ଏନଡିଏର ସୁନାମୀ ବିଜୟ ଓ ଅଭୂତପୂର୍ବ ସଫଳତା ପଛରେ କିଙ୍ଗମେକର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାକୁ ନେଇ ପୁଣି ଚର୍ଚ୍ଚା। କିଏ କହେ ସେ ଜିତାଇବା ଜାଦୁଗର ତ ପୁଣି କିଏ କହେ ସେ ହେଉଛନ୍ତି ଏନଡିଏକୁ ଜିତାଇବାର ଗ୍ୟାରେଣ୍ଟି ମ୍ୟାନ୍। ବିହାରରେ ଏନଡିଏର ବିଶାଳ ବିଜୟ ପଛରେ ମୁଖ୍ୟ ବିନ୍ଧାଣୀ ଧର୍ମେନ୍ଦଙ୍କୁ କୁହାଯାଉଛି। ବିଜେପିର ଚାଣକ୍ୟ ସାଜି ବିହାରରେ ଦଳକୁ ବମ୍ପର ଜିତ୍ ଦେଇଥିବା ବିଶ୍ୱକର୍ମା ଭାବେ ଧର୍ମେନ୍ଦ୍ରଙ୍କୁ ବିବେଚନା କରାଯାଉଛି। ସେପ୍ଟେମ୍ୱରରେ ବିହାର ପ୍ରଭାରୀ କରି ଧର୍ମେନ୍ଦ୍ରଙ୍କ କାନ୍ଧରେ ଗୁରୁଦାୟିତ୍ୱ ଦେଇଥିଲା ଦଳ। ବିହାର ସହ ସମ୍ପର୍କ ଧର୍ମେନ୍ଦ୍ରଙ୍କ ପୁରୁଣା। ୨୦୧୨ରୁ ବିହାରରୁ ରାଜ୍ୟସଭା ଯାଇଥିଲେ ଧର୍ମେନ୍ଦ୍ର। ସେବେଠୁ ବିହାରର ରାଜନୀତି ଓ ସଂଗଠନ ସହ ସେ ଓତଃପ୍ରୋତ ଭାବେ ଜଡ଼ିତ। ନୀତିଶଙ୍କ ସହ ବି ଧର୍ମେନ୍ଦ୍ରଙ୍କ ଘନିଷ୍ଠତା ଥିବାରୁ ବିହାରରେ ଏନଡିଏ ଭିତରେ ତାଳମେଳ ରଖିବାରେ ତାଙ୍କର ଭୂମିକା ପ୍ରମୁଖ ରହିଆସିଛି। ଧର୍ମେନ୍ଦ୍ରଙ୍କ ରଣନୀତି ଓ ସାମାଜିକ ସମ୍ପର୍କ ଏନଡିଏକୁ ନିର୍ବାଚନୀ ମୈଦାନରେ ବଡ଼ ସଫଳତା ଦେଲା। ଏମିତିରେ ଯେଉଁ ରାଜ୍ୟର ଦାୟିତ୍ୱ ନେଇଛନ୍ତି, ସେଠାରେ ବିଜେପିକୁ ବଡ଼ ବିଜୟ ଦେବାର ଟ୍ରାକରେକର୍ଡ ଧର୍ମେନ୍ଦ୍ରଙ୍କ ନାଁରେ ରହିଛି। ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ୟୁପି, ହରିଆଣାରେ ତାଙ୍କର ସଫଳ ରଣନୀତିର ଛାପ ରହିଛି। ଓଡ଼ିଶାରେ ୨୦୨୪ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ସଫଳ ରଣନୀତି ପ୍ରଥମ ଥର ଓଡ଼ିଶାରେ ଏକାକୀ ବିଜେପି ସରକାର କରିବାକୁ ସକ୍ଷମ ହେଲା। ୨୪ ବର୍ଷର ବିଜେଡି ସରକାରକୁ ଲୋକେ ଗାଦିଚ୍ଯୁତ କରିଥିଲେ। ଏଭଳି ରଣନୀତିର କେନ୍ଦ୍ରସ୍ଥଳୀରେ ଥିଲେ ଧର୍ମେନ୍ଦ୍ର। ହରିଆଣାରେ ଅନେକ ଆହ୍ୱାନ ସତ୍ତ୍ୱେ ବିଜେପିକୁ ପୁଣି କ୍ଷମତା ଚୌକିକୁ ଫେରାଇବାରେ ଓସ୍ତାଦ୍ ଥିଲେ ଧର୍ମେନ୍ଦ୍ର। ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନରେ ସବୁଠୁ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମର ଗୁରୁଦାୟିତ୍ୱ ପଡ଼ିଥିଲା ତାଙ୍କ କାନ୍ଧରେ। ଆଉ ଫଳସ୍ୱରୂପ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାର୍ ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨୦୧୭ରେ ଉତ୍ତରାଖଣ୍ଡ ଓ ୨୦୨୨ରେ ୟୁପିରେ ସରକାରୀ ବିରୋଧୀ ହାଓ୍ୱା ପ୍ରବଳ ଥିଲେ ହେଁ, ବିଜେପିକୁ ପୁଣି ଶାସନ ଗାଦିକୁ ବସାଇବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ ପ୍ରଧାନ। ସେଥିଲାଗି ବିଜେପିର ଇଲେକ୍ସନ ମ୍ୟାନେଜମେଣ୍ଟ ସ୍ପେଶିଆଲିଷ୍ଟ ତାଙ୍କୁ କୁହାଯାଏ। ମିଡିଆରୁ ଦୂରେଇ ରହି ଗ୍ରାଉଣ୍ଡରେ ରଣନୀତି ସହ କର୍ମକର୍ତ୍ତାଙ୍କ ସହ ଅଧିକ ସମୟ ବିତାଇଥାଆନ୍ତି ଧର୍ମେନ୍ଦ୍ର। ସେଥିଲାଗି ବିହାରରେ ଚର୍ଚ୍ଚା, ପ୍ରଧାନ କରିଦେଲେ କମାଲ୍। ମୋଦି ଓ ଧର୍ମେନ୍ଦ୍ରଙ୍କ ପୋଷ୍ଟର ଧରି ବାଜାବାଣ ସହ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି ବିଜେପି ସମର୍ଥକ। ରାଜନୀତି, ସଂଗଠନ, ସାମାଜିକ ସମୀକରଣକୁ କେମିତି ଏକାଠି କରି ଦଳକୁ ଫାଏଦା ଦିଆଯିବ, ସେଥିରେ ବେଶ୍ ମାହିର ଅଟନ୍ତି ମୁକୁ। ଏନଡିଏର ବିହାର ଜିତ୍ ପଛରେ ଯେଉଁ ଶାନ୍ତ ଚେହେରା ରହିଛି। ଭିଡ଼ରୁ ଦୂରେଇ ରହି ଚୁପଚାପ୍ ନିଜ କାମ କରି ଦଳ ଓ ମେଣ୍ଟ ସହଯୋଗୀଙ୍କ ଜିତାପଟ୍ଟକୁ ସଠିକ୍ ଦିଶା ଦେବାରେ ଯାହାର ପ୍ରମୂଖ ଭୂମିକା ଥିଲା, ସେ ହେଉଛନ୍ତି ଓଡ଼ିଆ ପୁଅ ଧର୍ମେନ୍ଦ୍ର। ମୋଦି-ନୀତିଶଙ୍କ ଯୋଡ଼ି ସିନା ବିହାର ବିଜୟ ପଛର ଶ୍ରେୟ ବୋଲି ଚର୍ଚ୍ଚା ହେଉଛି। ଗଲା ଦେଢ଼ ମାସ ଧରି ଧର୍ମେନ୍ଦ୍ରଙ୍କ କଠିନ ପରିଶ୍ରମ, ଲଗାତାର ବୈଠକ, ଗ୍ରାଉଣ୍ଡ ଫିଡବ୍ୟାକ୍ ,କ୍ଯାଡର ମ୍ୟାନେଜମେଣ୍ଟ ବିହାରରେ ବିଜେପିର ଗ୍ରାଫକୁ ନୂଆ ଜୋସ୍ ଦେଇ ବଢ଼ାଇବାରେ ସହାୟକ ସାଜିଲା। ଧର୍ମେନ୍ଦ୍ର ପଛୁଆ ବର୍ଗର। ବିହାରରେ ପଛୁଆ ବର୍ଗ ଭୋଟ୍ ହିଁ ନୀତିଶ କୁମାରଙ୍କ କୋର୍ ଭୋଟ୍ ବ୍ୟାଙ୍କ କୁହାଯାଏ। ଏମିତିରେ ଧର୍ମେନ୍ଦ୍ରଙ୍କ ସାମାଜିକ ପୃଷ୍ଠଭୂମି ବିଜେପି-ଜେଡିୟୁ ଭିତରେ ତାଳମେଳ ରଖିବା ସହ ମେଣ୍ଟ ଧର୍ମର ସମ୍ପର୍କକୁ ମଝଭୁୂତ୍ କରିଆସିଛି। ସଂଗଠନ ସଂରଚନାରେ ଧୁରନ୍ଦର ଧର୍ମେନ୍ଦ୍ରଙ୍କ ରଣନୀତି ଓ କାଟତି ଏବେ ବିହାର ଜନାଦେଶ ପଛରେ ବଡ଼ କାରଣ ବୋଲି କୁହାଯାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now