ଆଜିଠୁ ୫୦ ପ୍ରତିଶତ ଟାରିଫ୍- କେଉଁ କ୍ଷେତ୍ର ହେବ ପ୍ରଭାବିତ?

ଆଜିଠୁ ଭାରତ ଉପରେ ଲାଗୁ ହେଲା ଟ୍ରମ୍ପଙ୍କ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍। ଋଷରୁ ତେଲ କିଣିବାରୁ ଭାରତ ଉପରେ ଟ୍ରମ୍ପ ଲଗାଇଥିବା ଅତିରିକ୍ତ ଟାରିଫ୍ ଆଜିଠୁ ଲାଗୁ ହୋଇଛି। କହିବାକୁ ଗଲେ ଭାରତ ଉପରେ ଆମେରିକାର ଟାରିଫ୍ ୫୦ ପ୍ରତିଶତ ହୋଇଗଲା। ଅଗଷ୍ଟ ୭ରେ ଭାରତ ଉପରେ ପାରମ୍ପରିକ ୨୫ ପ୍ରତିଶତ ଟାରିଫ୍ ଲାଗୁ ହୋଇଥିଲା। ୭୦ ଦେଶ ଉପରେ ବି ଏହା ଲାଗୁ ହୋଇଥିଲା। ଷରୁ କଚ୍ଚା ତେଲ କିଣୁଥିବାରୁ ଭାରତ ଉପରେ ଖପ୍ପା ଥିଲେ ଟ୍ରମ୍ପ। ସେଥିଲାଗି ଭାରତ ସାମଗ୍ରୀ ଉପରେ ଟାରିଫକୁ ଦୁଇ ଗୁଣା କରିବାକୁ ଘୋଷଣା କରିଥିଲେ। କିନ୍ତୁ ଆପୋଷ ବୁଝାମଣା ପାଇଁ ୨୧ଦିନର ମହଲତ ବି ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଦେଇଛନ୍ତି, ଚାଷୀ ଓ ଲଘୁ ଉଦ୍ୟୋଗର ହିତରେ କୌଣସି ବୁଝାମଣା କରିବେନି। ଯେତେ ଚାପ ପଡ଼ୁ ବା ଏହାର ପରିଣାମ ଯେତେ ବି ନକରାତ୍ମକ ହେଉ। ଭାରତ ଉପରେ ଚାପ ପଡ଼ିପାରେ। କିନ୍ତୁ ଏହାକୁ ଭାରତ ସହିଯିବ। ଟ୍ରମ୍ପ ଆଜି ପୁଣି କହିଛନ୍ତି, ଭାରତ ଉପରେ ଏତେ ଟାରିଫ୍ ଲଗାଇବୁ, ଭାରତ ଦୋହଲିଯିବ। ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ଲାଗି ସେ ମୋଦିଙ୍କୁ ଧମକ ଦେଇଥିଲେ। ଟ୍ରେଡ୍ ଡିଲ୍ ବନ୍ଦ କରିବା ନେଇ ମୋଦିଙ୍କୁ ଧମକ ଦେବାରୁ ମୋଦି ନଇଁଥିଲେ। ୪୭ ଅରବ ଡଲାରରୁ ଅଧିକ ମୂଲ୍ୟର ଉତ୍ପାଦ ଉପରେ ୫୦ ପ୍ରତିଶତ ଟାରିଫ ଲାଗୁ ହେବ। ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ଭାରତୀୟ ସାମଗ୍ରୀର ଦର ଆମେରିକା ବଜାରରେ ଅତ୍ୟଧିକ ହୋଇଯିବ। ବିଶେଷ କରି ସାମୁଦ୍ରିକ ଉତ୍ପାଦ ଅର୍ଥାତ ଚିଙ୍ଗୁଡ଼ି, ଅର୍ଗାନିକ କେମିକାଲ୍ସ, ମୁକ୍ତା, ଟେକ୍ସଟାଇଲ ମେଡ୍‌ ଅପ୍ସ, ହୀରା ଓ ସୁନା ଗହଣା, ମେସିନାରୀ, ମେକାନିକାଲ ଉପକରଣ, ଫର୍ଣ୍ଣିଚର ଭଳି ଆଇଟମ ଉପରେ ପ୍ରଭାବ ପଡ଼ିବ। ଫାର୍ମା, ସ୍ମାର୍ଟଫୋନ୍, ଅନ୍ୟ ଇଲେକଟ୍ରୋନିକ୍ସ ଓ ପେଟ୍ରୋଲିୟମ ଉତ୍ପାଦକୁ ୫୦ ପ୍ରତିଶତ ଶୁଳ୍କରୁ ମୁକ୍ତ ରଖାଯାଇଛି। କୃଷି, ଡାଏରୀ ଓ ମତ୍ସ୍ୟସମ୍ପଦ ଭଳି କ୍ଷେତ୍ରରେ ଭାରତୀୟ ବଜାରକୁ ପୁରା ଶୁଳ୍କ ମୁକ୍ତ କରିବାକୁ ଚାହୁଁଛି ଆମେରିକା। ତାମିଲନାଡ଼ୁର ତିରୁପୁରରେ ବଡ଼ ଧରଣର ଛଟେଇ, କାରଖାନା ବନ୍ଦ ଓ ହଜାର ହଜାର କୋଟି ଟଙ୍କାର କ୍ଷତିର ସାମ୍ନା କରିବାକୁ ପଡ଼ିପାରେ। ଏହି ଉଦ୍ୟୋଗୀ ସହରରେ ଭାରତର ଉତ୍ପାଦର ନିଟବିୟର ପ୍ରାୟ ୬୮ ପ୍ରତିଶତ ଅଟେ। ଏଥିରେ ପ୍ରାୟ ୧୦ଲକ୍ଷ ଲୋକ କାର୍ଯ୍ୟରତ ଅଛନ୍ତି। ଅନୁମାନ କରାଯାଉଛି, ପ୍ରାୟ ଦେଢ଼ ଲକ୍ଷ ଚାକିରୀ ଯିବ ଓ ୧୨ହଜାର କୋଟିର ରାଜସ୍ୱ ହାନୀ ହୋଇପାରେ। ନୋଏଡ଼ା, ସୁରଟରେ ବି କପଡ଼ା ବେପାରୀଙ୍କ ଉତ୍ପାଦନ ଉପରେ ଘୋର ପ୍ରଭାବ ପଡ଼ିଛି। ଗୋଟିଏ ପଟେ ଭାରତ ସରକାର ଭୋକାଲ ଫର୍ ଲୋକାଲ ଓ ଆତ୍ମନିର୍ଭରଶୀଳତା ଲାଗି ସ୍ୱଦେଶୀ ମନ୍ତ୍ରକୁ ଗୁରୁତ୍ୱ ଦେଉଛନ୍ତି। ଭାରତୀୟ ସାମଗ୍ରୀ କିଣିବାକୁ ଆହ୍ୱାନ କରୁଛନ୍ତି। ସେପଟେ ଟାରିଫ୍ ମାଡ଼ରେ ଦୋହଲିଗଲାଣି ବ୍ୟବସାୟ। ତିରୁପୁର, ନୋଏଡ଼ା, ସୁରାଟ, ବିଶାଖାପାଟଣା ଓ ଜୋଧପୁର ଭଳି ଉତ୍ପାଦନ କେନ୍ଦ୍ର ଏମିତିରେ ପୂର୍ବରୁ ଟ୍ରମ୍ପ ଟାରିଫ୍ ମାଡ଼ରେ ପ୍ରଭାବିତ ହୋଇଥିଲା। ଏଥିରେ ଉତ୍ପାଦନ ପ୍ରଭାବିତ ହୋଇଥିଲା। ଟାରିଫ୍ ମାଡ଼ରେ ଭାରତର ରପ୍ତାନୀ ତଳକୁ ଖସିପାରେ। ଭିଏତନାମ, ବାଂଲାଦେଶ, ଚୀନ, ତୁର୍କୀ, ଇଣ୍ଡୋନେସିଆ ଓ ମେକ୍ସିକୋ ଭଳି ପ୍ରତିଦ୍ୱନ୍ଦୀ ଦେଶକୁ ଫାଏଦା ମିଳିପାରେ। ଯାହାଙ୍କ ଉପରେ ଭାରତ ତୁଳନାରେ ବହୁ କମ୍ ଟାରିଫ୍ ଲାଗିଛି। ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଅତ୍ୟଧିକ ଶୁଳ୍କ ଲାଗିଲେ ମୁହଁ ଫେରାଇନେବେ ଗ୍ରାହକ। ଆଉ ଏଥିରୁ ଏ ସବୁ ଦେଶ ମଉକା ମାରିବାକୁ ଜଗି ବସିଛନ୍ତି। ଆମେରିକାର ଟାରିଫ ପ୍ରଭାବକୁ ମୁକାବିଲା କରିବାକୁ ଭାରତ ବି ଅଣ୍ଟା ଭିଡ଼ିଛି। ୨୫ହଜାର କୋଟି ଟଙ୍କାର ରପ୍ତାନୀ ମିଶନରେ କାମ କରୁଛି ଭାରତ। ଏଥିଲାଗି ମୁଦ୍ରାସ୍ଫୀତି, କପଡ଼ା ଓ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଜିଏସଟିରେ ପରିବର୍ତ୍ତନ, ଏସଇଜେଡ୍ ରେ ସଂଶୋଧନ, ବ୍ରାଣ୍ଡ୍ ଇଣ୍ଡିଆ ଆଧାରରେ ଗ୍ଲୋବାଲ ଇ-କମର୍ସ ଓ ଓ୍ୱେୟାରହାଉସିଂକୁ ପ୍ରୋତ୍ସାହନ ଦେବା ସାମିଲ୍ ଅଟେ। କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି, ଟ୍ରମ୍ପଙ୍କ ଟାରିଫ ବିରୁଦ୍ଧରେ କୌଣସି ଜବାବୀ କାର୍ଯ୍ୟାନୁଷ୍ଠାନ କରିବନି ଭାରତ। କିନ୍ତୁ ଭାରତର ରପ୍ତାନୀ ଓ ଚାକିରୀକୁ ରକ୍ଷା ଲାଗି ଉପଲବ୍ଧ ସାଧନର ବ୍ୟବହାର ହେବ। ଯେମିତିକି ନୀତିଗତ, ରାଜକୋଷ ଓ କୁଟନୀତିକ ସ୍ତର। ଆମେରିକା ଉପରେ ନିର୍ଭରଶୀଳତା କମ୍‌ କରିବାକୁ ୟୁରୋପୀୟ ସଂଘ, ବ୍ରିଟେନ୍ ଓ ଅନ୍ୟ ଦେଶ ସହ ମୁକ୍ତ ବ୍ୟାପାର ବୁଝାମଣା କରିବାକୁ ଆଗେଇ ଆସିଛି ଭାରତ। ୫୦ ପ୍ରତିଶତ ଟାରିଫ୍ ଲାଗୁ ପରେ କେଉଁ କ୍ଷେତ୍ରରେ କେତେ ଶୁଳ୍କ ବଢ଼ିଛି, ନଜର ପକାନ୍ତୁ। ମୋଟ୍ ୧୨ଟି କ୍ଷେତ୍ର ଅଧିକ ପ୍ରଭାବିତ ହେବ। ଚିଙ୍ଗୁଡ଼ିରେ ୬୦ ପ୍ରତିଶତ ଶୁଳ୍କ, କାର୍ପେଟ ଉପରେ ୫୨.୯, ମୁକ୍ତା ଉପରେ ୬୦ରୁ ୬୩.୯ ପ୍ରତିଶତ, ଟେକ୍ସଟାଇନ ମେଡଅପ ଉପରେ ୫୯ ପ୍ରତିଶତ, ହୀରା ଓ ସୁନା ଗହଣା ଉପରେ ୫୨.୧ ପ୍ରତିଶତ, ମେସିନାରୀରେ ୫୧.୩ ଓ ଫର୍ଣ୍ଣିଚର ଉପରେ ୫୨.୩ ପ୍ରତିଶତ ଶୁଳ୍କ ଲାଗିଛି। ଭାରତ ଏବେ ସବୁଠୁ ଅଧିକ ଟାରିଫ୍ ମାଡ଼ ସହୁଥିବା ଦେଶ ବ୍ରାଜିଲ୍ ସହ ସମକକ୍ଷ ହୋଇଯାଇଛି। ଭାରତୀୟ ସମୟ ଅନୁସାରେ ବୁଧବାର ସକାଳ ସାଢ଼େ ୯ରୁ ନୂଆ ଟାରିଫ୍ ଲାଗୁ ହୋଇସାରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *