ ଘନେଇବ। ପାକିସ୍ତାନରେ ସିନ୍ଧୁ, ଚିନାବ, ବୋଲନ, ଝେଲମ, ରାବି ସମେତ ଅନେକ ନଦୀ ବହୁଛି ସତ। କିନ୍ତି ସିନ୍ଧୁ ପାକିସ୍ତାନର ଜୀବନରେଖା। ତିବ୍ବତ ଓ କଶ୍ମୀର ଭିତରେ ଏହା ବୋହି ପାକିସ୍ତାନକୁ ଯାଇଛି। ନଦୀର ଅଧିକାଂଶ ଅଂଶ ପାକିସ୍ତାନରେ ଅଛି। ସିନ୍ଧୁ ଜଳ ଚୁକ୍ତିନାମା ଆଧାରରେ ପ୍ରତିବର୍ଷ ସିନ୍ଧୁଜଳ ଆୟୋଗର ବୈଠକ ବସେ। ଶେଷ ବୈଠକ ମେ ୨୦୨୨ରେ ଦିଲ୍ଲୀରେ ହୋଇଥିଲା। ଭାରତ-ପାକିସ୍ତାନ ଭିତରେ ପୂର୍ବ ନଦୀ ଉପରେ ଭାରତ ଓ ପଶ୍ଚିମ ନଦୀ ଉପରେ ପାକିସ୍ତାନକୁ ହକ୍ ଦିଆଯାଇଛି। ଏହାର ମଧ୍ୟସ୍ଥତା ବିଶ୍ୱବ୍ୟାଙ୍କ୍ କରିଥିଲା। ସନ୍ଧି ମୁତାବକ, ସିନ୍ଧୁ, ଝେଲମ ଓ ଚିନାବ ପଶ୍ଚିମ ନଦୀର ଅଂଶ ଭାବେ ଏହାକୁ ପାକିସ୍ତାନର ବୋଲି ବିବେଚନା କରାଯାଇଛି। ଯେବେକି ରାବି, ବ୍ୟାସ ଓ ସତଲଜକୁ ପୂର୍ବ ନଦୀ ଭାବେ ବିବେଚନା କରି ଏହାକୁ ଭାରତ ପାଇଁ କୁହାଯାଉଛି। ଚୁକ୍ତିନାମା ନିଲମ୍ୱନର ଅର୍ଥ ହେଉଛି କି, ଭାରତ ଏବେ ପଶ୍ଚିମ ନଦୀ ଅର୍ଥାତ୍ ଝେଲମ, ଚିନାବ ଓ ସିନ୍ଧୁ ନଦୀର ପାଣିକୁ ପାକିସ୍ତାନକୁ ବ୍ୟବହାର କରିବାକୁ ଦେବନି। ଭାରତର ପାଣି ରୋକିବା ନିଷ୍ପତ୍ତି ବିରୁଦ୍ଧରେ ପାକିସ୍ତାନ ବିଶ୍ୱବ୍ୟାଙ୍କର ହସ୍ତକ୍ଷେପ ଲୋଡ଼ିପାରେ। କାରଣ ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ ହିଁ ଚୁକ୍ତିନାମା ହୋଇଥିଲା। ଭାରତ ଯଦିଓ କହୁଛି, ପାଣି ଅଟକାଇନୁ। ଚୁକ୍ତିନାମାକୁ ସ୍ଥାୟୀ ଭାବେ ରଦ୍ଦ କରାଯାଇନି। କେବଳ ସନ୍ଧିକୁ ସାମୟିକ ରୋକ୍ ଲାଗିଛି। ଭାରତ ଏତେ ବଡ଼ ଆକ୍ସନ ନେବ ବୋଲି ପାକିସ୍ତାନର ଅନୁମାନ ବାହାରେ ଥିଲା। ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିବ, ସେ ପର୍ଯ୍ୟନ୍ତ ଭାରତ ଏହି ସନ୍ଧିକୁ ଲାଗୁ କରିବନି ବୋଲି ରୋକଠୋକ ଶୁଣାଇଦେଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now