ଜାତୀୟ

ଚର୍ଚ୍ଚାରେ ଜଷ୍ଟିସ ସୟେଦ ଅବଦୁଲ ନାଜିର

() ୪ ତାରିଖରେ ଅବସର ନେବେ। ତା ପୂର୍ବରୁ ବିମୁଦ୍ରୀକରଣର ବୈଧତାକୁ ନେଇ ଯେଉଁ ଖଣ୍ଡପୀଠରେ ଦୀର୍ଘ ଦିନ ଧରି ଶୁଣାଣୀ ଚାଲିଥିଲା, ସେ ନେଇଥିଲେ ନେତୃତ୍ୱ। ଆମେ କହୁଛୁ ସୁପ୍ରିମକୋର୍ଟର ଜଷ୍ଟିସ ସୟେଦ ଅବଦୁଲ ନାଜିରଙ୍କର କଥା। କେନ୍ଦ୍ର ସରକାରଙ୍କର ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ବୋଲି ନାଜିରଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ସ୍ପଷ୍ଟ କରିଛି। କିନ୍ତୁ ପୀଠରେ ଥିବା ଜଷ୍ଟିସ୍ ବି.ଭି ନାଗରତ୍ନମ ଏହି ନିଷ୍ପତ୍ତିରେ ସହମତ ନଥିବାରୁ ନାଜିରଙ୍କୁ ନେଇ ସବୁଠି ଚର୍ଚ୍ଚା।

କେନ୍ଦ୍ର ସରକାରଙ୍କର ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା। ଏଥିରେ ସମସ୍ତ ପ୍ରକ୍ରିୟାକୁ ଅନୁପାଳନ ହୋଇଛି। ତୃଟି ହୋଇନି। ବିମୁଦ୍ରାୟନକୁ ନେଇ ସୁପ୍ରିମ୍‌ ଫୈସଲା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ମୋହର ଲଗାଇଛି। ଆଉ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଇଥିଲେ ଜଷ୍ଟିସ ଏ .ଏସ. ନାଜିର। ଫେବୃଆରୀ ୧୭, ୨୦୧୭ରେ ଜଷ୍ଟିସ ଏ.ଏସ.ନାଜିର ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ଜାନୁଆରୀ ୪ରେ ଅବସର ନେବେ। ଜଷ୍ଟିସ ନାଜିରଙ୍କ ଅବସରର ଦୁଇ ଦିନ ଆଗରୁ ତାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଶୁଣାଣୀ କରି ରାୟ ଦେଇସାରିଛନ୍ତି ବହୁ ଚର୍ଚ୍ଚିତ ନୋଟବନ୍ଦୀର ବୈଧତାକୁ ନେଇ।

ଯଦିଓ ଜଷ୍ଟିସ ବି.ଭି.ନାଗରତ୍ନମ ବିମୁଦ୍ରୀକରଣକୁ ବେଆଇନ ବୋଲି କହିଛନ୍ତି। ୬ ବର୍ଷ ତଳେ କେନ୍ଦ୍ର ସରକାର ୫ଶହ ଓ ହଜାରେ ଟଙ୍କିଆ ନୋଟ ଅଚଳକୁ ନେଇ ନେଇଥିବା ନିଷ୍ପତ୍ତି ବେଆଇନ ଥିଲା ଓ ଏହାର ପରବର୍ତ୍ତୀ ପରିଣାମ କେତେ ଭୟଙ୍କର ଥିଲା, ତାକୁ ଦର୍ଶାଇ ଏହାକୁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ୫୮ଟି ଆବେଦନର ଶୁଣାଣୀ କରିଥିଲେ ଆଉ ଆଜି ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି।

ଏହା ସହ ବିମୁଦ୍ରୀକରଣ ବିରୁଦ୍ଧରେ ଭବିଷ୍ୟତରେ କୌଣସି ଆଇନଗତ ଚ୍ୟାଲେଞ୍ଜର ବାଟ ବି ବନ୍ଦ କରିଦେଇଛନ୍ତି ଖଣ୍ଡପୀଠ। ତେବେ ଜଷ୍ଟିସ ନାଜିର ବେଶ୍ ଚର୍ଚ୍ଚିତ ବିଚାରପତି ଅଟନ୍ତି। କାରଣ ସୁପ୍ରିମକୋର୍ଟରେ ସବୁଠୁ ଅଧିକ କାଳ ଧରି ବିଚାରପତି ଦାୟିତ୍ୱ ତୁଲାଇବାରେ ଜଷ୍ଟିସ ନାଜିର ଅନ୍ୟତମ। ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇ ଦୀର୍ଘ କାଳ ବିଚାରପତି ଆସନରେ ବସିଥିବା ନାଜିର ହେଉଛନ୍ତି ତୃତୀୟ ବିଚାରପତି। ଯିଏ କି କୌଣସି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କେବେ ବି କାର୍ଯ୍ୟ କରିନାହାନ୍ତି।

ଡିସେମ୍ୱର ୨୬, ୨୦୨୧ରେ ହାଇଦ୍ରାବାଦରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୧୬ତମ ଜାତୀୟ ପରିଷଦ ବୈଠକରେ ଜଷ୍ଟିସ ନାଜିରଙ୍କ ଯୋଗଦାନକୁ ନେଇ ଭରପୁର ଚର୍ଚ୍ଚା ହୋଇଥିଲା। କାରଣ ଭାରତୀୟ ଆଇନ ବ୍ୟବସ୍ଥାରେ ବ୍ରିଟିଶ ଅମଳର ଆଇନ ସମ୍ପର୍କିତ ଆଲୋଚନାଚକ୍ରର ମୁଖ୍ୟ ଆୟୋଜକ ଥିଲେ ଆରଏସଏସର ଜଣେ ଉଚ୍ଚପଦସ୍ଥ ବ୍ୟକ୍ତି। ସେହି ଆଲୋଚନାଚକ୍ରରେ ଉପନିବେଶବାଦ ଆଇନର ପ୍ରଚଳନ ଭାରତୀୟ ଜନସଂଖ୍ୟା ଲାଗି ଉପଯୁକ୍ତ ନୁହେଁ ବୋଲି କହିଥିଲେ ଜଷ୍ଟିସ ନାଜିର୍।

ମନୁ,କୌଟିଲ୍ୟ, ବୃହସ୍ପତି, ନାରଦ, କାତାୟନ ପ୍ରମୁଖଙ୍କ ଜ୍ଞାନକୁ ଭାରତୀୟ ଆଇନ ବ୍ୟବସ୍ଥା ନିରନ୍ତର ଉପେକ୍ଷା କରିଆସୁଛି। ଯାହାକି ଆମର ସମ୍ୱିଧାନ ଓ ଜାତୀୟ ସ୍ୱାର୍ଥ ବିରୋଧୀ। ଅଯୋଧ୍ୟା ରାୟକୁ ନେଇ ଗଠିତ ଖଣ୍ଡପୀଠରେ ଥିଲେ ଜଷ୍ଟିସ ନାଜିର୍। ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଜଷ୍ଟିସ ନାଜିରଙ୍କୁ ଜେଡ୍ କ୍ୟାଟେଗୋରୀ ସୁରକ୍ଷା ଦେଇଥିଲେ କେନ୍ଦ୍ର ସରକାର। ପିଏଫଆଇ ସଂଗଠନ ପକ୍ଷରୁ ନାଜିରଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିବା ପରେ ଜଷ୍ଟିସ୍ ନାଜିର ଓ ତାଙ୍କ ପରିବାରକୁ ତୁରନ୍ତ ସୁରକ୍ଷା ଯୋଗାଇଦେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସିଆରପିଏଫ ଓ ସ୍ଥାନୀୟ ପୁଲିସକୁ ନିର୍ଦେଶ ଦେଇଥିଲା। କର୍ଣ୍ଣାଟକ ପାଇଁ ଜେଡ୍ ସୁରକ୍ଷା କୋଟା ଜଷ୍ଟିସ ନାଜିରଙ୍କୁ ଦିଆଯାଇଥିଲା।

ନଭେମ୍ୱର ୯ରେ ସୁପ୍ରିମକୋର୍ଟ ୨.୭୭ ଏକର ପରିମିତ ଜମିରେ ରାମ ମନ୍ଦିର ନିର୍ମାଣ ଲାଗି ଅନୁମତି ଦେବା ସହ ୟୁପି ସରକାରଙ୍କୁ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ଲାଗି ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ରାମଜନ୍ମଭୂମି- ବାବ୍ରି ମସଜିଦ୍ ଜମି ବିବାଦକୁ ଛାଡ଼ିଦେଲେ ଟ୍ରିପଲ୍ ତଲାକକୁ ନେଇ ସୁପ୍ରିମକୋର୍ଟ ଦ୍ୱାରା ଗଠିତ ୫ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠରେ ବି ଜଷ୍ଟିସ ନାଜିର୍ ସଦସ୍ୟ ଥିଲେ। ଟ୍ରିପଲ ତଲାକକୁ ୨୦୧୭ରେ ଅଣସାମ୍ୱିଧାନିକ ଘୋଷଣା କରାଯାଇଥିଲା।  ରାଇଟ୍‌- ଟୁ- ପ୍ରାଇଭେସିକୁ ଏକ ମୌଳିକ ଅଧିକାର ଭାବେ ଘୋଷଣା କରିଥିବା ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠରେ ବି ଥିଲେ ଜଷ୍ଟିସ ନାଜିର୍।

ଜଷ୍ଟିସ ନାଜିର୍ ୧୯୮୩ରେ କର୍ଣ୍ଣାଟକ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୨୦୦୩ରେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୦୪ ସେପ୍ଟେମ୍ୱରରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଆଉ ଫେବୃଆରୀ ୧୭, ୨୦୧୭ରେ ସୁପ୍ରିମକୋର୍ଟକୁ ପଦୋନ୍ନତି ହୋଇଥିଲା।

ପ୍ରଦୀପ ନାୟକ

Related Articles

Leave a Reply

Your email address will not be published.

Back to top button