ମହିଳା ଟ୍ରେନିଂ ସେଣ୍ଟର ବାଥରୁମରେ କ୍ୟାମେରା!

ବାଥରୁମରେ ଲାଗିଛି କ୍ୟାମେରା। ତା ପୁଣି ପୁଲିସ ଟ୍ରେନିଂ ସେଣ୍ଟରରେ। ତାଲିମ ନେବାକୁ ଆସିଥିବା ୬ଶହ ମହିଳା ସିପାହୀ ଏହାକୁ ନେଇ କରିଛନ୍ତି ଜୋରଦାର ହଙ୍ଗାମା। ଅନେକ ମହିଳା କାନ୍ଦିଥିଲେ। ଗୋରଖପୁରରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଟ୍ରେନିଂ ସେଣ୍ଟରରେ ଏଭଳି ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଛିଡ଼ା କରିଛନ୍ତି ମହିଳା ସିପାହୀ। ନା ଏଠାରେ ବିଜୁଳି ନା ପାଣିର ସୁବିଧା ଅଛି। ଆଉ ବାଥରୁମ୍ କଥା ନ କହିବା ଭଲ। ଦୁର୍ଗନ୍ଧରେ ଫାଟିପଡ଼ୁଛି। ଗୋଟିଏ ଆରୋ ମେସିନ୍ ଅଛି। ଭୀଷଣ ଗରମରେ ଦିନ ଯାକ ଅଧା ଲିଟର ପାଣି ମିଳୁଛି। ପଙ୍ଖା ଓ ଓ୍ୱାଟର କୁଲର ବି ଯଥେଷ୍ଟ ନାହିଁ।  ବାଥରୁମ ଗ୍ୟାଲେରୀରେ ସିସିଟିଭି କ୍ୟାମେରା ଲାଗିଛି। ଖୋଲାରେ ଗାଧୋଇବାକୁ ବାଧ୍ୟ କରାଯାଉଛି। ହଙ୍ଗାମା କରି ଟ୍ରେନି ମହିଳା ସିପାହୀ ପିଏସି ଗେଟ୍ ଆଗରେ ପହଞ୍ଚି ଏଭଳି ଅବ୍ୟବସ୍ଥା ପ୍ରତିବାଦରେ ରାସ୍ତା ଅବରୋଧ କରିଥିଲେ। ଏହା ସହ ଟ୍ରେନିଂ ସେଣ୍ଟରର ପରିଚାଳକ ବି ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାର ଆରୋପ ଲଦିଛନ୍ତି। ପରିସ୍ଥିତି ବିଗୁଡ଼ିଥିବା ଦେଖି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। କାରଣ ଯେଉଁ ପିଏସି ଟାଓ୍ୱାରରେ ଏହି ଟ୍ରେନିଂ ଚାଲିଛି, ସେଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୫୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଆଉ ଆଜିଠୁ ଗୋରଖପୁରରେ ବି ପହଞ୍ଚିସାରିଲେଣି ଯୋଗୀ। ତା ସତ୍ତ୍ୱେ ବି ମହିଳା ସିପାହୀମାନେ ପ୍ରଶାସନିକ ଭବନ ଆଗରେ ଧାରଣା ଦେଇଥିଲେ। ଯେ ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟା ସମାଧାନ ହେବନି, ସେପର୍ଯ୍ୟନ୍ତ ଉଠିବେନି ବୋଲି ଜିଦ୍ ଧରିଥିଲେ। ଟ୍ରେନିଂ ପୂର୍ବରୁ ପ୍ରେଗନାନ୍ସି ଟେଷ୍ଟ ଉପରେ ବି ମହିଳା ସିପାହୀ ବର୍ଷିଛନ୍ତି। ବିବାଦ ତେଜିବା ପରେ ଏହି ଟେଷ୍ଟକୁ ରଦ୍ଦ କରିଦିଆଯାଇଛି। ଯଦି କେହି ଗର୍ଭବତୀ ଥିବେ, ସେମାନେ ନିଜେ ସତ୍ୟପାଠ ଦେଇ ପରବର୍ତ୍ତୀ ବ୍ୟାଚରେ ଟ୍ରେନିଂ ନେଇପାରିବେ ବୋଲି ପ୍ରଶାସନ କହିଛି। ବିଛିଆସ୍ଥିତ ତାଲିମଶିବିରରେ ୨୦୨୩ ବ୍ୟାଚର ୟୁପି ପୁଲିସରେ ବିଭିନ୍ନ ପଦବୀରେ ଭର୍ତ୍ତି ଲାଗି ୫୯୮ ମହିଳା ସୋମବାରରୁ ଟ୍ରେନିଂ ନେବାକୁ ଆସିଥିଲେ। ଯେବେକି ଏହି ଟ୍ରେନିଂ ସେଣ୍ଟରର କ୍ଷମତା ୩ଶହ। ପିଟିଆଇଙ୍କୁ ସସପେଣ୍ଡ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *