ଫେବ୍ରୁଆରୀ ୯ତାରିଖରେ ବାରବାଟୀରେ ହେବ ବିଗ ଫାଇଟ। ସାମ୍ନାସାମ୍ନି ହେବେ ଇଣ୍ଡିଆ-ଇଂଲଣ୍ଡ । ମଝିରେ ରହିଲା ଆଉ ମାତ୍ର ତିନିଦିନ। ମ୍ୟାଚକୁ ନେଇ କ୍ରିକେଟପ୍ରମୀଙ୍କ ମଧ୍ୟରେ ଢେର ଉତ୍ସାହ । ଲୋକ ମାନଙ୍କର ଏହି ଲମ୍ବା ଲମ୍ବା ଲାଇନ କହୁଛି କଟକ ସହରରେ କିଭଳି ରହିଛି କ୍ରିକେଟର କ୍ରେଜ। ଟିକେଟ ଖଣ୍ଡେ ପାଇଁ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଧାଡିରେ ଛିଡା ହୋଇଛନ୍ତି। ସକାଳ ୯ଟାରୁ ୭ଟି କାଉଣ୍ଟରରେ ଆରମ୍ଭ ହୋଇଥିଲା ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି। ମହିଳାଙ୍କ ପାଇଁ ପ୍ରଥମ ଥର ସ୍ୱତନ୍ତ୍ର ଭାବେ କରାଯାଇ ଥିଲା କାଉଣ୍ଟର। ସାଧାରଣ ଦର୍ଶକଙ୍କ ପାଇଁ ୨୧ ହଜାର ଟିକେଟ ଉଦିଷ୍ଟ ଥିବା ବେଳେ, ସେଥିମଧ୍ୟରୁ ୧୯ ହଜାର ୭୩୧ ଟି ଗ୍ୟାଲେରୀ ଟିକେଟ ଓ ଅନ୍ୟ ୧୩୬୨ ଟି ଅଧିକ ମୁଲ୍ୟର ଟିକେଟ ରହି ଥିଲା। ଭୋଟର କାର୍ଡ କିମ୍ବା ଆଧାର କାର୍ଡ ଦେଖାଇ ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ କାଉଣ୍ଟରରୁ ସଂଗ୍ରହ କରିଥିଲେ। ଟିକେଟ ନେବା ପାଇଁ କିଏ ଗଞ୍ଜାମରୁ ଆସିଥିଲେ ତ କିଏ କେନ୍ଦୁଝରରୁ। ହାତରେ ଟିକେଟ ପାଇବା ପରେ କ୍ରିକେଟପ୍ରମୀଙ୍କର ଆନନ୍ଦର ସୀମା ରହୁନଥିଲା। କିଏ ନିଜ ପାଇଁ ତ ଆଉ କିଏ ନିଜ ପୁଅ ପାଇଁ ଟିକେଟ ନେବାକୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିଲେ।
ଦୀର୍ଘ ୫ବର୍ଷ ପରେ ବାରବାଟୀରେ ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚକୁ ନେଇ ଢେର ଉତ୍ସାହିତ ଅଛନ୍ତି କ୍ରିକେଟ ପ୍ରେମୀ। ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ଟିକେଟ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି । ରାତି ଅନିଦ୍ରା ସାଙ୍ଗକୁ ଖାଇବା ପିଇବା ବି ନାହିଁ। ସତେ ଯେମିତି ସେମାନଙ୍କର ଗୋଟିଏ ଲକ୍ଷ୍ୟ “ଟିକେଟ ନେବି, ବାରବାଟୀରେ ଖେଳ ଦେଖିବି।” ହଜାର ହଜାର ଜନସାଧାରଣ ଲମ୍ବା ଲାଇନରେ ଛିଡା ହୋଇ ରହିଥିଲେ ଟିକେଟ ପାଇଁ। କିଛି ପରିମାଣରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ଠେଲା ପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । କିଛି ବିଶୃଙ୍ଖଳିତ ଲୋକଙ୍କ ପାଇଁ କିଛି ଭଲ ଲୋକ ମଧ୍ୟ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟି କୋଣରୁ କାଉଣ୍ଟର ନିକଟବର୍ତ୍ତୀ ଅଞ୍ଚଳରେ 27 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ବାରବାଟୀରେ ପାଖାପାଖି ୪୫ ହଜାର ଦର୍ଶକ ବସି ଖେଳ ଦେଖିପାରିବେ। ହେଲେ ଏହି ସଂଖ୍ୟା ତୁଳନାରେ ଆଶାୟୀ ଢେର ଅଧିକ। ତେଣୁ ଟିକେଟ ପାଇଁ ସୃଷ୍ଟି ହୋଇଥାଏ ଅଣାୟତ ପରିସ୍ଥିତି।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now