ଶେଷରେ କୋର୍ଟଙ୍କ ନିର୍ଦ୍ଦେଶରେ ହଟିଲା ବିଷାକ୍ତ ଅବଶେଷ । ୪୦ ବର୍ଷ ପରେ ଦୁର୍ଘଟଣାସ୍ଥଳୀରୁ ହଟିଲା ବିଷାକ୍ତ ବର୍ଜ୍ୟବସ୍ତୁ । ୨୦୨୫ର ପ୍ରଥମ ଦିନରେ ହଟିଛି ଫ୍ୟାକ୍ଟ୍ରିର ବିପଦଜନକ ବର୍ଜ୍ଜ୍ୟ । ପ୍ରାୟ ୭ଶହ କର୍ମଚାରୀଙ୍କ ସହାୟତାରେ ରାତି ସମୟରେ ଏହି କାମ ହୋଇଛି। ପ୍ରଶାସନର ଆଶ୍ୱାସନା ସତ୍ତ୍ୱେ ପିଥମପୁର ଇଣ୍ଡଷ୍ଟ୍ରିଆଲ ଏରିଆରେ ଭୟର ବାତାବରଣ ଦେଖାଦେଇଛି।
୧୯୮୪ ଡିସେମ୍ୱର ୨ ରାତିରେ ଘଟିଥିବା ଭୟଙ୍କର ଦୁର୍ଘଟଣା ପୁଣି ସମସ୍ତଙ୍କ ମନରେ ସତେଜ ହୋଇଯାଇଛି । ସରକାରୀ ଭାବେ ୫,୪୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଅକ୍ଷମ ହୋଇ ଯାଇଥିଲେ । ଘଟଣାର ବହୁ ବର୍ଷ ପର୍ଯ୍ୟନ୍ତ ସେହି ବିଷାକ୍ତ ଗ୍ୟାସ ପିଢି ପରେ ପିଢିକୁ ରୋଗଗ୍ରସ୍ତ କରିଥିଲା । ଭୋପାଳର ଏଭଳି ଗ୍ୟାସ ଲିକ ଦୁର୍ଘଟଣା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା । ୟୁନିୟନ କାର୍ବାଇଡ କୀଟନାଶକ ଫ୍ୟାକ୍ଟ୍ରିରୁ ଲିକ ହୋଇ ଯାଇଥିଲା ବିଷାକ୍ତ ମିଥାଇଲ ଆଇସୋସିଏନେଟ ଗ୍ୟାସ । ଦେଖୁ ଦେଖୁ ମଣିଷ ମଡ଼କର ଅଞ୍ଚଳ ପାଲଟି ଯାଇଥିଲା ଶିଳ୍ପାଞ୍ଚଳ । ଯାହା ବିଶ୍ୱର ସବୁଠାରୁ ଭୟଙ୍କର ଶିଳ୍ପାନୁଷ୍ଠାନ ଦୁର୍ଘଟଣା କୁହାଯାଏ । ତେବେ ଏତେ ବର୍ଷ ପରେ ମଧ୍ୟ ପରିତ୍ୟକ୍ତ ଫ୍ୟାକ୍ଟ୍ରି ହତାରେ ପଡ଼ିଥିବା ବର୍ଜ୍ଜ୍ୟ କଢା ହୋଇ ନଥିଲା । ଯାହା ୧ ତାରିଖ ରାତିରେ ଶେଷରେ ସ୍ଥାନାନ୍ତର ହୋଇଛି ।
୩୩୭ ଟନ ର ଏହି ବିପଦଜନକ ବର୍ଜ୍ୟକୁ ୧୨ଟି ସିଲ୍ଡ କଣ୍ଟେନରରେ ଭର୍ତ୍ତି କରି ଟ୍ରକରେ ସ୍ଥାନାନ୍ତର କରାଯାଇଛି । ଭୋପାଳ ଠାରୁ ୨୩୦ କିଲୋମିଟର ଦୂର ଧର୍ ଜିଲ୍ଲାର ପିଥମପୁର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଏହାକୁ ନଷ୍ଟ କରାଯିବ । ଏହି ଅଞ୍ଚଳଟି ଇନ୍ଦୋର ଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ତେବେ ପୋଲିସ ଏସକର୍ଟ ସହ ଗ୍ରୀନ କରିଡର କରି ଅତ୍ୟଧିକ ସୁରକ୍ଷା ପ୍ରାବଧାନ ସହ ଏସବୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ଏକ କିଲୋମିଟର ଲମ୍ୱରେ ୪୦ଟି ଗାଡି ପଛକୁ ପଛ ଯାଇ ପିଥମପୁର ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡରେ ପହଞ୍ଚିଛି । ସେହିଠାରେ ହିଁ ଏସବୁ ନଷ୍ଟ କରାଯିବ । ଏହି ପ୍ରକ୍ରିୟା ପାଇଁ ୫ଟି ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି । ୩୩୭ ମେଟ୍ରିକ ଟନର ଏହି ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ନଷ୍ଟ କରାଯିବ । ସେଥିପାଇଁ ପ୍ରାୟ ୯ମାସ ସମୟ ଲାଗିପାରେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now