ହସ୍ପିଟାଲରେ ଏୟାର ହୋଷ୍ଟେସଙ୍କୁ ଦୁଷ୍କର୍ମ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ହରିଆଣା ଗୁରୁଗାଁଓରୁ। ହସ୍ପିଟାଲର
କିଛି କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଯେତେବେଳେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ଏପ୍ରିଲ
୬ ତାରିଖର ଘଟଣା। ହସ୍ପିଟାଲର କିଛି କର୍ମଚାରୀ ତାଙ୍କୁ ଯୌନଶୋଷଣ କରିଥିଲେ। ଏ ନେଇ ସଦର ଥାନାରେ
ମାମଲା ରୁଜୁ ହୋଇଛି। ପୁଲିସରେ ଏତଲା ଅନୁସାରେ ସଂପୃକ୍ତ ୪୬ ବର୍ଷୀୟା ଏୟାର ହୋଷ୍ଟେସ କମ୍ପାନୀ ତରଫରୁ
ଟ୍ରେନିଂ ଦେବାକୁ ଆସିଥିଲେ। ଫାଇଭ-ଷ୍ଟାର ହୋଟେଲରେ ରହୁଥିଲେ। ହୋଟେଲର ସୁଇମିଂ ପୁଲରେ ବୁଡ଼ିବା
ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏପ୍ରିଲ ୫ ତାରିଖରେ ଗୁରୁଗ୍ରାମରେ ଥିବା ମେଦାନ୍ତା- ଦି ମେଡିସିଟିରେ
ଉନ୍ନତ ଚିକିତ୍ସା ଲାଗି ସେ ଭର୍ତ୍ତି ହୋଇଥିଲେ। ଆଉ ଅବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ କିଛି ଦିନ
ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଆଉ ଏତିକିବେଳେ ହିଁ ହସ୍ପିଟାଲର କିଛି କର୍ମଚାରୀ
ତାଙ୍କୁ ଯୌନଶୋଷଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଅର୍ଧଚେତନ ଅବସ୍ଥାରେ ଥିବାରୁ ସେ ନା କୌଣସି ବିରୋଧ
କରିପାରୁଥିଲେ ନା କିଛି କହିବାକୁ ସମର୍ଥ ଥିଲେ। ଏଭଳି ଘଟୁଥିଲା ବେଳେ ଦୁଇ ଜଣ ନର୍ସ ବି ପାଖରେ ଥିଲେ।
କିନ୍ତୁ ସେମାନେ କୌଣସି ହସ୍ତକ୍ଷେପ କରିନଥିଲେ। ଏପ୍ରିଲ ୧୩ରେ ହସ୍ପିଟାଲରୁ ଡିସଚାର୍ଜ ପରେ ଏୟାର
ହୋଷ୍ଟେସ ଜଣକ ସବୁ କଥା ନିଜ ସ୍ୱାମୀଙ୍କୁ କହି ପୁଲିସରେ ଏତଲା ଦେଇଥିଲେ। ପୁଲିସ ହସ୍ପିଟାଲର ସିସିଟିଭି
ଫୁଟେଜ୍ ଜବତ କରି ତଦନ୍ତ ଜାରି ରଖିଛି। ଡ୍ୟୁଟିଚାର୍ଟ ବି ସିଜ୍ ହୋଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ
ଚିହ୍ନଟ ସହ ସେମାନଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ହେବ ବୋଲି କହିଛି ପୁଲିସ। ସେପଟେ ହସ୍ପିଟାଲ ପକ୍ଷରୁ
ବି ପ୍ରେସରିଲିଜ ଜାରି କରି କୁହାଯାଇଛି, ଏ ଘଟଣାରେ ପୁଲିସକୁ ତଦନ୍ତରେ ସବୁପ୍ରକାର ସହଯୋଗ କରାଯାଉଛି।
ଯିଏ ବି ଦୋଷୀ, ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆକ୍ସନ ହେଉ ବୋଲି କର୍ତ୍ତୃପକ୍ଷ ବି ଦାବି
କରିଛନ୍ତି। ତେବେ ଏଭଳି ଘଟଣା ନୂଆ ନୁହେଁ। ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଗଲା ବର୍ଷ ଜୁଲାଇରେ
୫୧ ବର୍ଷୀୟା କାଜକିସ୍ତାନ ମହିଳାଙ୍କୁ ହସ୍ପିଟାଲ ଆଟେଣ୍ଡାଣ୍ଟ ଦୁଷ୍କର୍ମ କରିଥିଲେ। ୨୦୧୬ରେ ଜଣେ
ଇରାନୀ ମହିଳାଙ୍କୁ ବି ଏଭଳି ଯୌନଶୋଷଣ ହୋଇଥିଲା ବୋଲି ଅଭିଯୋଗ ଆସିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now