ଜାତୀୟ ଶିକ୍ଷା ନୀତି ୨୦୨୦ ର ତିନି ବର୍ଷ ପୂର୍ତ୍ତି

କନ୍ଧମାଳ : ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ହେବାର ତିନି ବର୍ଷ ପୂର୍ତ୍ତି ହୋଇଯାଇଛି। ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟର ପ୍ରଭାରୀ ଅଧ୍ୟକ୍ଷ ନାହର ସିଂହ ମୀନା ସୂଚନା ଦେଇ କହିଥିଲେ ଯେ, ଜାତୀୟ ଶିକ୍ଷାନୀତି ମୂଳ ଲକ୍ଷ୍ୟ ହେଉଛି ବିଦ୍ୟାର୍ଥୀ ମାନଙ୍କୁ ଏକବିଂଶ ଶତାବ୍ଦୀର ନୂତନ ଆହ୍ୱାନ ଗୁଡ଼ିକୁ ସାମନା କରି ଜୀବନ ଗଢିବାର କୌଶଳ ଶିକ୍ଷା ଦେବା । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର କହିଥିଲେ ଯେ, ଏହି ଶିକ୍ଷା ନୀତି ଲାଗୁ ହେବା ପରେ ବିଦ୍ୟାଳୟରେ ନୂତନ ନିୟମ ଅନୁଯାୟୀ ୫ ୩ ୩ ୪ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଅନ୍ୟ କେତେକ କେନ୍ଦ୍ରୀୟ ବିଦ୍ୟାଳୟରେ ବାଲବାଟିକା ଆରମ୍ଭ ହୋଇଥିବା ବେଳେ କନ୍ଧମାଳରେ ଆସନ୍ତା ବର୍ଷ ଏହା ଲାଗୁ ହେବାର ଯୋଜନା ରହିଛି। ବିଦ୍ୟାଳୟରେ ଏକ ନୂତନ ସ୍କିଲ ହବ୍ ସ୍ଥାପନ କରାଯାଇଛି ଯେଉଁଥିରେ ଯୁବକମାନଙ୍କୁ ଡାଟା ଏଣ୍ଟ୍ରି ଅପରେଟର ତାଲିମ ଦିଆଯାଉଛି। ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ପରବର୍ତ୍ତୀ ଶ୍ରେଣୀ ମାନଙ୍କରେ ଗୋଟିଏ ଦକ୍ଷତା ଭିତ୍ତିକ ବିଷୟ ପଢା ଯିବାର ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳକୁ ପିଏମ୍ ଯୋଜନାରେ ସାମିଲ କରାଯାଇଛି, ଯାହାଦ୍ଵାରା ବିଦ୍ୟାଳୟକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିପାରିବ। ବିଦ୍ୟାଳୟର ବରିଷ୍ଠ ପ୍ରାଥମିକ ଶିକ୍ଷକ ସନକ ସେଠ୍ କହିଥିଲେ ଯେ, ପ୍ରାଥମିକ ଶ୍ରେଣୀ ଗୁଡିକରେ ଏଫ୍ ଏଲ ଏନ ( ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ) ତଥା ନିପୁଣ ଭାରତ ଉପରେ ଗୁରୁତ୍ଵାରୋପ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜବାହର ନବୋଦୟ ବିଦ୍ୟାଳୟ ତୁଡ଼ିପାଯୁର ଅଧ୍ୟକ୍ଷା ନମିତା ରାଣୀ ପଣ୍ଡା ନବୋଦୟ ବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ ବିଷୟରେ ସୂଚନା ଦେଇ କହିଥିଲେ ଯେ, ନବୋଦୟ ବିଦ୍ୟାଳୟ ମଧ୍ୟ ପି ଏମ ଯୋଜନାରେ ସାମିଲ ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟ ଭଳି ନବୋଦୟ ବିଦ୍ୟାଳୟରେ ମଧ୍ୟ ଅନୁରୂପ ବ୍ୟବସ୍ଥା ପ୍ରଚଳନ ହେଉଛି, ଯାହାଦ୍ଵାରା ଶିକ୍ଷାର ମାନ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସଫଳ ତଥା ସେବା ମନୋଭାବ ସମ୍ପନ୍ନ ବିଦ୍ୟାର୍ଥୀ ସୃଷ୍ଟି ହୋଇ ପାରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *