ଆମ୍ୱେଦକରଙ୍କୁ ଅନୁକରଣରେ ଆଗରେ କିଏ?

ଭାରତରତ୍ନ ଡକ୍ଟର ଭୀମରାଓ ଆମ୍ୱେଦକରଙ୍କ ଆଜି ୧୩୫ତମ ଜୟନ୍ତୀ। ସମ୍ୱିଧାନ ପ୍ରଣେତା। ସମ୍ୱିଧାନକୁ ଯିଏ ସମାନତା, ନ୍ୟାୟ ଓ ସ୍ୱତନ୍ତ୍ରତାର ଆଧାର ଭାବେ ସଜାଇଛନ୍ତି। ଶିକ୍ଷା, ସଂଘର୍ଷରୁ ସମାନତା, ସମ୍ମାନର ସହ ବଞ୍ଚିବାକୁ ଯିଏ ବଞ୍ଚିତ ବର୍ଗକୁ ବାଟ ଦେଖାଇଥିଲେ। ସେପଟେ ଆମ୍ୱେଦକରଙ୍କ ଜୟନ୍ତୀରେ ରାଜନୀତି ବି ତେଜ୍ ହୋଇଛି। କେଉଁ ଦଳ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ବିକାଶ ଲାଗି ସଂକଳ୍ପବଦ୍ଧ ଓ ସମର୍ପିତ ବୋଲି ପ୍ରତିଯୋଗିତାର ଦୃଶ୍ୟପଟ୍ଟ ଦେଖାଦେଇଛି। ଝାଡ଼ଖଣ୍ଡର ମନ୍ତ୍ରୀ ଏଚ. ଅନସାରୀ କହିଛନ୍ତି, ସେ ହାତରେ ସମ୍ୱିଧାନ ବହି ଧରନ୍ତି। କିନ୍ତୁ ଛାତିରେ କୁରାନ୍।  ସେଥିଲାଗି ତ ସରିୟା ଆଇନ ସମ୍ୱିଧାନରୁ ବି ଉପରେ ବୋଲି କହିଛନ୍ତି ଅନସାରୀ। ଏହାକୁ ନେଇ ବିଜେପି ଭର୍ତ୍ସନା କରିଛି। ସରିଆ କେମିତି ସମ୍ୱିଧାନ ଉପରେ ହୋଇଗଲା ବୋଲି ଇଣ୍ଡି ମେଣ୍ଟକୁ କଟାକ୍ଷ କରିଛନ୍ତି ସେହେଜାଦା ପୁନାଓ୍ୱାଲା। ଆମ୍ୱେଦକରଙ୍କ ନାଁ ନେଇ ସମ୍ୱିଧାନର ରକ୍ଷକ ବୋଲି ଡିଣ୍ଡିମ ପିଟୁଥିବା ଇଣ୍ଡିମେଣ୍ଟ ନେତାଙ୍କ ଅସଲ ଚେହେରା ଜାଣନ୍ତୁ। ମୁହଁରେ ସମ୍ୱିଧାନ, କିନ୍ତୁ ହୃଦୟରେ ଭୋଟ ବ୍ୟାଙ୍କର ଦୋକାନ ସେଥିଲାଗି କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗରେ ଓ୍ୱାକଫ ଆଇନ ବିରୁଦ୍ଧରେ ହିଂସା ହେଉଛି। ମୁସଲିମଙ୍କୁ ସଂରକ୍ଷଣ ଦେବାକୁ ବିରୋଧ କରନ୍ତି ଏମାନେ। ଦଙ୍ଗା ଗଣତନ୍ତ୍ର ଉପରେ ବୋଲି ଭାବନ୍ତି। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଆପ୍। ଆମ ଆଦମୀ ସରକାର ଅମଳରେ ସମସ୍ତ ମନ୍ତ୍ରୀ, ଅଫିସରଙ୍କ ଦପ୍ତରରେ ବାବାସାହେବଙ୍କ ଫଟୋ ଥିଲା। କିନ୍ତୁ ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବି ନିଜ ଦପ୍ତରରୁ ଆମ୍ୱେଦକରଙ୍କ ଫଟୋ ହଟାଇନେଇଛନ୍ତି। ବିଜେପିର ହୃଦୟରେ ତ ନାହାନ୍ତି, ଏମାନଙ୍କ ଅଫିସ ଦପ୍ତରର କାନ୍ଥରେ ବି ଆମ୍ୱେଦକର ନାହାନ୍ତି ବୋଲି କଟାକ୍ଷ କରିଛନ୍ତି ଦିଲ୍ଲୀ ଆପ୍ ମୁଖ୍ୟ ସୌରଭ ଭରଦ୍ୱାଜ୍। ସେପଟେ ତେଲେଙ୍ଗାନାରେ ଓ୍ୱାକଫ ବିଲ୍ ବିରୁଦ୍ଧରେ ବଡ଼ ଧରଣର ଆନ୍ଦୋଳନ ହୋଇଥିଲା। ଏହି ନୂଆ ଆଇନ ଭାରତୀୟ ସମ୍ୱିଧାନ ବିରୋଧୀ। ମୁସଲିମଙ୍କ ବିଶ୍ୱାସ ଓ ଭବିଷ୍ୟତକୁ ବିପଦ। ଏହି ବିଲ୍ ପ୍ରତ୍ୟାହାର ନ ହେଲା ଯାଏ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ଫାଇମ୍ କୁରୈସୀ। ପଶ୍ଚିମବଙ୍ଗ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକରେ ଓ୍ୱାକଫ ଆଇନ ବିରୁଦ୍ଧରେ ଆନ୍ଦୋଳନ ଓ ହିଂସାକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓ୍ୱାକଫ ସଂଶୋଧ ଆଇନକୁ ବିରୋଧ କରୁଥିବା କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କଂଗ୍ରେସ ଦଳ ଭୋଟ ବ୍ୟାଙ୍କର ଭାଇରସକୁ ବିସ୍ତାର କରୁଥିବାର ଆରୋପ ଲଦିଛନ୍ତି ମୋଦି। ତା ସହ ଅନୁସୂଚିତ ଜାତି ଜନଜାତି ସମ୍ପ୍ରଦାୟକୁ ବି ସେକେଣ୍ଡ କ୍ଲାସ୍ ସିଟିଜେନ୍ ଭାବେ ବିରୋଧୀ ଦେଖନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ସମ୍ୱିଧାନର ଧ୍ୱଂସକର୍ତ୍ତା। ଡକ୍ଟର ଆମ୍ୱେଦକର ସମାନତା ଆଣିବାକୁ ପ୍ରୟାସ କରୁଥିଲେ। କିନ୍ତୁ କଂଗ୍ରେସ ଭୋଟବ୍ୟାଙ୍କ ପଲିଟିକ୍ସ ପାଇଁ ଭାଇରସକୁ ବିସ୍ତାର କରୁଛି। ବାବା ସାହେବ ଚାହୁଁଥିଲେ ସମସ୍ତ ଗରିବ, ପଛୁଆ ବର୍ଗ ମର୍ଯାଦା ସହ ନିଜ ମୁଣ୍ଡ ଉପରକୁ କରି ବଞ୍ଚନ୍ତୁ। ନିଜର ସ୍ୱପ୍ନକୁ ସାକାର କରନ୍ତୁ। କିନ୍ତୁ କଂଗ୍ରେସ ଅମଳରେ ଏସସି, ଏସଟି, ଓବିସିଙ୍କ ଲାଗି ତ ବ୍ୟାଙ୍କ ଦୁଆର ବନ୍ଦ ହୋଇଗଲା। ଏହି ବର୍ଗଙ୍କୁ ଋଣ ମିଳିବା ସ୍ୱପ୍ନ ହୋଇଯାଇଥିଲା। କିନ୍ତୁ ଏବେ ଜନଧନ ଆକାଉଣ୍ଟରେ ସବୁଠୁ ବଡ଼ ହିତାଧିକାରୀ ସାଜିଛନ୍ତି ଏସସି,ଏସଟି ଓ ଓବିସି ସମୁଦାୟ । ଓ୍ୱାକଫ ବୋର୍ଡ ଅଧୀନରେ ଲକ୍ଷ ଲକ୍ଷ ହେକ୍ଟର ଜମି ଅଛି। କିନ୍ତୁ ଏ ସବୁ ସମ୍ପତ୍ତିର ବ୍ୟବହାର ସଠିକ ଢଙ୍ଗରେ କରି ଗରିବ ଓ ଜରୁରୀ ଲୋକଙ୍କ କାମରେ ଲାଗିବ। କେବଳ ଜମି ମାଫିଆ ଏ ସବୁ ସମ୍ପତ୍ତିରୁ ଲାଭବାନ ହେଉଥିଲେ ବୋଲି କହିଛନ୍ତି ମୋଦି। ଜମି ଲୁଟର କାରସାଦି ଏହି ନୂଆ ଆଇନ ବଳରେ ବନ୍ଦ ହେବ। ନୂଆ ଓ୍ୱାକଫ ଆଇନରେ କୌଣସି ଆଦିବାସୀଙ୍କ ଜମିକୁ ଓ୍ୱାକଫ ବୋର୍ଡ ଛୁଇଁପାରିବନି। ଗରିବ ମୁସଲିମ ସେମାନଙ୍କ ଅଧିକାର ପାଇବେ। ଏହା ହିଁ ପ୍ରକୃତ ସାମାଜିକ ନ୍ୟାୟ ହେବ ବୋଲି ହରିଆଣାର ହିସାରରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଜାତି ଜନଗଣନା ଜରୁରୀ। ସାମାଜିକ ନ୍ୟାୟ ଆଳରେ ଶିକ୍ଷା, ନିଯୁକ୍ତି, ଜମିର ମାଲିକାନା ହକ୍ ଆଦି ଉପରେ କେଉଁ ବର୍ଗ କେତେ ବିକାଶ କରିଛି, ତାହାର ବାସ୍ତବତା ଜାଣିହେଉନି। ଏସସି-ଏସଟି ସବପ୍ଲାନ୍ ଲାଗୁ ହେଉ। ଉଚ୍ଚଶିକ୍ଷା କ୍ଷେତ୍ରରେ ଦଳିତ ପିଲା ସଂରକ୍ଷଣ ଅଭାବରୁ କେମିତି ପଢ଼ିବେ। କଂଗ୍ରେସ ଦଳ ୫ଟି ଦାବିକୁ ନେଇ ସଡ଼କରୁ ସଂସଦ ଯାଏ ସଂଘର୍ଷ କରିବ। ବାବାସାହେବଙ୍କ ନୀତିକୁ କେବଳ କହୁଛନ୍ତି ମୋଦି ସରକାର। କିନ୍ତୁ ଏହାକୁ କରିବାକୁ ପ୍ରସ୍ତୁତ ନୁହଁନ୍ତି। କେବଳ କଂଗ୍ରେସ ବିରୁଦ୍ଧରେ କହୁଛନ୍ତି। ଆମ୍ୱେଦକରଙ୍କ ଜୟନ୍ତୀରେ ତେଜ୍ ହୋଇଛି ରାଜନୀତି। ତାଙ୍କ ନୀତିକୁ କିଏ ଅନୁସରଣ କରୁଛି। ଏହାକୁ କାର୍ଯ୍ୟକାରୀ କରୁଛି। ତାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଦେଖିବାକୁ ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *