ଦିଲ୍ଲୀର ମୁସ୍ତଫାବାଦରେ ୪ ମହଲା କୋଠା ଅଚାନକ ଭୁଷୁଡ଼ିପଡ଼ିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ବିଲଡିଂ ତଳେ ଅନେକ ଚାପି ହୋଇଥିବା ଆଶଙ୍କା କରାଯାଇଛି। ଏନଡିଆରଏଫ, ଦିଲ୍ଲୀ ପୁଲିସ ଓ ଅଗ୍ନିଶମ ବିଭାଗ ଟିମ୍ ତୁରନ୍ତ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ବିଳମ୍ୱିତ ରାତି ଅଢ଼େଇଟାରୁ ୩ଟା ଭିତରେ କୋଠା ଭୁଷୁଡ଼ିଥିଲା। ଏହି ବିଲଡିଂରେ ମାଲିକ ସହ ୩ରୁ ୪ ପରିବାର ଭଡ଼ାରେ ରହୁଥିଲେ। ବିଲଡିଂ ଭୁଷୁଡ଼ିବା ସମୟର ସିସିଟିଭି ପଦାକୁ ଆସିଛି। ଏନଡିଆରଏଫ କହିଛି, ଏହା ପ୍ୟାନକେକ୍ କୋଲାପ୍ସ ଅଟେ। ଏଥିରେ ବଞ୍ଚିବାର ସମ୍ଭାବନା ବହୁ କମ୍ ଥାଏ। ବିଲଡିଂର ଅବଶିଷ୍ଟାଂଶକୁ କାଢ଼ିବା ବେଶ୍ କାଠିକର ଟାସ୍କ ସାଜିଥିଲା ଉଦ୍ଧାରକାରୀ ଦଳ ଲାଗି। ସେପଟେ ଏ ଘଟଣାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି। ଆମ୍ ଆଦମୀ ଦଳ କହିଛି, ଦିଲ୍ଲୀରେ ଅବୈଧ ନିର୍ମାଣ ଦୀର୍ଘ ଦିନ ହେଲା ଜାରି ରହିଛି। କିନ୍ତୁ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ ଗଲା ୨୫ ବର୍ଷ ଭିତରେ ଦିଲ୍ଲୀ ପାଇଁ କୌଣସି ମାଷ୍ଟରପ୍ଲାନ୍ ଦେଇପାରିଲାନି। ନିଗମ ନିଜ କାମ କରୁନି। କଂଗ୍ରେସ କହିଛି, ବିଜେପି କ୍ଷମତାକୁ ଆସିବା ପରେ ଦିଲ୍ଲୀର ଏମିତି ଘଟଣା ନିରନ୍ତର ହେବାରେ ଲାଗିଛି। ଏହାର ଯାଞ୍ଚ ହେବା ଜରୁରୀ। ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିଲାଗି ସରକାର ଧ୍ୟାନ ଦେବା ଜରୁରୀ। ଦିଲ୍ଲୀ ସରକାର ଏଥିଲାଗି ଦାୟୀ। ଦିନ ୧୧ଟା ସୁଦ୍ଧା ୧୪ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ ଦିଲ୍ଲୀରେ ଅଚାନକ ରାତିରେ ବର୍ଷା ଓ ଝଡ଼ତୋଫାନରୁ ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ଏଥିଲାଗି ବିଲଡିଂ ଭୁଷୁଡ଼ିପଡିବାର ଆଶଙ୍କା ବି କରାଯାଉଛି। ଏ ବିଲଡିଂ ଭୁଷୁଡ଼ିବା ପଛର କାରଣକୁ ନେଇ ଆରମ୍ଭ ହୋଇଛି ତନାଘନା। ଗଲା ସପ୍ତାହରେ ବି ମଧୁବିହାରରେ ଏକ ନିର୍ମାଣଧୀନ କୋଠାର କାନ୍ଥ ଭୁଷୁଡ଼ି ପଡ଼ିବାରୁ ଜଣଙ୍କ ମୃତ୍ୟୁ ସହ ଦୁଇ ଜଣ ଆହତ ହୋଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now