ବିବାହ ପୂର୍ବରୁ ହୃଦଘାତରେ ଚାଲିଗଲା କନ୍ୟା..

ଆଜି ବିବାହ ଥିଲା। ବରଯାତ୍ରୀ ଆଜି ଆସିଥାଆନ୍ତା। କିନ୍ତୁ ରବିବାର ରାତିରେ କନ୍ୟାକୁ ଅଚାନକ ହୃଦଘାତ ଆସିଲା। ହୃଦଘାତରେ କନ୍ୟାର ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବାଡ଼ୁଅ ପାଣିରେ ଗାଧୋଇସାରିଥିଲା କନ୍ୟା। ନୂଆ ଜୀବନ ଆରମ୍ଭ କରୁଥିବାରୁ କନ୍ୟା ବି ଖୁସିରେ ମସଗୁଲ ଥିଲେ। ଖୁବ୍ ନାଚିଥିଲେ। ହଳଦୀ ମେହେନ୍ଦି ଲଗା ବି ସରିଥିଲା। ହେଲେ ଏହାର କିଛି ଘଣ୍ଟା ପରେ ହିଁ ଜୀବନ ଚାଲିଗଲା। ୟୁପିର ବଦାୟୁଁରେ ବିବାହ ପୂର୍ବରୁ ସବୁଦିନ ଲାଗି କନ୍ୟାର ନୀରବତା ପରିବାରର ସମସ୍ତ ଖୁସି ଛଡ଼ାଇନେଇଛି। ପୁରା ଗାଁ ଯେଉଁଠି ବିବାହ ଲାଗି ଖୁସି ଥିଲା। ସମ୍ପର୍କୀୟଙ୍କ ଗହଳିଚହଳିରେ ଘର ଫାଟିପଡ଼ୁଥିଲା। ସେଠାରେ ଏବେ ଶୋକର ଛାୟା। ଝିଅଟିର ଡୋଲି ଉଠିବା ବଦଳରେ ଘରୁ ଉଠିଛି ଶବ। ଯେଉଁଠି ଲୋକେ ବାଜାବାଣ ଓ ନାଚରେ ବରଯାତ୍ରୀକୁ ସ୍ୱାଗତ କରିବାକୁ ଅପେକ୍ଷାରତ ଥିଲେ। ସେଠାରେ ଏବେ ଲୁହରେ କନ୍ୟାର ଅନ୍ତିମ ସଂସ୍କାର କରିଛନ୍ତି। ଝିଅଟି ପୁରା ସୁସ୍ଥ ଥିଲା। କିନ୍ତୁ ଅଚାନକ ମୃତ୍ୟୁ ନେଇ ସମସ୍ତେ ହତବାକ୍। ଏ ଘଟଣା ଇସଲାମାନାଗର ଥାନା ଅନ୍ତର୍ହତ ନୁରୁପୁର ପିନୌନି ଗାଁର। କନ୍ୟାର ମୃତ୍ୟୁ ପରେ ବର ଓ ତାଙ୍କ ପରିବାର ଗାଁରେ ପହଞ୍ଚିଥିଲେ। ଦିନେଶ ପାଲ ସିଂଙ୍କ ବଡ଼ ଝିଅ ୨୨ ବର୍ଷୀୟା ଦୀକ୍ଷାର ବିବାହ ମୁରାଦାବାଦର ଶିବପୁରୀ ଗାଁରେ ସ୍ଥିର ହୋଇଥିଲା। ରବିବାର ବିଳମ୍ୱିତ ରାତି ଯାଏଁ ନିଜ ପରିବାର ସହ ବେଶ ଖୁସିରେ ନାଚ କରିଥିଲେ ଦୀକ୍ଷା। ରାତି ପ୍ରାୟ ୧୨ଟା ବେଳେ ସମସ୍ତେ ଶୋଇବାକୁ ବାହାରିଥିଲେ। ଦୀକ୍ଷା ନିଜ କୋଠରୀକୁ ଯାଇଥିଲେ। କିଛି ସମୟ ଗଡ଼ପଡ଼ ପରେ ଅଚାନକ ଦେହ ବିଗିଡ଼ିଥିଲା। ବାପାଙ୍କୁ କହିଥିଲେ, ତାଙ୍କୁ ବିଚଳିତ ଲାଗୁଛି। ଚକ୍କର ଆସୁଛି। ଦୀକ୍ଷାଙ୍କ ବାପା ଦୀନେଶ କହିଥିଲେ, ଥକ୍କାପଣରୁ ଏମିତି ଲାଗୁଥିବ। ଟିକେ ଶୋଇପଡ଼େ, ଭଲ ଲାଗିବ। ଏହା ପରେ ଦୀକ୍ଷା ବାଥରୁମ ଯାଇଥିଲେ। ଆଉ ସେଠାରେ ହିଁ ହାର୍ଟଆଟାକ୍ ଆସିବାରୁ ଟଳିପଡ଼ିଥିଲେ। ଦୀକ୍ଷା ଯେତେବେଳେ ବାଥରୁମରୁ କାହିଁକି ଏ ଯାଏ ଫେରିଲେନି ବୋଲି ମା ସରୋଜ ଦେବୀ ତାଙ୍କୁ ଡାକିବାକୁ ଉଠିଥିଲେ। ବାଥରୁମ ଭିତରୁ କୌଣସି ଜବାବ ମିଳିଲାନି। ଶେଷରେ ପରିବାର ଲୋକେ ବାଥରୁମ୍ କବାଟ ଭାଙ୍ଗିଥିଲେ। ଆଉ ଦୀକ୍ଷା ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଦୀକ୍ଷା ବେହୋସ ହୋଇଯାଇଥିବେ ବୋଲି ସମସ୍ତେ ଭାବିଥିଲେ। ତାଙ୍କ ମୁହଁରେ ପାଣି ମାରି ଚେତା ଫେରାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ହୋସ ନ ଫେରିବାରୁ ଡାକ୍ତରଙ୍କୁ ଡାକିଥିଲେ। ଆଉ ଡାକ୍ତର ଯାଞ୍ଚ କରି ଦୀକ୍ଷାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୁଲିସକିୁ ଦୀକ୍ଷାଙ୍କ ମୃତ୍ୟୁ ଖବର ବାବଦରେ ସୂଚନା ଦେଲେନି ପରିବାରବର୍ଗ। ଆଉ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ। ଦୀକ୍ଷାଙ୍କ ହୃଦରୋଗ ଥିଲା। ଦିଲ୍ଲୀରେ ସେ ଚିକିତ୍ସିତ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *