ପରେଶ ରାଓ୍ୱଲଙ୍କ ଦି ତାଜ୍- ଫିଲ୍ମ ରିଲିଜରେ ରୋକ୍‌ ଆବେଦନ- ତ୍ୱରିତ ଶୁଣାଣୀ ଲାଗି ମନା କଲେ ହାଇକୋର୍ଟ

ପରେଶ ରାଓ୍ୱଲଙ୍କ ଫିଲ୍ମ ଦି ତାଜ୍ ଷ୍ଟୋରୀ ବିରୁଦ୍ଧରେ ଦାୟର ଆବେଦନ ଉପରେ ତ୍ୱରିତ ଶୁଣାଣୀ ଲାଗି ମନା କରିଦେଲେ ଦିଲ୍ଲୀ ହାଇକୋର୍ଟ। ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦାବି ହୋଇଥିଲା ପିଟିସନରେ। ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ତ୍ୱରିତ ଶୁଣାଣୀର କୌଣସି ଆବଶ୍ୟକତା ନାହିଁ। ଏହି ଫିଲ୍ମରେ ପରେଶ ରାଓ୍ୱଲ ଲିଡ୍ ରୋଲରେ ଅଛନ୍ତି। ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି ଯେ, ଏହି ଫିଲ୍ମରେ ତାଜମହଲ ବାବଦରେ ଭୁଲ୍ ଓ ଭ୍ରମାତ୍ମକ ତଥ୍ୟର ଥିଓରୀକୁ ପ୍ରଚାର କରୁଛି। ସାମ୍ପ୍ରଦାୟିକ ସଦ୍ଭାବନା ଲାଗି ଏହା ବିପଦ ସୃଷ୍ଟି କରିପାରେ। ଏହି ଫିଲ୍ମକୁ ସିବିଏଫସି ବା ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ଦ୍ୱାରା ଜାରି ସାର୍ଟିଫିକେଟ ବିରୁଦ୍ଧରେ ବି ମାମଲା ଆଗତ ହୋଇଥିଲା। ସାର୍ଟିଫିକେଟ୍ ରଦ୍ଦ ସହ ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରିଥିଲେ ଓକିଲ ଶକିଲ ଆବ୍ବାସ। ଶକିଲ ଚିନ୍ତାବ୍ୟକ୍ତ କରିଛନ୍ତି କି, ଏ ଫିଲ୍ମରେ ଐତିହାସିକ ତଥ୍ୟକୁ ବିକୃତ କରାଯାଇଛି। ଆଶଙ୍କା କରିଛନ୍ତି କି, ତାଜମହଲ ଅସଲରେ ଏକ ହିନ୍ଦୁ ମନ୍ଦିର ଥିଲା ବୋଲି ଚିତ୍ରଣ କରାଯିବାକୁ ଉଦ୍ୟମ ହୋଇଛି। ହେଲେ ଏ ଦାବିକୁ ଅନେକ ଐତିହାସିକ ଓ ବିଦ୍ୱାନ୍ ଖାରଜ କରିଦେଇଛନ୍ତି। ଏହି ଫିଲ୍ମ ଅକ୍ଟୋବର ୩୧ରେ ରିଲିଜ୍ ହେବ। ତୁଷାର ଅମରିଶ ଗୋୟଲଙ୍କ ଦ୍ୱାରା ଲିଖିତ ଓ ନିର୍ଦେଶିତ ଏହି ଫିଲ୍ମକୁ ସୁରେଶ ଝା ପ୍ରଡ୍ୟୁସ କରିଛନ୍ତି। ଫିଲ୍ମରେ ପରେଶଙ୍କ ସମେତ ଜାକିର ହୁସେନ, ଅମୃତା ଖ୍ୱାନଓ୍ୱିଲକର, ନମିତ ଦାସ ଓ ସ୍ନେହା ବାଘ ଭଳି ଷ୍ଟାର୍ ନଜରକୁ ଆସିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *