ଆତଙ୍କୀ ହାମଲାରେ ସେନା କ୍ୟାପଟେନ୍ ଦୀପକ ସିଂ ଶହୀଦ

ଜମ୍ମୁକଶ୍ମୀରରେ କ୍ରମାଗତ ଆତଙ୍କି ହମଲା ଜାରି ରହିଛି। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆତଙ୍କବାଦୀ ନିଜର ସ୍ଥିତି ଜାହିର ଲାଗି ପୁଣି ଉଦ୍ୟମ କରିଛନ୍ତି। ସେନା ଓ ଜମ୍ମୁକଶ୍ମୀର ପୁଲିସର ମିଳିତ ଅପରେସନ ବେଳେ ଜଣେ ସେନା କ୍ୟାପଟେନ୍ ଦୀପକ ସିଂ ଶହୀଦ ହୋଇଛନ୍ତି। ଆତଙ୍କ ନିରୋଧୀ ଅପରେସନ ବେଳେ ରାଇଫଲ ଓ କିଛି ବଡ଼ ବ୍ୟାଗ୍ ମିଳିଛି। ସେନାର ପାଲଟା ଗୁଳି ବିନିମୟରେ ଅନେକ ଆତଙ୍କବାଦୀ ଗୁରୁତର ଥିବା ଜଣାପଡ଼ିଛି। କିନ୍ତୁ ସେମାନଙ୍କ ଠାବ ମିଳିପାରିନି। ସେପଟେ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଜମ୍ମୁକଶ୍ମୀରର ସ୍ଥିତି ନେଇ ସମୀକ୍ଷା କରିଥିଲେ।

ଜମ୍ମୁକଶ୍ମୀରର ଡୋଡ଼ା ଜିଲ୍ଲାରେ ଆତଙ୍କବାଦ ନିରୋଧୀ ଅପରେସନ ବେଳେ ଜବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏନକାଉଣ୍ଟର ଚାଲିଥିଲା ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ସେନା କ୍ୟାପଟେନ୍ ଶହୀଦ ହୋଇଛନ୍ତି। ଶହୀଦ ହୋଇଛନ୍ତି ସେବାର ୪୮ ନାସନାଲ ରାଇଫଲ୍ସର କ୍ୟାପଟେନ୍ ଦୀପକ ସିଂ। କ୍ୟାପଟେନ୍ ଦୀପକ ଏନକାଉଣ୍ଟରକୁ ଲିଡ୍ କରୁଥିଲେ। ଏନକାଉଣ୍ଟର ସ୍ଥଳରୁ ରାଇଫଲ୍ସ ଓ ଗୋଳାବାରୁଦ ଭର୍ତ୍ତି କିଛି ବଡ଼ ବ୍ୟାଗ୍ ଜବତ କରିଛନ୍ତି ଜବାନ। ଏଥିରେ ଏମ୍-୪ ରାଇଫଲ୍ସ ବି ମିଳିଛି। ଯାହା ଆମେରିକାରେ ତିଆରି ହୋଇଥାଏ। ରକ୍ତ ଛିଟା ବି ପଡିଥିଲା। ଜମ୍ମୁକଶ୍ମୀର ପୁଲିସ ଓ ସେନାର ମିଳିତ ଅପରେସନ ବେଳେ କିଛି ଆତଙ୍କବାଦୀ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଅନୁମାନ କରାଯାଇଛି। ଶେଷରେ ୪ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା। ମଙ୍ଗଳବାର ଉଧମପୁର ତହସିଲ ଅନ୍ତର୍ଗତ ବସନ୍ତଗଡ଼ ପାହାଡ଼ିଆ ଅଞ୍ଚଳରେ ୪ ଜଣ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା। ବିଳମ୍ୱିତ ସଂଧ୍ୟା ଯାଏ ସେନା ସର୍ଚ୍ଚ ଅପରେସନ କରିଥିଲା। ସୁରକ୍ଷାବଳ କର୍ଡନ ବଢ଼ିବା ଦେଖି ଛତ୍ରଭଙ୍ଗ ଦେଇ ଆତଙ୍କବାଦୀ ଡୋଡା ଜିଲ୍ଲାକୁ ପଳାଇଥିଲେ। ଡୋଡା ଜିଲ୍ଲାର ଅସର ପାଖରେ ଶିବଗଡ଼ ଧରରେ ଏହି ଅପରେସନ୍ ଚାଲିଥିଲା। ନଦୀ କୂଳରେ ଆତଙ୍କବାଦୀ ଲୁଚିଥିବା ଜଣାପଡ଼ିଥିଲା। ବୁଧବାର ସକାଳେ ଜମ୍ମୁକଶ୍ମୀରରେ ବୃଦ୍ଧି ପାଉଥିବା ଆତଙ୍କବାଦ କାର୍ଯ୍ୟକଳାପକୁ ନେଇ ବୈଠକ ଡାକିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ୭୮ତମ ସ୍ୱାଧୀନତା ଦିବସ ପୂର୍ବରୁ ଏହାକୁ କିଭଳି ଦୃଢ଼ହସ୍ତରେ ଦମନ କରାଯିବ, ସେ ନେଇ ପ୍ରତିରକ୍ଷା ସଚିବ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଆର୍ମି ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ମିଲିଟାରି ଅପରେସନର ଡିଜି ପ୍ରତୀକ ଶର୍ମାଙ୍କ ସହ ବୈଠକ କରିଥିଲେ। ଆତଙ୍କବାଦୀ ହମଲା ପରେ ସାଧାରଣ ନିରାପତ୍ତାକୁ ସୁନିଶ୍ଚିତ ଲାଗି ଜମ୍ମୁକଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି। ସେପଟେ ଆଉ ସପ୍ତାହକ ପରେ ଜମ୍ମୁକଶ୍ମୀରରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ଅଛି। ନିର୍ବାଚନ ପୂର୍ବରୁ ଜମ୍ମୁକଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି ଆତଙ୍କବାଦୀ ନିଜର କାର୍ଯ୍ୟକଳାପ ବୃଦ୍ଧି ଆଶଙ୍କାରେ ନିର୍ବାଚନ କମିଶନଙ୍କ ସହ ଆଲୋଚନା ବି କରିଛନ୍ତି ଅଜିତ ଡୋଭାଲ।

