ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମା ଧମକ। ସକାଳୁ ସକାଳୁ ଡିପିଏସ ଦ୍ୱାରକା, କ୍ରିଷ୍ଣା ମଡେଲ ସ୍କୁଲ, ସର୍ବୋଦଯ ବିଦ୍ୟାଳୟକୁ ବୋମାରେ ଉଡାଇବାକୁ ମିଳିଥିଲା ଧମକ। ପୁଲିସ ଓ ବମ୍ ସ୍କ୍ୱାର୍ଡ ତୁରନ୍ତ ସ୍କୁଲରେ ପହଞ୍ଚି ପିଲା ଓ ଷ୍ଟାଫଙ୍କୁ ନିରାପଦ ଭାବେ ରେସକ୍ୟୁ କରିଥିଲେ। ସ୍କୁଲ ପରିସରକୁ ସମ୍ପୂର୍ଣ୍ଣ ଖାଲି କରି ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ଡିପିଏସ ଦ୍ୱାରକା ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ମିଡ୍ ଟର୍ମ ପରୀକ୍ଷାକୁ ବାତିଲ୍ କରି ସମସ୍ତଙ୍କୁ ଘରକୁ ପଠାଇଦେଇଥିଲେ। ତେବେ ପୁଲିସ ସର୍ଚ୍ଚ ଅପରେସନରେ ସେମିତି କୌଣସି ସନ୍ଦିଗ୍ଧ ସାମଗ୍ରୀ ସ୍କୁଲରୁ ପାଇନି। ଅଭିଭାବକମାନେ ଆସି ପିଲାଙ୍କୁ ତୁରନ୍ତ ସ୍କୁଲରୁ ନେଇଯାଇଥିଲେ। ଯାଞ୍ଚ ପରେ ପୁଲିସ କହିଛି, ଏହା ହୋକ୍ସ କଲ୍ ଥିଲା। ଗଲା ୧୨ ତାରିଖରେ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଆସିଥିଲା ଇମେଲ୍ ଧମକ। ପୁଲିସ ଓ ବମ ସ୍କ୍ୱାର୍ଡ କୋର୍ଟରେ ପହଞ୍ଚି ପରିସରକୁ ଖାଲି କରି ଯାଞ୍ଚ କରିଥିଲା। ସେହି ଦିନ ବମ୍ୱେ ହାଇକୋର୍ଟକୁ ବି ସମାନ ବୋମା ଧମକ ମିଳିଥିଲା। ଓକିଲ, ବିଚାରପତିଙ୍କୁ ପରିସରରୁ ଖାଲି କରାଯାଇଥିଲା। ସେହି ଦିନ ହୋଟେଲ ତାଜ ପ୍ୟାଲେସ ଓ ମାକ୍ସ ହସ୍ପିଟାଲକୁ ବି ବୋମାରେ ଉଡ଼ାଇବାକୁ ଆସିଥିଲା ଇମେଲ୍ ରେ ଧମକ। କିନ୍ତୁ ପୁଲିସ ଯାଞ୍ଚରେ ଏହା ହୋକ୍ସ କଲ୍ ବୋଲି ଜଣାପଡ଼ିଥିଲା। ଏହାକୁ ନେଇ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଲଗାତାର ଏଭଳି ବୋମା ଧମକ ମିଳୁଥିବାରୁ ପିଲା ଓ ଅଭିଭାବକଙ୍କ ଭିତରେ ଭୟର ମାହୋଲ ରହୁଛି। ଏହା ପଛରେ କିଏ, ଦିଲ୍ଲୀ ପୁଲିସ ଓ ଏଜେନ୍ସି ଆଜିଯାଏ ଧରିପାରୁନି। ଦିଲ୍ଲୀ ସୁରକ୍ଷାର ଦାୟିତ୍ୱ ନେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଅଣ କରୁଛନ୍ତି ବୋଲି ପଚାରିଛନ୍ତି କେଜ୍ରିଓ୍ୱାଲ। ଚାରୋଟି ଇଞ୍ଜିନ ଥିବା ବିଜେପି ସରକାର ଦେଶର ରାଜଧାନୀର ସୁରକ୍ଷା ସମ୍ଭାଳିପାରୁନାହାନ୍ତି। ବିଜେପି ସରକାର କହିଛନ୍ତି, ଯିଏ ବି ଏଭଳି ହୋକ୍ସ କଲ୍ କରି ମିଛର ବାତାବରଣ କରିବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ। କେବେ ସ୍କୁଲ ତ କେବେ କୋର୍ଟ। କେବେ ହୋଟେଲ ତ କେବେ ହସ୍ପିଟାଲ। ଦିଲ୍ଲୀରେ ଇମେଲ୍ ଜରିଆରେ କିଏ ଏମିତି ନିରନ୍ତର ବୋମା ଧମକ ଦେଇ ଭୟର ମାହୋଲ ସୃଷ୍ଟି କରୁଛି। ତାକୁ ଧରିବାକୁ ସବୁ ମହଲରୁ ଦାବି ହେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now