ବିଜେପି -ବିଜେଡି ଶିବିରରେ କିଏ କରୁଛି ଷଡ଼ଯନ୍ତ୍ର। ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ ଦଳ ବୈଠକରେ ଉଭୟ ଦଳରେ ହଟଚମଟ ସୃଷ୍ଟି ହୋଇଛି। ଏମିତିରେ ବିଜେଡି ବିଧାୟକ ଦଳ ବୈଠକରେ ସନାତନ ମହାକୁଡଙ୍କ ଅନୁପସ୍ଥିତିକୁ ନେଇ ସୁପ୍ରିମୋ ନବୀନଙ୍କ ତେରେଛା ବାଣ ଚର୍ଚ୍ଚାରେ ଥିଲା ବେଳେ ବିଜେପି ବିଧାୟକ ଦଳ ବୈଠକରେ ଲକ୍ଷ୍ମଣ ବାଗଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମୁହାଁମୁହିଁ ସ୍ଥିତି ଚର୍ଚାର ଘେରରେ ରହିଛି। ଗଣମାଧ୍ୟମ ଜରିଆରେ ସିଧାସଳଖ ସନା ଶୁଣାଇଦେଇଥିଲେ, ଜିଲ୍ଲାର ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଭୁଲ୍ ନୁହେଁ। ଏହାକୁ ନବୀନ କେଉଁ ଢଙ୍ଗରେ ନେବେ, ତାହା ତାଙ୍କ ଉପରେ ନିର୍ଭର କରେ। ସେପଟେ ଶାସକ ଦଳର ବିଧାୟକ ସତ୍ତ୍ୱେ ଏରିଆରେ କିଛି କାମ କରିପାରୁନୁ। ମନ୍ତ୍ରୀଙ୍କୁ ଲେଖିକି ଦେଲେ ବି କେହି ଶୁଣୁନାହାନ୍ତି। ବିଧାୟକ ହୋଇ କିଛି ଲାଭ ନାହିଁ ବୋଲି ଲକ୍ଷ୍ମଣ ବାଗ୍ କହିବାରୁ ଚିହିଁକି ଉଠିଥିଲେ ମନମୋହନ। ଦଳର କର୍ମକର୍ତ୍ତା ହୋଇ ରହିବାକୁ ଚାହୁଁଥିଲେ ଇସ୍ତଫା ଦେଇଦିଅ। ତେବେ ଲକ୍ଷ୍ମଣ କହିଛନ୍ତି, ସରକାର ତାଙ୍କର। ସେ କାହିଁକି ଇସ୍ତଫା ଦେବେ। ଏ ସବୁ ଚର୍ଚ୍ଚା ମିଛ। ହେଲେ ଏଭଳି ଚର୍ଚ୍ଚାରୁ ମଉକା ଗୋଟାଇବାକୁ ଚାହିଁଛି ବିଜେଡି ଶିବିର। ବିଜେଡି କହିଛି, ୮ ମାସର ସରକାରର ଅସଲ ଚିତ୍ର ସାମ୍ନାକୁ ଆସିଛି। କେବଳ ସୁନ୍ଦର ଭାଷଣରେ ସୀମିତ। ନିଜେ ବିଜେପି ବିଧାୟକମାନେ ଏହାର ଗୁମର ଖୋଲିଦେଲେଣି। ଏ ସରକାର ବିଲକୁଲ କାମ କରୁନାହାନ୍ତି। କେବଳ ନାଁ ଓ ରଙ୍ଗ ବଦଳାଇ ବାହାବା ଗୋଟାଇବାକୁ ଚାହାଁନ୍ତି। ବିଜେପି ଶିବିରରେ ଏଭଳି ହଟଚମଟ ଭିତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ୍। ବିଜେପି କାର୍ଯ୍ୟାଳୟରେ କୋର୍ କମିଟି ବୈଠକରେ ସାମିଲ୍ ହୋଇଛନ୍ତି।
ତେବେ ବିଜେଡି ଶିବିରରେ ଏହାଠୁ ଅଧିକ ହଲଚଲ। ଦଳ ଭିତରେ ଷଡ଼ଯନ୍ତ୍ର ଲାଗି ତାଙ୍କ ପୁଅ ପ୍ରୀତିରଞ୍ଜନ ହାରିଲେ କହି ଅସନ୍ତୋଷ ଝାଡ଼ିଛନ୍ତି ପ୍ରଫୁଲ୍ଲ ଘଡ଼ାଇ। ଜାଣିଶୁଣି ପ୍ରୀତିରଞ୍ଜନଙ୍କୁ କୋରେଇରୁ ସୁକିନ୍ଦା ପଠାଇ ଦିଆଗଲା। ନାମାଙ୍କନ ଦିନ ପ୍ରୀତିରଞ୍ଜନ କାନ୍ଦିଥିଲେ। ଅହଙ୍କାରରୁ ରାଜନୈତିକ ଦଳ ନଷ୍ଟ ହୁଏ ବୋଲି ଖୋଲାମଞ୍ଚରେ କହିଛନ୍ତି ପ୍ରଫୁଲ୍ଲ। ସେଥିଲାଗି ନିର୍ବାଚନ ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଛନ୍ତି। କୋରେଇ ନିର୍ବାଚନମଣ୍ଡଳୀ କରଦାରେ ଏକ ମହୋତ୍ସବରେ ସିନିୟର ଘଡ଼େଇଙ୍କ ଏଭଳି ମନ୍ତବ୍ୟ ପରେ ପ୍ରମିଳା ମଲ୍ଲିକ କହିଛନ୍ତି, ପ୍ରଫୁଲ୍ଲ ଜାଣିଥିବେ କେଉଁଠି ଷଡ଼ଯନ୍ତ୍ର ହୋଇଛି। ଦଳ ଭିତରେ ନା ଅହଙ୍କାର ବଢ଼ିଛି ନା କୌଣସି ଷଡ଼ଯନ୍ତ୍ର। ଦଳ ଯେମିତି ନବୀନଙ୍କ ନେତୃତ୍ୱରେ ଚାଲିଥିଲା ସେମିତି ଚାଲିଛି। ଆଉ ପ୍ରୀତିରଞ୍ଜନଙ୍କୁ ସୁକିନ୍ଦାରେ ହରାଇଥିବା ପ୍ରଦୀପ ବଳ ସାମନ୍ତ ସିନୟର ଘଡ଼ାଇଙ୍କ ଏଭଳି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି। ପ୍ରଫୁଲ୍ଲଙ୍କ ଏଭଳି ମନ୍ତବ୍ୟରୁ ଲାଗୁଛି, ପ୍ରୀତିରଞ୍ଜନ ଆଉ କେବେ ବି ସୁକିନ୍ଦାରୁ ଜିତିପାରିବେନି। ବୋଧହୁଏ ପ୍ରଫୁଲ୍ଲ ନିଜେ ସୁକିନ୍ଦାରୁ ଲଢ଼ିବାକୁ ଚାହୁଁଛନ୍ତି। ୨୦୨୯ ବେଳକୁ ପ୍ରଫୁଲ୍ଲଙ୍କୁ ୯୦ ବର୍ଷ ହୋଇଥିବ। ପରିଣତ ବୟସରେ ଲଢ଼ିବାକୁ ଇଛାଜାହିର କରୁଛନ୍ତି। ପରିବାରବାଦ ରାଜନୀତିର ଲୋଭରୁ ବାହାରିପାରୁନାହାନ୍ତି ଘଡ଼େଇ।
ବିଜେଡିରେ ସନାଙ୍କ ଆଚରଣ, ପ୍ରଫୁଲ୍ଲଙ୍କ ମନ୍ତବ୍ୟ ହଟଚମଟ ସୃଷ୍ଟି କରିଥିଲା ବେଳେ ବିଜେପି ଶିବିରରେ ଲକ୍ଷ୍ମଣ ବାଗଙ୍କ ସମେତ କିଛି ବିଧାୟକଙ୍କ ଖୋଲା ଅସନ୍ତୋଷ ଶାସକ ଦଳକୁ ବି ଅପ୍ରୀତିକର ପରିସ୍ଥିତିରେ ପକାଇଦେଲାଣି।

Naxatra News is now on Whatsapp
Join and get latest news update delivered to you via whatsapp
Join Now