ଗଲା ମାସରେ ବି ଡୋଡା ଜିଲ୍ଲାରେ ସେନା ଓ ଆତଙ୍କବାଦୀଙ୍କ ଭିତରେ ମୁହାଁମୁହିଁ ହୋଇଥିଲା। ଏଥିରେ ବି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଅଧିକାରୀଙ୍କ ସମେତ ୫ଜଣ ଯବାନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ ହୋଇଥିଲେ। ସେତେବେଳେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କଶ୍ମୀର ପୁଲିସର ଏସଓଜି ଗ୍ରୁପ୍ ଡୋଡା ସହରର ୫୫ କିଲୋମିଟର ଦୂରରେ ଥିବା ଦେସା ବନକ୍ଷେତ୍ରରେ ଜଏଣ୍ଟ ଅପରେସନ କରିଥିଲେ।

ଜମ୍ମୁକଶ୍ମୀରରେ କ୍ରମାଗତ ଅସ୍ଥିରତା ସୃଷ୍ଟି ଲାଗି ପ୍ରୟାସ କରୁଛନ୍ତି ଆତଙ୍କବାଦୀ। ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ଦମନ ଲାଗି ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୁଲିସ ବି କଡ଼ା ଜବାବ ଦେଉଛନ୍ତି। ଜୁଲାଇ ମାସରେ ଆତଙ୍କି ଆକ୍ରମଣରେ ୨୮ ଜଣଙ୍କ ଜୀବନ ଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଂସଦରେ ଉତ୍ତର ରଖିଛି। ଜୁଲାଇ ୨୧ ସୁଦ୍ଧା ୧୧ଟି ଆତଙ୍କି ହମଲା ସମ୍ପର୍କିତ ଘଟଣା ହୋଇଥିଲା ବେଳେ ୨୪ଟି କାଉଣ୍ଟର ଟେରର ଅପରେସନ ବେଳେ ଘଟିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *