ରୂପାର ବଳା ପାଇଁ ଶ୍ମଶାନରେ ଦୁଇ ଭାଇ ଭିତରେ ଲଢ଼େଇ। ସ୍ଥିତି ଏମିତି ହେଲା ଯେ, ମାଆର ଚିତା ଉପରେ ଜଣେ ପୁଅ ଶୋଇପଡ଼ିଲା। ଆଗ ରୂପାର ବଳା ଦେଲେ ଯାଇ ମାଆକୁ ପୋଡ଼ାଯିବ। ଏଭଳି ଲଜ୍ଜାଜନକ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ରାଜସ୍ଥାନରେ। ପରିସ୍ଥିତି ଏମିତି ହେଲା ଯେ, ଗହଣା ମିଳିବା ପରେ ଚିତା ଉପରୁ ଉଠିଥିଲା ପୁଅ। ତା ପରେ ଯାଇ ମାଆର ଅନ୍ତିମ ସଂସ୍କାର ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ହଙ୍ଗାମା ହୋଇଥିଲା। କୋଟପୁତଲି ବହାରୋଡ଼ ଜିଲ୍ଲାର ବିରାଟନଗରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏଭଳି ଲଜ୍ଜାଜନକ ଘଟଣାର ଭିଡ଼ିଓ ଭାଇରାଲ ହେଉଛି। ବିରାଟନଗର ଗାଁର ଓମପ୍ରକାଶର ନିଜର ୬ ଭାଇଙ୍କ ସହ ଗଲା ୪ ବର୍ଷ ହେଲା ସମ୍ପତ୍ତି ବିବାଦ ଥିଲା। ମାଆ ଭୁରୀ ଦେବୀଙ୍କ ପରଲୋକ ପରେ ଯେତେବେଳେ ତାଙ୍କର ଅନ୍ତିମସଂସ୍କାର ଲାଗି ଚିତା ସଜାଉଥିଲେ ଗାଁ ଲୋକେ। ସେତିକିବେଳେ ହଙ୍ଗାମା ଆରମ୍ଭ ହୋଇଥିଲା। ଅନ୍ତିମ ଯାତ୍ରା ପୂର୍ବରୁ ଭୁରୀ ଦେବୀଙ୍କ ଗହଣା ଓହ୍ଲାଇ ବଡ଼ ପୁଅ ଗିରିଧାରୀକୁ ଦିଆଯାଇଥିଲା। ଏହା ପରେ ଅନ୍ତିମ ଯାତ୍ରା ବାହାର କରାଯାଇଥିଲା। ଅନ୍ୟତମ ପୁଅ ଓମପ୍ରକାଶ ବି ମାଆର କୋକେଇକୁ କାନ୍ଧ ଦେଇଥିଲା। ଶ୍ମଶାନରେ ପହଞ୍ଚିବା ପରେ ଚିତାରେ କାଠ ଥୋଇବା ବେଳେ ଓମପ୍ରକାଶ ମାଆର ଗହଣା ଓ ରୂପାର ବଳା ନେବାକୁ ହଙ୍ଗାମା ଆରମ୍ଭ କରିଦେଇଥିଲା। ଯିଏ ଯେତେ ବୁଝାଇଲେ ବି ବୁଝିନଥିଲା। ବାଧ୍ୟହୋଇ ଗାଁ ଲୋକେ ବଡ଼ ପୁଅଠୁ ମାଆର ଗହଣା ମଗାଇ ଓମପ୍ରକାଶକୁ ଦେଇଥିଲେ। ଏହା ପରେ ଯାଇ ଚିତା ଉପରୁ ଉଠିଥିଲା ଓମପ୍ରକାଶ। ଆଉ ଅନ୍ତିମସଂସ୍କାର ସମ୍ପନ୍ନ ହୋଇଥିଲା। ଭୁରୀ ଦେବୀଙ୍କ ସ୍ୱାମୀ ଛିତ୍ରମଲଙ୍କ ୨ ବର୍ଷ ପୂର୍ବରୁ ପରଲୋକ ହୋଇସାରିଛି। ଓମ୍ ପ୍ରକାଶ ୭ ଭାଇଙ୍କ ଭିତରେ ପଞ୍ଚମ ଅଟେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now