ଓଡ଼ିଶା

ଏମକେସିଜି ମେଡିକାଲରୁ ୬ ଦଲାଲ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରୁ ୬ ଦଲାଲ ଗିରଫ । ଏହି ଦଲାଲ ମାନେ ଦୀର୍ଘ ଦିନ ଧରି ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଘରୋଇ କ୍ଲିନିକକୁ ନେଇ ଯାଉଥିଲେ । ପୋଲିସ, ରୋଗୀ ଓ ରୋଗୀର ସମ୍ପର୍କୀୟଙ୍କ ବେଶରେ ୬ ଦଲାଲଙ୍କୁ ଧରିବାରେ ସଫଳ ହୋଇଛି । ପୋଲିସର ଏଭଳି ପଦକ୍ଷେପକୁ ସହରବାସୀ ସ୍ବାଗତ କରିଛନ୍ତି । ଦଲାଲ ମାନେ ଗିରଫ ହେଲେ ହିଁ ମେଡିକାଲକୁ ଆସୁଥିବା ରୋଗୀ ମାନେ ସଠିକ ଚିକିତ୍ସା ସେବା ପାଇବା ସହ ଏମକେସିଜି ମେଡିକାଲ ଦଲାଲ ମୁକ୍ତ ହୋଇପାରିବ ବୋଲି କହିଛନ୍ତି ସହରବାସୀ ।

ବ୍ରହ୍ମପୁର ପୋଲିସ ଆରମ୍ଭ କରିଛି ଅପରେସନ ଦଲାଲ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଦାଲାଙ୍କ ରାଜ ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ପରେ ଦଲାଲଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଅଭିନବ ପଦକ୍ଷେପ । ବ୍ରହ୍ମପୁର ପୋଲିସର ଏକ ୧୫ ଜଣିଆ ଟିମ୍ ରୋଗୀ ଓ ରୋଗୀର ସମ୍ପର୍କୀୟଙ୍କ ବେଶ ହୋଇ ଏମକେସିଜି ମେଡିକାଲରେ ପହଞ୍ଚିଥିଲେ । ମେଡିକାଲରେ ପହଞ୍ଚି ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥିଲେ । ୱାର୍ଡରେ ଭଲ ଚିକିତ୍ସା ସେବା ଯୋଗାଇ ଦିଆଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ସମୟରେ କିଛି ଦଲାଲ ମାନେ ସମ୍ପୃକ୍ତ ରୋଗୀଙ୍କ ‌ନିକଟକୁ ଆସି ସେମାନଙ୍କୁ ଘରୋଇ ମେଡିକାଲକୁ ନେବାକୁ କହିଥିଲେ । ଏହି ସମୟରେ ଛଦ୍ମବେଶରେ ରହିଥିବା ପୋଲିସ ମାନେ ଦଲାଲଙ୍କୁ ଗିରଫ କରିଥିଲେ । ଏଭଳି ମେଡିକାଲର ବିଭିନ୍ନ ୱାର୍ଡରୁ ମୋଟ ୬ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ସମସ୍ତ ଦଲାଲଙ୍କୁ କୋର୍ଟ ଚାଲାଣ କରାଯାଇଛି । ଯେଉଁମାନେ ଏଭଳି ଅମାନବୀୟ ଓ ଅପରାଧିକ କାର୍ଯ୍ୟକଳାପ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।

ଦୀର୍ଘ ବର୍ଷ ଧରି ଏମକେସିଜି ମେଡିକାଲରେ ଦଲାଲଙ୍କ ରାଜ ଚାଲିଛି । ବିଳମ୍ବରେ ହେଲେ ମଧ୍ୟ ବର୍ତ୍ତମାନ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଯୋଗୁଁ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଜନସାଧାରଣ । ରୋଗୀଙ୍କୁ ଏଭଳି ଦଲାଲ ମାନେ ଲୁଟିବା ଘଟଣାରେ ଅନେକ ଏମକେସିଜି ମେଡିକାଲର କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିବା ନେଇ ଅଭିଯୋଗ ହୋଇଛି । ତେଣୁ ଦଲାଲ ମାନେ କେଉଁ ସବୁ ଘରୋଇ କ୍ଲିନିକ ସହ ଯୋଗାଯୋଗରେ ଅଛନ୍ତି । କେତେଦିନ ହେଲା ଏଭଳି ଦଲାଲ ମାନେ ମେଡିକାଲରେ ରୋଗୀଙ୍କୁ ଠକୁଛନ୍ତି ସେ ନେଇ ତଦନ୍ତ କରାଯାଉ । ଯାହାଫଳରେ ଦଲାଲ ମୁକ୍ତ ହୋଇପାରିବ ଏମକେସିଜି ମେଡିକାଲ ବୋଲି କହିଛନ୍ତି ସହରବାସୀ ।

ଏମକେସିଜି ମେଡିକାଲରୁ ଦଲାଲ ଗିରଫ ପରେ ପୋଲିସର ପରବର୍ତ୍ତୀ ପଦକ୍ଷେପ କଣ ରହିବ ଏବେ ତାହା ଉପରେ ସମସ୍ତଙ୍କ ନଜର ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button