ଅଣଦେଖା କଲେ ଭୋଗିବ ବିଡିଏ

ଟିପି ସ୍କିମର ସାଇଡ ଇଫେକ୍ଟ। ରାସ୍ତା, ଡ୍ରେନ, ସ୍ୱେରେଜ ଓ ବିଜୁଳି ସହ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ସହ ସାଇଜି଼ଆ ପ୍ଲଟ୍ ଦେଉଛି ବିଡିଏ। ଘରବାରି କିସମ ପଟ୍ଟା ବି କରିକି ଦେବ ବୋଲି କହୁଛି ବିଡିଏ। ଯେଉଁଠି ଟିପି ହୋଇଗଲାଣି, ଜମିର ଦର ବି ଆକାଶଛୁଆଁ ହେଲାଣି। ଜମି ମାଲିକ ବି କୁଆଡ଼େ ଖୁସ୍। ଜମିର ୪୦ ପ୍ରତିଶତ ଦେଇ ବି ଶହେ ଗୁଣା ଲାଭ ପାଉଛନ୍ତି। ବିଡିଏ ବି ଜମି ଅଧିଗ୍ରହଣ ଓ କ୍ଷତିପୂରଣ ଝାମେଲାରେ ପଡ଼ୁନି। ରିଂ ରୋଡ୍ ଲାଗି ଜମି ବାଧକ ସାଜୁନି। ଏମିତି କରି ୪୫ ଖଣ୍ଡ ମୌଜା ଦେଇ ୬୫ କିଲୋମିଟରର ରିଂ ରୋଡ୍ ଯିବ। ୮୬୧ ଏକର ପରିମିତ ଜାଗାରେ ମୁଣ୍ଡ ଟେକିବ ନ୍ୟୁ-ସିଟି। ନଗର ଉନ୍ନୟନ ମନ୍ତ୍ରୀ ବି କହିଛନ୍ତି, ଟିପି ସ୍କିମ୍ ହିଁ ସହରୀକରଣର ମୁଖଶାଳା। ସେଥିଲାଗି ସବୁ ସହର ଉପକଣ୍ଠରେ ଅଧିକରୁ ଅଧିକ ଟିପି ସ୍କିମ୍ ହେବ। କାରଣ ସହର ବଢ଼ୁଛି। ସେହି ଅନୁପାତରେ ଟ୍ରାଫିକ୍ ସମସ୍ୟା କମିବ। ଲୋକେ ପ୍ଲାନିଂ ଓ୍ୱେ-ରେ ଘର ଖଣ୍ଡେ ପାଇବାର ସମସ୍ୟାରୁ ମୁକୁଳିବେ। ଟିପି ନୋଡାଲ ଅଫିସର କହିଛନ୍ତି, ଆଗରୁ ଚାଲିଥିବା ଟିପି ସ୍କିମରେ ଯାହା ତୃଟିବିଚ୍ୟୁତି ହୋଇଥିଲା, ତାକୁ ସଜଡ଼ାଯିବ।

