୧୪ମାସର ଛୁଆକୁ ହତ୍ୟାକରି ଦମ୍ପତି କେମିତି କରିପାରିଲେ ଆତ୍ମହତ୍ୟା? ରାଜଧାନୀରେ ଚାଞ୍ଚଲ୍ୟ
ଏକାଥରକେ ଆତ୍ମହତ୍ୟା କଲେ ବାପ ମାଆ, ସାଥିରେ ନେଇଗଲେ ୧୪ ମାସର ଛୁଆ। ବାପା ମାଆ ଫାଶି ଲଗାଇ ଝୁଲି ପଡ଼ିଛନ୍ତି। ଆଉ ମାଆ ହାତରେ ରହିଛି ୧୪ମାସର ଶିଶୁ କନ୍ୟାର ମୃତଦେହ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର କଲୋନୀରୁ ଆସିଛି ଏଭଳି ଛାତିଥରା ଦୃଶ୍ୟ। ଘର ଭିତରୁ ମିଳିଛି ବାପା ମାଆ ଓ ଛୁଆର ମୃତଦେହ। ବାପା ମାଆ ବେକରେ ଫାଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଆଉ ମୃତ୍ୟୁ ପୂର୍ବରୁ ଦେଢ଼ବର୍ଷର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ମୃତକ ମାନେ ମହାରାଷ୍ଟ୍ରର ତୁଷାର ରାଜେନ୍ଦ୍ର ଜଗ୍ଦାବ୍, ତାଙ୍କ ପତ୍ନୀ ନେହାନୀଲା ଜଗ୍ଦାବ୍ ଓ ୧୪ମାସର ଝିଅ ଶିବିନା। ଅଭିଯୋଗ ହେଉଛି ଯେ ତୁଷାରଙ୍କ ପିତା ସବୁ ସମ୍ପତ୍ତି ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ନାଁରେ କରିଦେବା ପରେ ଆତ୍ମହତ୍ୟାର ଚରମ ନିଷ୍ପତ୍ତି ନେଇଥିଲେ ତୁଷାର ଓ ନେହାନୀଲା। ଆଉ ସାଥୀରେ ୧୪ମାସର ଝିଅକୁ ବି ମାରିଦେଇଥିଲେ।
ମିଳିଥିବା ସୂଚନା ଅନୁସାରେ ତୁଷାର କେନାଲ ରୋଡ୍ର କ୍ରିଷ୍ଣା ଲଜ୍ରେ କାମ କରୁଥିଲେ ଓ ପରିବାର ସହ ରହୁଥିଲେ। ମଦ୍ୟପାନ ଯୋଗୁଁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ବଢ଼ିଥିଲା। ଏଣୁ କିଛି ଦିନ ହେବ ଲଜ୍ ମାଲିକ ତୁଷାର ଓ ତାଙ୍କ ପରିବାରକୁ ଆଣି ନିଜ ଘରେ ରଖିଥିଲେ। ଘର ମାଲିକ ଉପରେ ରହୁଥିଲେ ଓ ତୁଷାର ପରିବାର ସହ ତଳେ ରହୁଥିଲେ। ସବୁଦିନ ତୁଷାର ଓ ତାଙ୍କ ପରିବାର ଖାଇବା ପାଇଁ ରାତି ୮ଟା ୩୦ରୁ ୯ଟା ଭିତରେ ଘର ମାଲିକଙ୍କ ପାଖକୁ ଆସୁଥିଲେ। ବୁଧବାର ଦିନ କିନ୍ତୁ ତୁଷାର କି ତାଙ୍କ ପତ୍ନୀ ଖାଇବା ପାଇଁ ନଆସିବାରୁ ଘର ମାଲିକାଣି ଡାକିବା ପାଇଁ ଯାଇଥିଲେ। ଅନେକ ସମୟ ଧରି ବନ୍ଦ ଘରୁ ଉତ୍ତର ନମିଳିବା ପରେ ଝରକା କବାଟ ଭାଙ୍ଗିଥିଲେ। ଆଉ ସାମ୍ନାକୁ ଆସିଥିଲା ଏହି ଛାତିଥରା ଦୃଶ୍ୟ। ତେବେ ମହାରାଷ୍ଟ୍ରରେ ଥିବା ତୁଷାରଙ୍କ ପରିବାର ଲୋକଙ୍କ ଘଟଣା ନେଇ ଖବର ଦେଇଛି କମିଶନରେଟ ପୁଲିସ। ସେମାନେ ଆସିଲେ ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିପାରେ।