ବିହାରରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ପଡ଼ିବ ୧୧ରେ। ଏଥିଲାଗି ରବିବାର ସରୁଛି ପ୍ରଚାର। ଆଉ ବିହାର ଦଖଲ ଲାଗି ଏନଡିଏ ଓ ମହାମେଣ୍ଟର ବହୁ ହେଭିଓ୍ୱେଟ ଜାରି ରଖିଛନ୍ତି ମାରାଥନ ପ୍ରଚାର। ଆଜି ସୀତାମାଢ଼ୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କଟ୍ଟା ସରକାର ନୁହେଁ, ଏନଡିଏ ସରକାର ଦରକାର ବୋଲି ଜନତାଙ୍କ ଭିଡ଼ ଓ ସମର୍ଥନ ସୂଚାଉଛି ବୋଲି କହିଛନ୍ତି ମୋଦି। ପ୍ରଥମ ପର୍ଯ୍ୟାୟ ମତଦାନରେ ଜଙ୍ଗଲରାଜବାଲାଙ୍କୁ ୬୫ ଭୋଲଟ୍ର ଝଟକା ଲାଗିଛି। ବିହାରର ମାଆ ଭଉଣୀ ଏନଡିଏର ରେକର୍ଡ ବିଜୟକୁ ପକ୍କା କରିଦେଇଛନ୍ତି। ଜଙ୍ଗଲରାଜ ବାଲାଙ୍କ ଗୀତ ଓ ନାରା ଶୁଣିଲେ ବିହାରବାସୀ ଥରିବେ। ବିହାରର ଭବିଷ୍ୟତ ଓ କୁନି କୁନି ପିଲାଙ୍କୁ କେଉଁ ମାର୍ଗରେ ନେବାକୁ ଚାହୁଁଛନ୍ତି, ଜଳଜଳ କରି ଦିଶୁଛି। କଟୁତା, କ୍ରୁରତା, କଟ୍ଟା, କୁସଂସ୍କାର ଓ କରପସନରେ ଭରା ମହାମେଣ୍ଟ। ଆରଜେଡି ଓ କଂଗ୍ରେସ ଉଦ୍ୟୋଗର ଏବିସିଡି ଜାଣନ୍ତିନି। ଏମାନେ କେବଳ ଉଦ୍ୟୋଗରେ ତାଲା ପକାଇ ଜାଣନ୍ତି। ସେଥିଲାଗି ଜଙ୍ଗଲରାଜବାଲାଙ୍କ ମୁହଁରେ ବିକାଶର କଥା କେବଳ ଡାହା ମିଛ। ବିହାରରେ ପୁଣି ଥରେ ଏନଡିଏ ସରକାର ହେଲେ, ବିକାଶର ଗତିକୁ ଅଧିକ ମଝଭୁତ୍ କରାଯିବ ଓ ବିହାରବାସୀଙ୍କ କଲ୍ୟାଣ ଲାଗି ଅଧିକ କାମ ହେବ ବୋଲି କଥା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦଳ କହିଛି, ବିହାରରେ ଅଧା ନିର୍ବାଚନ ସରିଲାଣି। ୬ ତାରିଖର ପରିଣାମ ସୂଚାଇସାରିଲାଣି ନୀତିଶ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏ କଥା କହିଛନ୍ତି ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ। ପ୍ରଥମ ପର୍ଯ୍ୟାୟ ମତଦାନରୁ ମହାମେଣ୍ଟ ବିଜୟୀ ହୋଇସାରିଥିବା ଦାବି କରିଛନ୍ତି ମହାଗଠବନ୍ଧନ ସିଏମ ଚେହେରା ତେଜସ୍ୱୀ ଯାଦବ। ମହାଗଠବନ୍ଧନ ଜିତରେ ମୋହର ଲଗାଇସାରିଛନ୍ତି ବିହାର ଜନତା। ଏହି ଜୋସ୍ ଦ୍ୱିତୀୟ ପର୍ଯ୍ୟାୟରେ ବି ଜାରି ରଖିବାକୁ ଅପିଲ୍ କରିଛନ୍ତି ତେଜସ୍ୱୀ। ବିକଶିତ ବିହାର ଲାଗି ନୂଆ ଭାବନାରେ ଚାଲିବାକୁ କହିଛନ୍ତି ତେଜସ୍ୱୀ। ସେପଟେ କଡ଼ଓ୍ୱା, ବରାରୀ ଓ ପୂର୍ଣ୍ଣିୟାରେ ଆଜି ପ୍ରଚାର କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଭୋଟ ଚୋରୀ, ମିଛ ଓ ପ୍ରତାରଣା ଏନଡିଏର ମୂଳ ଆଧାର ବୋଲି କଟାକ୍ଷ କରିଛନ୍ତି ପ୍ରିୟଙ୍କା। ମୋଦି, ଶାହାଙ୍କ ସହ ଜ୍ଞାନେଶ କୁମାର, ବିବେକ ଜୋଶୀ ଓ ଏସଏସ ସାନ୍ଧୁ ଭୋଟ ଚୋରୀରେ ମିଶିଛନ୍ତି।ବିହାରରୁ ୬୫ଲକ୍ଷ ଭୋଟ୍ କାଟିଛନ୍ତି ଏମାନେ। ବିଜେପି ନେତା ପ୍ରଭାତ କୁମାର ଏକାଧିକ ଜାଗାରେ କେମିତି ଭୋଟ୍ ଦେଲେ, ତାକୁ ଗଣ୍ଠି କରିଛି ମହାମେଣ୍ଟ। ଉତ୍ତରାଖଣ୍ଡରେ ଥିବା ଇପିଆଇସି ନମ୍ୱର ଆକ୍ଟିଭ ଥିବା ସତ୍ତ୍ୱେ ସେ ବିହାରରେ କେମିତି ଭୋଟ ଦେଲେ କହି ଭୋଟ ଚୋରୀର ଏହା ନଗ୍ନ ଚେହେରା ବୋଲି ଆରୋପ ଲଦିଛି କଂଗ୍ରେସ। ୨୦୧୯, ୨୦୨୨ ଓ ୨୦୨୪ରେ ଉତ୍ତରାଖଣ୍ଡରେ ଭୋଟ ଦେଇଥିବା ପ୍ରଭାତ ୨୦୨୫ରେ ବିହାର ପ୍ରଥମ ପର୍ଯ୍ୟାୟ ଭୋଟରେ ବି ମତଦାନ କରିଛନ୍ତି। ଏ ସରକାରକୁ ବଦଳାଇବାକୁ ପଡ଼ିବ ବୋଲି ଅପିଲ୍ କରିଛନ୍ତି ପ୍ରିୟଙ୍କା। ବେରୋଜଗାର, ପେପର ଲିକ୍, ଦୁର୍ନୀତିକୁ ମୁଦ୍ଦା କରିଛନ୍ତି ପ୍ରିୟଙ୍କା। ଶିକ୍ଷିତ ସତ୍ତ୍ୱେ ବେରୋଜଗାର କାହିଁକି ବୋଲି ପଚାରି ପ୍ରିୟଙ୍କା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ଯେଉଁଠି ସରକାରରେ ଅଛି, ସେଠି ମହଙ୍ଗା ମାଡ଼ ଚାଲିଛି। ମୋଦିଙ୍କ ଆଦାନୀ-ଅମ୍ୱାନୀ ପ୍ରୀତିର କଥାର ଦୋହରାଇଛନ୍ତି ପ୍ରିୟଙ୍କା।ବିହାରରେ କିଏ ଚମକିବ। ଏନଡିଏ କ୍ଷମତା ବଜାୟ ରଖିବ ନା ବିହାରବାସୀ ମହାଗଠବନ୍ଧନକୁ ସୁଯୋଗ ଦେବେ। ସତ୍ତା ବଳବତ୍ତର ରଖିବେ ନା ପରିବର୍ତ୍ତନର ମାହୋଲ ଉପରେ ମୋହର ଲଗାଇଛନ୍ତି ବିହାରବାସୀ। ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ କେମିତି ଲହର ରହିବ। ଆଉ ୧୪ରେ ରେଜଲ୍ଟ ଏ ସବୁ ଆକଳନରେ କେତେ ସତ, କେତେ ମିଛ, ସ୍ପଷ୍ଚ କରିଦେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now