ବଲିଉଡ୍ ଅଭିନେତା ସୈଫ ଅଲ୍ଲି ଖାନଙ୍କ ଅବସ୍ଥା ଭଲ ଅଛି। ଆଇସିୟୁରୁ ଜେନେରାଲ ଓ୍ୱାର୍ଡକୁ ସ୍ଥାନାନ୍ତର ଲାଗି ପରିବାର ସହ ଡାକ୍ତରୀ ଟିମ୍ ବିଚାରବିମର୍ଶ କରିଛି। ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ସୈଫ୍। ମୁମ୍ୱାଇସ୍ଥିତ ବାସଭବନରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ୬ଥର ଛୁରାମାଡ଼ କରିଥିଲା। ମେରୁଦଣ୍ଡ, ହାତ ଓ ବେକରେ ଗଭୀର ଆଘାତ ଲାଗିଥିଲା। ଏଭଳି ବିପଦ ସମୟରେ ତାଙ୍କୁ ସମବେଦନା ଓ ସମର୍ଥନ ଦେଇଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ କଠିନ ସମୟରେ ତାଙ୍କର ଗୋପନୀୟତାକୁ ବି ସମ୍ମାନ ଦେବାକୁ ଅପିଲ୍ କରିଛନ୍ତି କରିନା କପୁର।
ଆକ୍ରମଣକାରୀ ବିଲଡିଂର ଶିଡ଼ି ଦେଇ ଫେରାର୍ ହୋଇଯାଇଥିଲା। ସିସିଟିଭି ଫୁଟେଜରୁ ଅଭିଯୁକ୍ତକୁ ଚିହ୍ନଟ ସହ ତାହାର ଫଟୋ ଜାରି କରିଥିଲା ପୁଲିସ। ଅଭିଯୁକ୍ତକୁ ଶେଷ ଥର ବାନ୍ଦ୍ରା ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା। ପୁଲିସ ସନ୍ଦେହ କରୁଥିଲା ଯେ, ଘଟଣା ପରେ ସନ୍ଦିଗ୍ଧ ସକାଳୁ ଟ୍ରେନରେ ଫେରାର୍ ହୋଇଯାଇଛି। ପୁଲିସ ବସଇ, ନାଲାସୋପାରା ଓ ବିରାର ଅଞ୍ଚଳରେ ଛାନଭିନ୍ ଆରମ୍ଭ କରିଥିଲା। ଆକ୍ରମଣକାରୀ କୁଆଡ଼େ ସୈଫଙ୍କ ପୁଅ ଜେହକୁ ବନ୍ଧକ ରଖି ୧ କୋଟି ଟଙ୍କା ମାଗିଥିଲା ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛି ପୁଲିସ। ପିଲାଙ୍କ ଦେଖାଶୁଣା କରିବାକୁ ଘରେ ଥିବା ମହିଳା କର୍ମଚାରୀ ଅଚାନକ ଦୁର୍ବୃତ୍ତକୁ ଫ୍ଲାଟରେ ଲୁଚିଥିବା ଦେଖି ଚିଲାଇବା ପରେ ସୈଫ ଆସିଥିଲେ। ଆଉ ଦୁର୍ବୃତ୍ତ ସହ ସୈଫଙ୍କ ଧସ୍ତାଧସ୍ତିରେ ସୈଫଙ୍କୁ ଛୁରା ମାଡ଼ କରିଥିଲା ଅଭିଯୁକ୍ତ। ଏହି ଆକ୍ରମଣ ଚୋରୀ ଉଦ୍ଦେଶ୍ୟରେ ହୋଇଥିଲା ବୋଲି କହିଥିଲା ପୁଲିସ। ପୁଲିସ ଅଭିଯୁକ୍ତକୁ ଧରିବାକୁ ୨୦ଟି ଟିମ୍ ଗଠନ କରିଥିଲା। ଶେଷରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୈଫଙ୍କ ଘରେ ପଶି ଆକ୍ରମଣ କରିବା ପଛରେ କିଏ ପ୍ରକୃତ ଷଡ଼ଯନ୍ତ୍ରକାରୀ। ଏହାର ଖୁଲସା କରିବାକୁ ଟିମ୍ ଜେରା କରିଛି। ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ନା ସୈଫଙ୍କୁ ମାରିବାକୁ ଅଭିଯୁକ୍ତ ଜରିଆରେ ଆଉ କିଏ ରଚିଥିଲା ପୁରା ଅପରେସନ। କେମିତି ବିଲଡିଂରେ ପଶିଲେ। କାହାର ହାତ ଥିଲା।
ଏଭଳି ଘଟଣା ଭିତରେ କୁମାର ବିଶ୍ୱାସଙ୍କ ଏକ ପୁରୁଣା ମନ୍ତବ୍ୟ ଭାଇରାଲ ହୋଇଛି। ଏହା ସୈଫ ଓ କରୀନାଙ୍କ ଉଦ୍ଦେଶ୍ୟରେ ହୋଇଛି ବୋଲି ୟୁଜର୍ସ ସମାଲୋଚନା କରି କୁମାରଙ୍କ ଗିରଫଦାରି ଦାବି କରିଛନ୍ତି। କୁମାର ନାଁ ନ ନେଇ କହିଥିଲେ, ଏତେ ନାଁ ପଡ଼ିଛି। କୋମଳମତି ପିଲାର ନାଁ ତୈମୁର କାହିଁକି ରଖିଲେ। ଏମାନଙ୍କୁ ହିରୋ ସଜାଇଲେ ଖଳନାୟକ ବି କରିବାକୁ ଦେବନି ଭାରତ। ମାୟାନଗରୀରେ ବସିଥିବା ଅଭିନେତା ଦେଶ କଅଣ ଚାହୁଁଛି, ଜାଣିବାକୁ ପଡ଼ିବ।ସୈଫଙ୍କ ଉପରେ ଆକ୍ରମଣ ପଛରେ କି କାରଣ ରହିଛି, ଏହାର ଖୁଲାସା ଜରୁରୀ ବୋଲି ସବୁ ମହଲରେ ଦାବି ହେଉଛି। ସୈଫଙ୍କୁ ମରଣାନ୍ତକ ଆକ୍ରମଣ ପଛର ରହସ୍ୟ କଅଣ। ଏ ସବୁ ଦିଗକୁ ମୁମ୍ୱାଇ ପୁଲିସ ଉନ୍ମୋଚନ କରିବ ବୋଲି ସମସ୍ତଙ୍କ ନଜର।

Naxatra News is now on Whatsapp
Join and get latest news update delivered to you via whatsapp
Join Now