ଟ୍ରମ୍ପଙ୍କ ଟାରିଫ୍ ଓ୍ୱାର- ଭାରତ ଉପରେ କି ପ୍ରଭାବ?

ଭଲ ବନ୍ଧୁ କହି କହି ଶେଷରେ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଦେଲେ ଟ୍ରମ୍ପ। ଏହା ଅଗଷ୍ଟ ପହିଲାରୁ ଲାଗୁ ହେବ। ଏହା ସହ ଭାରତ-ଋଷ ଭିତରେ ସମ୍ପର୍କକୁ ଆୟୁଧ କରି ଜରିମାନା ବି କଷିଦେଲେ। ପ୍ରତିରକ୍ଷା ସାମଗ୍ରୀର ବଡ଼ ଭାଗ ଓ ତେଲ ଋଷିଆରୁ କିଣୁଛି ଭାରତ। ଚୀନ୍ ସମେତ ଋଷରୁ ସବୁଠୁ ବଡ଼ ଆମଦାନିକାରୀ ସାଜିଛି ଭାରତ। ଯେତେବେଳେ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ଲାଗି ସମସ୍ତେ ଚାହୁଁଛନ୍ତି, ଏହି ଆଧାର ଦେଖିଲେ ଏଭଳି ବ୍ୟବସାୟ ଠିକ୍ ନୁହେଁ। ଏଥିଲାଗି ଭାରତକୁ ୨୫ ପ୍ରତିଶତ ଟାରିଫ୍ ଓ ଅତିରିକ୍ତ ଜରିମାନା ଦେବାକୁ ପଡ଼ିବ। ଭାରତ ଦୁନିଆର ସବୁଠୁ ଅଧିକ ଟାରିଫ୍ ଲଗାଇବା ଦେଶ ଅଟେ। ଭାରତ ଓ ଋଷ ନିଜର ମୃତ ଅର୍ଥବ୍ୟବସ୍ଥାକୁ ତଳିତଳାନ୍ତ କରିଦେଲେ ବି ତାଙ୍କୁ କୌଣସି ଫରକ ପକାଏନା ବୋଲି ରୋକଠୋକ କହିଦେଲେ ଟ୍ରମ୍ପ। ଆମେରିକା ଭାରତର ସବୁଠୁ ବଡ଼ ଏକ୍ସପୋର୍ଟ ମାର୍କେଟ ରହିଆସିଛି। ଗଲା ବର୍ଷ ଦୁଇ ଦେଶର ଦ୍ୱିପାକ୍ଷିକ ବ୍ୟବସାୟ ପ୍ରାୟ ୧୨୮ ଅରବ ଡଲାର ଥିଲା। କିନ୍ତୁ ଏହି ନୂଆ ଟାରିଫ ଘୋଷଣାରୁ ଉଭୟ ରାଷ୍ଟ୍ର ଭିତରେ ଜାରି ଥିବା ଟ୍ରେଡ୍ ଡିଲ୍ ଖତମ ହେବାକୁ ଯାଉଛି। କିନ୍ତୁ ଟାରିଫ ଘୋଷଣାର କିଛି ଘଣ୍ଟା ପରେ ଟ୍ରମ୍ପଙ୍କ ସ୍ୱର ବଦଳିଥିଲା। ଭାରତ ସହ କଥାବାର୍ତ୍ତା ଜାରି ରହିଛି ବୋଲି କହିଛନ୍ତି ଟ୍ରମ୍ପ। ଟ୍ରମ୍ପ୍‌ଙ୍କ ଟାରିଫ ବୃଦ୍ଧିକୁ ନେଇ ରାଜନୀତି ବି ଘମାସାନ ହୋଇଛି। ଭାରତ ସରକାର ଏହାର ଜବାବ ରଖିଛନ୍ତି। ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଭାରତ ଓ ଆମେରିକା ଗଲା କିଛି ମାସ ହେଲା ନିରପେକ୍ଷ, ସନ୍ତୁଳିତ ଓ ପାରସ୍ପରିକ ରୂପରେ ଲାଭକାରୀ ଦ୍ୱିପାକ୍ଷିକ ବ୍ୟାପାର ବୁଝାମଣା ହେବା ଲାଗି କଥାବାର୍ତ୍ତା ଜାରି ରହିଛି। ରାଷ୍ଟ୍ରୀୟ ହିତକୁ ସୁରକ୍ଷିତ ରଖିବାକୁ ଭାରତ ସରକାର ସବୁ ପ୍ରକାର ପଦକ୍ଷେପ ନେବେ। ଯେମିତି ବ୍ରିଟେନ୍ ସହ ବ୍ୟାପକ ଆର୍ଥିକ ଓ ବ୍ୟାପାର ବୁଝାମଣା ହୋଇଛି। ଏଭଳି ସମୟରେ ଟ୍ରମ୍ପଙ୍କ ଲାଗି ଆମେରିକାକୁ ପ୍ରଚାର ଲାଗି ଯାଇଥିବା ମୋଦିଙ୍କ ପୁରୁଣା ଭିଡ଼ିଓ ଭାଇରାଲ ହୋଇଛି। ଟ୍ରମ୍ପଙ୍କୁ ବନ୍ଧୁ ବୋଲି କହିଆସୁଥିବା ମୋଦିଙ୍କୁ ଆଜି ଟ୍ରମ୍ପ ଏମିତି କି ଉପହାର ଦେଲେ ବୋଲି ସମାଲୋଚନାର ସ୍ୱର ଶାଣିତ ହେଉଛି। ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ବଢ଼ୁଛି। ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ଜୀବନର ମାନ ବୃଦ୍ଧି ପାଉନି। ପ୍ରତିବର୍ଷ ଭାରତ ଛାଡ଼ୁଛନ୍ତି ଲୋକେ। ଅର୍ଥନୀତି ସୁଦୃଢ଼ ହେଲେ ନିଯୁକ୍ତି ବଢ଼ିବ। କିନ୍ତୁ ଏମିତି ପ୍ରତିବନ୍ଧକ ହେଲେ କେମିତି ଭାରତର ଅର୍ଥନୀତିରେ ସୁଧାର ଆସିବ। ଏ ଦିଗରେ ପ୍ରଧାନମନ୍ତ୍ରୀ କଅଣ କରୁଛନ୍ତି। ୧୧ ବର୍ଷ ଧରି ଇଏ କେମିତିକା ବନ୍ଧୁତା ବଢ଼ାଉଥିଲେ ଟ୍ରମ୍ପଙ୍କ ସହ ମୋଦି। ବିଶ୍ୱଗୁରୁ ବୋଲି ବାହାସ୍ଫୋଟ ମାରୁଥିବା ମୋଦି ଏହାର ଜବାବ ରଖନ୍ତୁ ବୋଲି କହିଛି କଂଗ୍ରେସ ଓ ସପା। ଆପ୍‌ କହିଛି, ଭାରତକୁ ଏହା ବଡ଼ ଅପମାନ। ମୋଦିଙ୍କ ଦୁର୍ବଳ ବିଦେଶୀ ନୀତିରୁ ଭାରତ ଏକୁଟିଆ ପଡ଼ିଯିବ। ପାଲଟା ଟ୍ରମ୍ପ କହିସାରିଛନ୍ତି, ପାକିସ୍ତାନରୁ ତେଲ କିଣିବ ଆମେରିକା। ତେଲଭଣ୍ଡାରର ବିକାଶ ଲାଗି ପାକିସ୍ତାନକୁ ସମର୍ଥନ କରୁଛି ଆମେରିକା। ଶାସକ ଦଳ କହିଛି, ମୋଦିଙ୍କ ନେତୃତ୍ୱରେ ଆମେରିକା ଏଭଳି ଷ୍ଟ୍ରାଟେଜି ରୂପାୟନ କରିବାରେ ଫେଲ୍ ମାରିବ। ଏହାର କଡ଼ା କାଉଣ୍ଟର କରାଯିବ। ଚଳିତ ବର୍ଷ ଫେବୃଆରୀରେ ଆମେରିକାରେ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିତରେ ଦ୍ୱିପାକ୍ଷିକ ବେପାର ବୁଝାମଣା ଉପରେ ସହମତି ପ୍ରକାଶ ପାଇଥିଲା। କିନ୍ତୁ ଏବେ ପରିସ୍ଥିତି ସୁଧୁରିବା ବଦଳରେ ଅଧିକା ବିଗିଡିଛି। ଟାରିଫ୍ ବୃଦ୍ଧିରୁ ଭାରତରୁ ଆମେରିକାକୁ ପଠାଯାଉଥିବା ଆଇ ଫୋନ୍ ଉପରେ ଭାରି ଶୁଳ୍କ ପଡ଼ିବ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ଭାରତରେ ଇଲେକଟ୍ରୋନିକ୍ସ ରପ୍ତାନୀ ଉପରେ ବି ଗଭୀର ପ୍ରଭାବ ପଡ଼ିପାରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *