ଟ୍ରମ୍ପ-ଜିନପିଙ୍ଗ ଭେଟଘାଟ: କାହା ଭୟରେ ପରମାଣୁ ପରୀକ୍ଷଣ!

୬ ବର୍ଷ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦକ୍ଷିଣକୋରିଆର ବୁସାନ ସହରରେ ଉଭୟଙ୍କ ବୈଠକ ଉପରେ ଥିଲା ପୁରା ବିଶ୍ୱର ନଜର। ପରସ୍ପର ସହ ହାତ ମିଳାଇବା ପରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆପୋଷ ଆଲୋଚନା ହୋଇଛି। ଟ୍ରେଡ୍ ଡିଲକୁ ନେଇ ଉଭୟ ରାଷ୍ଟ୍ର ଭିତରେ ବଡ଼ ବୁଝାମଣା ହୋଇଛି। ଚୀନ୍ ରାଷ୍ଟ୍ରପତିଙ୍କ ସହ ଭେଟ ପରେ ଟ୍ରମ୍ପ କହିଛନ୍ତି, ଏବେ ଚୀନ୍‌ରୁ ରେୟର ଆର୍ଥ ମିଳିବାରେ ଆଉ ଆମେରିକାକୁ କୌଣସି ସମସ୍ୟା ନାହିଁ। କାରଣ ରେୟର ଆର୍ଥ ମୁଦ୍ଦା ଦୁଇ ଦେଶ ଭିତରେ ତିକ୍ତତାର ମୁଖ୍ୟ ଆଧାର ହୋଇ ରହିଆସିଛି। ଏହା ଅଭାବରୁ ସେମିକଣ୍ଡକ୍ଟରରୁ ନେଇ ଫାଇଟର ଜେଟ୍ କରିପାରୁନି ଆମେରିକା। ରେୟାର ଆର୍ଥ ଯୋଗାଣ ବିବାଦ ତୁଟିଛି। ଚୀନରୁ ଏହାକୁ ଆମଦାନୀ କରିବାରେ ଆଉ କୌଣସି ରାସ୍ତା ଅବରୋଧ ସମସ୍ୟା ହେବନି। ଏହା ସହ ଚୀନ୍ ଉପରେ ଲାଗିଥିବା ଟାରିଫକୁ ୧୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛନ୍ତି ଟ୍ରମ୍ପ। ଆଗରୁ ୫୭ ପ୍ରତିଶତ ଥିବା ଟାରିଫ୍ ଏବେ ୪୭ ପ୍ରତିଶତକୁ ଖସିଛି। ଜିନପିଙ୍ଗକୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି ସେ ବହୁତ ଶକ୍ତ। ଜଣେ କଠିନ ବାର୍ତ୍ତାକାର ଅଟନ୍ତି ସି ଜିନପିଙ୍ଗ। ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି, ଆମେରିକା ସହ ଅନେକ ପ୍ରସଙ୍ଗରେ ସହମତ ହୋଇପାରୁନଥିଲା ଚୀନ୍। କିନ୍ତୁ ଏହା ସ୍ୱାଭାବିକ ପ୍ରକ୍ରିୟା ଅଟେ। ବଡ଼ ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ଭିତରେ ଏଭଳି ସମସ୍ୟା ହେବା ସ୍ୱାଭାବିକ। ଚୀନ୍ ଓ ଆମେରିକା ଭିତରେ ପାର୍ଟନର ଓ ବନ୍ଧୁତ୍ୱ ଭଲ ହେବା ଜରୁରୀ। ଟ୍ରମ୍ପଙ୍କୁ ଶାନ୍ତି ପ୍ରୟାସର ପ୍ରତୀକ ବୋଲି ପ୍ରଶଂସା କରିଛନ୍ତି ଜିନପିଙ୍ଗ। ଟ୍ରମ୍ପଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିବା ସହ ଜିନପିଙ୍ଗ କହିଛନ୍ତି, ଚୀନର ବିକାଶ ଟ୍ରମ୍ପଙ୍କ ମେକ୍ ଆମେରିକା ଗ୍ରେଟ୍ ଏଗେନ ଭିଜନ ଦ୍ୱାରା ବିଶେଷ ସହାୟକ ସାଜିବ। ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା ଉଭୟଙ୍କ ଭିତରେ ଆଲୋଚନା। ତେବେ କୌଣସି ଅଧିକାରୀକ ବୟାନ ନ ଦେଇ ଉଭୟ ନେତା ବୈଠକରୁ ବାହାରିଯାଇଥିଲେ। ହେଲେ ଏହି ବୈଠକ ପୂର୍ବରୁ ପରମାଣୁ ପରୀକ୍ଷା ପାଇଁ ତୁରନ୍ତ ଆଦେଶ ଦେଇଥିଲେ ଟ୍ରମ୍ପ। ପେଣ୍ଟାଗନରେ ନ୍ୟୁକ୍ଲିଆର ଅସ୍ତ୍ରର ଟେଷ୍ଟିଂ ଲାଗି ଆଦେଶ ଦେଇଛନ୍ତି। ଚୀନ୍ ଓ ଋଷର ଶକ୍ତି ବଢ଼ୁଥିବା ପରିପ୍ରେକ୍ଷୀରେ ଭୟଭୀତ ଟ୍ରମ୍ପଙ୍କ ଏହି ଟେଷ୍ଟିଂ ଥିଓରୀ ବୋଲି ଚର୍ଚ୍ଚା ହେଉଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଏହା ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି, ଆମେରିକା ପାଖରେ କୌଣସି ଦେଶ ତୁଳନାରେ ସର୍ବାଧିକ ପରମାଣୁ ଅସ୍ତ୍ର ରହିଛି। ଏହା ପ୍ରଚଣ୍ଡ ବିନାଶକାରୀ ଅଟେ। କିନ୍ତୁ ଏହା କରିବାକୁ ଖରାପ ଲାଗୁଥିଲେ ସୁଦ୍ଧା ଏହା କରିବା ଛଡ଼ା ତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଟ୍ରମ୍ପ। ପରମାଣୁ ଅସ୍ତ୍ର ମହଜୁଦ୍ ରଖିବାରେ ଋଷ ଦ୍ୱିତୀୟ ଓ ଚୀନ୍ ତୃତୀୟ ସ୍ଥାନରେ ଅଛି। କିନ୍ତୁ ଆସନ୍ତା ୫ ବର୍ଷ ଭିତରେ ଏ ସବୁ ରାଷ୍ଟ୍ର ବରାବର ହୋଇଯିବେ। ଏହି ଦୁଇ ଦେଶ ପରମାଣୁ ବୋମା ପରୀକ୍ଷଣ କରି ନିଜର କ୍ଷମତା ବୃଦ୍ଧି କରିବାରେ ଲାଗିଛନ୍ତି। କିନ୍ତୁ ଆମେରିକା ସ୍ଥିର ରହିଛି। ୧୯୯୨ ପରଠୁ ପରମାଣୁ ଅସ୍ତ୍ର ଟେଷ୍ଟ ଉପରେ ରୋକ ଲଗାଇଆସିଛି। ୩୦ ବର୍ଷ ପରେ ଆମେରିକା କାହିଁକି ପରମାଣୁ ପରୀକ୍ଷଣ କରିବାକୁ ଆଗଭର ହୋଇଛି। ଋଷ ଓ ଚୀନ୍‌ ଭୟରେ ଏଭଳି ଟ୍ରମ୍ପ କରୁନାହାନ୍ତି ତ ବୋଲି ପ୍ରଶ୍ନ ଉଠୁଛି। ଏହାର ରଣନୀତି ଓ ପ୍ରତୀକାତ୍ମକ ମହତ୍ତ୍ୱକୁ ଦୁନିଆ ବିଶ୍ଳେଷଣ କରିବାକୁ ବାଧ୍ୟ ହୋଇଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *