ବିବେକ ନା ଭୟ!

ବିବେକାନୁମୋଦିତ ଭୋଟ ଦେବାକୁ ନବୀନ କହିଥିଲେ। ସେଥିଲାଗି ଓ୍ୱାକଫ ସଂଶୋଧିତ ବିଲ୍ ଉପରେ ବିଜେଡିର ରାଜ୍ୟସଭା ସାଂସଦମାନେ ନିଜ ବିବେକ ଅନୁସାରେ ଭୋଟ୍ ଦେଲେ। ଗୁରୁବାର ମଧ୍ୟରାତ୍ରିରେ ଏହି ବିଲ୍ ସପକ୍ଷରେ ୧୨୮ ଭୋଟ୍ ପଡ଼ିଥିଲା ବେଳେ ବିରୋଧରେ ପଡ଼ିଥିଲା ୯୫। ବିଜେଡି ସହ ଓ୍ୱାଇଏସଆରସିପି ହ୍ୱିପ୍ ପ୍ରତ୍ୟାହାର କରି ବିବେକାନୁମୋଦିତ ଭୋଟ୍ ଦେବାକୁ କହିଥିଲା। ସେଥିଲାଗି ବିଜେଡିର ସସ୍ମିତ ପାତ୍ର ଓ୍ୱାକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ସାଂସଦ ମୁନ୍ନା ଖାଁ ଓ୍ୱାକଫ ବିଲ୍‌କୁ ବିରୋଧ କରିଥିଲେ। କିନ୍ତୁ ସଂଧ୍ୟାରେ ସସ୍ମିତଙ୍କ ଟ୍ୱିଟ୍‌ ବିଜେଡିର ଆଭିମୁଖ୍ୟ ଟଳମଳ ବୋଲି ପ୍ରମାଣିତ ହୋଇଗଲା। ଓ୍ୱାକଫ ସଂଶୋଧନ ବିଲ୍‌ ନେଇ ରାଜ୍ୟସଭାରେ ଦଳ ଦୁଇଭାଗ ହୋଇଯାଇଛି। ଦେବାଶିଷ ସାମନ୍ତରାୟ ଭୋଟ୍ ଦେଇନାହାନ୍ତି। ଲୋକସଭାରେ ବିଲ୍ ଆଗତ ଆଗରୁ ବୁଧବାର ଓ୍ୱାକଫ ସଂଶୋଧନ ବିଲ୍‌କୁ ବିରୋଧ କରିବାକୁ କହିଥିଲା ବିଜେଡି। ଅଚାନକ କେମିତି ବିବେକ କଥା ମନେ ପଡ଼ିଗଲା। କାହିଁକି ୟୁ-ଟର୍ଣ୍ଣ ନେଲା ବିଜେଡି। ବିବେକାନୁମୋଦିତର ଦ୍ୱାହି ଦେଇ ବିଜେଡି ସୁପ୍ରିମୋ ବାସ୍ତବରେ କାହା ଚାପରେ ଚେପା ବୋଲି ପ୍ରଶ୍ନ ଉଠିଛି। ନ୍ୟାୟ, ସଦ୍ଭାବ ଓ ସମସ୍ତ ସମ୍ପ୍ରଦାୟର ଅଧିକାର ଆଳରେ ହ୍ୱିପ୍ ଜାରି ହେଲାନି। ତେବେ ଏଭଳି ନିଷ୍ପତ୍ତି ବିଜେଡି ଭିତରେ ଝଡ଼ ସୃଷ୍ଟି କଲାଣି। ଜନମାନସରେ ଏହା ଦଳକୁ ଅଧିକ ଲଜ୍ଜିତ କଲା। ଦଳକୁ ଅଧିକ ବିପଦଗାମୀ କରିବ ବୋଲି ଆଶଙ୍କା କଲେଣି। କେଉଁ ଅଦୃଶ୍ୟ ଶକ୍ତି ଆଗରେ ମୁଣ୍ଡ ନୁଆଁଇଲେ ନବୀନ। ଏଭଳି ନିଷ୍ପତ୍ତିରେ ଆଚମ୍ୱିତ ହୋଇ ନବୀନଙ୍କଠୁ ଏହାର କାରଣ ବୁଝିବେ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ପାତ୍ର ପ୍ରମୁଖ। ବିଲ୍ କୁ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା ବେଳେ କେମିତି ବଦଳିଗଲା । ଓ୍ୱାକଫ୍ ସଂଶୋଧନ ବିଲ୍ ନେଇ ବିଜେଡିର ଦୋମୁହାଁ ନୀତିକୁ ସମାଲୋଚନା କରିଛି କଂଗ୍ରେସ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ବିଜେଡି ଭୟରେ ବିଜେପି ସହ ଡିଲ୍ କରିଛି।  ଏ ଡିଲ୍ ଭୟ ଓ ଭୀରୁତାର ବିବେକ। ଦିଲ୍ଲୀରେ ନବୀନଙ୍କୁ ନେଇ ତାଙ୍କ ମାନସପୁତ୍ର ଡିଲ୍ କରିଛନ୍ତି। ନବୀନଙ୍କ ଦିଲ୍ଲୀ ଗସ୍ତର ରହସ୍ୟ ପଛରେ ଏହା ହିଁ ମୁଖ୍ୟ କାରଣ ଥିଲା। ଗଲାବର୍ଷ ସେପ୍ଟେମ୍ୱର ୫ରେ ସଂଖ୍ୟାଲଘୁମାନଙ୍କୁ ସାକ୍ଷାତ କରି ନବୀନ କଥା ଦେଇଥିଲେ, ଓ୍ୱାକଫ୍‌ ବିଲକୁ ବିଜେଡି ବିରୋଧ କରିବ। ବିଜେପି କହିଛି, ବିଜେଡି ଏବେ ଦୁଇଫାଳ ହୋଇଯାଇଛି। ମୋଦିଙ୍କ ଭିଜନକୁ ସମର୍ଥନ କରିଛନ୍ତି। କାହିଁକି ବିଲ୍ କୁ ସମର୍ଥନ କଲା, ବିଜେଡି କହିପାରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଓ୍ୱାକଫ ସଂଶୋଧନ ବିଲ୍‌ରେ ବିଜେଡିର ଦୁର୍ବଳତା ପଦାରେ ପଡ଼ିଗଲା। ଦଳର ବିପର୍ଯ୍ୟୟ ପରେ ପରେ ନବୀନଙ୍କ ନେତୃତ୍ୱ ଆଉ ପୂର୍ବଭଳି ମଝଭୁତ ନୁହେଁ ବୋଲି ଧାରଣା ଧୀରେ ଧୀରେ ବଳବତ୍ତର ହେବାକୁ ଲାଗିଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *