ଅଚାନକ ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ବିଏସଏଫ ଜବାନ ପୂର୍ଣ୍ଣବ କୁମାର ସ ୭ ଦିନ ହେଲା ପାକିସ୍ତାନୀ ରେଞ୍ଜର୍ସଙ୍କ କବଜାରେ ଅଛନ୍ତି। ଗର୍ଭବତୀ ପତ୍ନୀ ବ୍ୟାକୁଳ ଭାବେ ସ୍ୱାମୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଚାହିଁ ବସିଛନ୍ତି। ଏପ୍ରିଲ ୨୩ରେ ପଞ୍ଜାବର ଫିରୋଜାପୁର ସେକ୍ଟରରେ ଭାରତ-ପାକିସ୍ତାନ ସୀମାରେ ଡ୍ୟୁଟି ବେଳେ ପୂର୍ଣ୍ଣବ ପାକିସ୍ତାନରେ ପ୍ରବେଶ କରିଥିଲେ। ପୂର୍ଣ୍ଣବଙ୍କୁ ଫେରାଇ ଆଣିବାକୁ ଗଲା ଶୁକ୍ରବାର ବିଏସଏଫ ଓ ପାକିସ୍ତାନ ରେଞ୍ଜର୍ସଙ୍କ ଭିତରେ ଫ୍ଲାଗ୍ ମିଟିଂ ବି ହୋଇଥିଲା। କିନ୍ତୁ ଏ ଯାଏ ସଫଳତା ମିଳିନି। ଅଜାଣତରେ ପାକିସ୍ତାନ ସୀମାକୁ ପଶିଯାଇଥିବା ସୈନିକଙ୍କ ପ୍ରତି ଖରାପ ବ୍ୟବହାର ହୁଏନା। କିନ୍ତୁ ସାମ୍ପ୍ରତ୍ତିକ ପରିସ୍ଥିତିରେ ପୂର୍ଣ୍ଣବଙ୍କ ପ୍ରତି ପାକିସ୍ତାନୀ ସେନାର ଆଚରଣ କେମିତି ଥିବ, ତାକୁ ନେଇ ଅନେକ ଆଶଙ୍କା କରାଯାଉଛି। ପାକିସ୍ତାନ ସେନା କହିଛି, ଆନ୍ତର୍ଜାତୀୟ ସୀମାକୁ ଅତିକ୍ରମ କରି ନିୟମ ଉଲ୍ଲଂଘନ କରିଛନ୍ତି ପୂର୍ଣ୍ଣବ। ଏକ ଗଛ ତଳେ ଆଶ୍ରୟ ନେଇଥିଲା ବେଳେ ସେମାନେ ପୂର୍ଣ୍ଣବଙ୍କୁ ଧରିଥିଲେ। ବିଏସଏଫ କହିଛି, ଏକ ଚାଷୀ ଗୋଷ୍ଠୀଙ୍କୁ ବୋର୍ଡର ଫେନ୍ସରେ ଏସକର୍ଟ କରୁଥିଲା ବେଳେ ଭୁଲକ୍ରମେ ପାକିସ୍ତାନ ସୀମାରେ ପଶିଯାଇଥିଲେ ପୂର୍ଣ୍ଣବ। ପୂର୍ଣ୍ଣବଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ୮ ବର୍ଷର ପୁଅକୁ ନେଇ ପଠାନକୋଟ୍ ଯାଇଛନ୍ତି ପତ୍ନୀ ରଜନୀ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ରିସଦାରେ ରହୁଥିବା ପୂର୍ଣ୍ଣବ ସ ଙ୍କ ପରିବାର ବ୍ୟସ୍ତବିବ୍ରତ ହୋଇପଡ଼ିଲେଣି। ପଠାନକୋଟରେ ସ୍ୱାମୀଙ୍କ କମାଣ୍ଡିଂ ଅଫିସରଙ୍କୁ ଭେଟିଛନ୍ତି ରଜନୀ। ସ୍ୱାମୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ବାବଦରେ କୌଣସି ଠୋସ୍ ସୂଚନା ପାଉନଥିବାରୁ ବ୍ୟସ୍ତବିବ୍ରତ ହୋଇପଡ଼ିଲେଣି ରଜନୀ। ଘରେ ବସିପାରିବିନି କହି ରଜନୀ ପଠାନକୋଟ୍ ଯାଇଛନ୍ତି। ପୂର୍ଣ୍ଣବ ୩ ସପ୍ତାହ ତଳେ ଘରକୁ ଆସିଥିଲେ। ତା ପରେ କାମକୁ ଫେରିଥିଲେ। ପରିବାର ପରିଜନ ସବୁ ଆତୁର ହୋଇ ବସିଛନ୍ତି, କେବେ ପୂର୍ଣ୍ଣବ ନିରାପଦ ଭାବେ ପାକିସ୍ତାନୀ ସେନା କବଳରୁ ଉଦ୍ଧାର ହୋଇ ଫେରିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now