ତେବେ ଅନ୍ଧାରୁଆ-ଦାସପୁର ଟିପି-୮ରେ ବିଡିଏର ଏହି ନିର୍ଭର ପ୍ରତିଶୃତି ଅନୁସାରେ ଏହାର ବାସ୍ତବତାକୁ ଗ୍ରାଉଣ୍ଡରେ ପରଖିଥିଲା ନକ୍ଷତ୍ର ନ୍ୟୁଜ୍। ଟିପି ଓ୍ୱାନରେ ଯାଉଥିବା ସିଜିପୁଟ ଓ ନାରଗୋଦା ମୌଜାରେ ପରଖିଥିଲା ଜମି ମାଲିକଙ୍କ ମାନସିକତା ଓ ଆର୍ଥିକ ଅବସ୍ଥାକୁ। ଚାରିଆଡ଼େ ରାସ୍ତା। ବକ୍ସ-ଡ୍ରେନ୍। ବ୍ରିଜ୍। କଂକ୍ରିଟ ଓ୍ୱାଲ୍। ଦିନ ରାତି କାମ ଚାଲିଛି ଯେ ଚାଲିଛି। ଆଖିରେ ପଡ଼ିଗଲେ ନାରଗୋଦା ଗାଁର ଦୁଇ ଜମି ମାଲିକ। ଜଣେ ଗାଈ ଚରାଉଥିଲେ ଓ ଛେଳି ଚରାଉଥିଲେ। ୬ ବର୍ଷ ପୂର୍ବରୁ ଗାଁ କେମିତି ଥିଲା, ଟିପି ସ୍କିମ ପରେ କେମିତି ହୋଇଛି। ଅନୁଭବ ପଚାରିବାରୁ ଅସନ୍ତୋଷ ଓଗାଳିଥିଲେ। ମାନିଲେ ଯେ, ଜମି ଦର ବେଶ୍ ବଢ଼ିଯାଇଛି ସତ। ହେଲେ ଏବେ ତାଙ୍କ ପିଲାମାନେ ଜମି ବିକି ବେକରେ ସୁନା ଚେନ୍ ଓ ହାତରେ ସୁନା ବଳା ପିନ୍ଧି ବୁଲୁଛନ୍ତି। ଆଉ କିଛି ଦିନ ପରେ ସବୁ ବିକି ଭାଙ୍ଗି ଖାଇଦେବେ। ଭବିଷ୍ୟତ ଅନ୍ଧାର। ବିଡିଏ ଯେଭଳି ଜାଗା ଦେଇଛି, ସେଥିରେ ମାଟି ପୋତି ଘର କରିବା ଅସମ୍ଭବ। ଖାଲୁଆ ଜମିରେ ଜାଗା କେଉଁ କାମରେ ଲାଗିବ। ବିଡିଏର କିଛି ଅଧିକାରୀ ତ ଉତ୍ତରାଧିକାରୀ, ଝିଅ-ଝିଆଣୀଙ୍କ ସ୍ୱାକ୍ଷର, ମୃତ ପ୍ରମାଣପତ୍ର ଆଦି କାଗଜପତ୍ର ମାଗି ସେମାନଙ୍କୁ ନୟାନ୍ତ କରିଦେଇଛନ୍ତି। ଜାଗା ନେଲ। ଜମିର ବିକାଶ କରିକି ଦେବା ବଦଳରେ ଏମିତି ହନ୍ତସନ୍ତ କରୁଥିଲେ କିଛି ଅଫିସର। କାରଣ ବିଡିଏ କେବଳ ପଟ୍ଟାଧାରୀଙ୍କୁ ଚିହ୍ନେ। ଜାଗାର ମାଲିକାନାକୁ ନେଇ କୌଣସି ବିବାଦ ଥିଲେ, ସେଥିରେ ମୁଣ୍ଡ ପୁରାଇବନି ବୋଲି ଆରମ୍ଭରୁ ସ୍ପଷ୍ଟ କରିଥିଲା ବିଡିଏ।ସମୟ ଥିଲା, ଗାଁରେ ବିଡିଏ ପଶିଲେ ପିଟିବୁ ବୋଲି ଏକଦା ପଣ କରିଥିଲେ ଲୋକେ। ଯାହା ନାଁରେ ଜାଗାର ପଟ୍ଟା ଅଛି, ତାକୁ ଖୋଜିବା ବଦଳରେ ମୂଳ ମାଲିକଙ୍କୁ ଡାକ। ପାର୍ଟ ହୋଇଥିବା ଜମିର ଅନ୍ୟ କ୍ରେତାଙ୍କୁ ଆଣିଲେ ଯାଇ ଦଖଲ ଦେବୁର ପ୍ରହସନ କରୁଥିଲେ କିଛି ଅଧିକାରୀ। ଜାଗାକୁ ନେଇଭାଇଆଳି ବିବାଦ ଭିତରେ ବି କେଁ ପୁରାଉଥିଲେ। ପ୍ଲାନିଂ କାମ ଛାଡ଼ି ରାଜସ୍ୱର ଜଟିଳତା ଆଡ଼କୁ ଟାଣୁଥିଲେ ଲୋକଙ୍କୁ ଅଫିସର୍।

ବିକାଶର ନକ୍ସା ଭିତରେ ଗାଁ ଲୋକଙ୍କ ଭାବପ୍ରବଣତା ସହ ଖେଳୁଥିଲେ ବିଡିଏର କିଛି ଅଫିସର। ସେଥିଲାଗି ତ ସହମତିରେ ଜମି ଦେବାକୁ ଏକଦା ରାଜି ହୋଇଥିବା ଜମି ମାଲିକ ଅଫିସରଙ୍କ ନାନା ଫନ୍ଦିରୁ ବିଶ୍ୱାସ ହରାଇବସିଥିଲେ। ଏସବୁ ତୃଟି ବିଚ୍ୟୁତିରୁ ବିଡିଏ ଶିଖିବ ବୋଲି ଆଶା ଅଛି। କାରଣ ଆରମ୍ଭରୁ ବେଶ୍ ବାଧାବିଘ୍ନର ସମ୍ମୁଖୀନ ହୋଇ ଲୋକଙ୍କ ଭରସା ଜିତି ଏତେ ବାଟ ମାଡ଼ିଆସିଥିବା ବିଡିଏ ଏଣିକି ଯେମିତି କିଛି ଭୁଲ୍ ନ କରୁ।

ଟିପି ସ୍କିମର ଚାହିଦା ବଢ଼ୁଛି। ଲୋକେ ବି ସହମତିରେ ଜମି ଦେଇ ସରକାରଙ୍କ ବିକାଶ ନକ୍ସାରେ ଯୋଡ଼ି ହେଉଛନ୍ତି। କିନ୍ତୁ କିଛି ଅଫିସରଙ୍କ ମନମାନିରୁ ନାନ ଫନ୍ଦି କାଢ଼ି ଲୋକଙ୍କୁ ଆଗରୁ ଯେମିତି ହଇରାଣ ହରକତ କରାଯାଉଥିଲା, ଅନ୍ତତଃ ସେଥିରେ ରୋକ୍ ଲାଗିବା ଜରୁରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *