କେନ୍ଦ୍ର ସରକାରଙ୍କ ସୀମାପୁନଃନିର୍ଧାରଣ ନୀତି ଓ ନିୟମକୁ କଡ଼ା ବିରୋଧ। ଏକାଠି ହେଲେ ବିରୋଧୀ। ଜଷ୍ଟିସ ଲାଗି ଜଏଣ୍ଟ ଆକ୍ସନ କମିଟି ଏକଜୁଟ୍। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ଡାକରାରେ ୬ଟି ରାଜ୍ୟ ସାମିଲ୍ ହେଲା। କେରଳ, ତେଲେଙ୍ଗାନା ଓ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ବିଜେଡି ଓ ବିଆରଏସର ତୁଙ୍ଗ ନେତା ଏକାଠି ହୋଇ ମାନସମନ୍ଥନ କରିଛନ୍ତି। ଚେନ୍ନାଇର ଆଇଟିସି ଗ୍ରାଣ୍ଡ୍ ଚୋଲା ହୋଟେଲରେ ସକାଳ ୧୦ଟାରୁ ଆରମ୍ଭ ହୋଇଛି ଏହି ବୈଠକ। ମୁଖ୍ୟ ଏଜେଣ୍ଡା ଥିଲା ଯେ, ୨୦୨୬ରେ ଜନଗଣନା ପରେ ହେବାକୁ ଥିବା ସୀମାପୁନଃନିର୍ଦ୍ଧାରଣ ବା ଡିଲିମିଟେସନରେ ଏ ସବୁ ରାଜ୍ୟରେ ପ୍ରତିନିଧିତ୍ୱ ଲୋକସଭାରେ କମ୍ ହୋଇଯିବ। ଏଥିରେ ବିଶେଷ କରି ଦକ୍ଷିଣ ଓ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହେବ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଚାଲିନ୍ କହିଛନ୍ତି, ଭାରତୀୟ ସଂଘୀୟ ବ୍ୟବସ୍ଥା ପାଇଁ ଏହି ବୈଠକ ଐତିହାସିକ ଅଟେ। ଯେଉଁ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣରେ ଭଲ କାମ କରି ଦେଶର ବିକାଶରେ ଯୋଗଦାନ ଦେଇଛନ୍ତି, ସୀମା ପୁନଃନିର୍ଦ୍ଧାରଣ ଜରିଆରେ ସେମାନଙ୍କୁ ଦଣ୍ଡିତ କରାଯାଇପାରିବନି। ଜନସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ ଲୋକତନ୍ତ୍ରର ମୂଲ୍ୟବୋଧକୁ ସମାପ୍ତ କରିଦେବ। ସେଥିଲାଗି ଏହାକୁ କୌଣସିମତେ ବରଦାସ୍ତ କରାଯିବନି। ଦକ୍ଷିଣ ରାଜ୍ୟଗୁଡ଼ିକର ଆଶଙ୍କା ଅଛି ଯେ, ଜନସଂଖ୍ୟା ଆଧାରରେ ଡିଲିମିଟେସନ ଦ୍ୱାରା ଲୋକସଭା ଆସନ ସଂଖ୍ୟା ତ କମିବ। ତା ସାଙ୍ଗକୁ ପଲିସି ତିଆରିରୁ ନେଇ ବଜେଟରେ ଅନୁଦାନ ମିଳିବା ଯାଏଁ, ସବୁଠି ଭୂମିକା କମିଯିବ। ଯେଉଁ ରାଜ୍ୟରେ ଅଧିକ ଜନସଂଖ୍ୟା, କେବଳ ସେ ରାଜ୍ୟଗୁଡ଼ିକ ଫାଏଦା ପାଇବେ। ବିଶେଷ କରି ଉତ୍ତର ଭାରତର ଅଧିକ ରାଜ୍ୟ ଯେଉଁଠି ବିଜେପି ଶାସିତ, ସେମାନେ ଫାଏଦା ମାରିନେବେ।ବୈଠକରେ ଚର୍ଚ୍ଚା ହୋଇଥିଲା ଯେ, ୧୯୭୧ ଜନଗଣନା ଉପରେ ଆଧାରିତ ସୀମାପୁନଃନିର୍ଦ୍ଧାରଣ ହୋଇଥିଲା। ୨୦୨୬ରେ ହେବାକୁ ଥିବା ଡିଲିମିଟେସନର ପୁନର୍ବିଚାର ହେଉ। ଏହା ସହ ସଂପୃକ୍ତ ପ୍ରସ୍ତାବ ଉପରେ ଡ୍ରାଫ୍ଟ ତିଆରି, କୌଣସି ପ୍ରକାର ଗଡ଼ବଡ଼ି ଉପରେ ଆଇନଗତ ଚ୍ୟାଲେଞ୍ଜ ହୋଇପାରୁଥିବ ଓ ଏହା ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଜନଜାଗରଣ ଅଭିଯାନ କରିବା ଆଦି ଉପରେ ବିସ୍ତୃତ ଆଲୋଚନା ଜାରି ରହିଛି। ଦକ୍ଷିଣ ରାଜ୍ୟଗୁଡ଼ିକର ବିରୋଧ ଭିତରେ ଗଲା ମାସରେ କୋଏମ୍ୱାଟୋରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ସୀମାପୁନଃନିର୍ଦ୍ଧାରଣରୁ ଦକ୍ଷିଣ ରାଜ୍ୟର ଗୋଟିଏ ବି ଲୋକସଭା ସିଟ୍ କମିବନି। ବୈଠକରେ ଦକ୍ଷିଣର ସମସ୍ତ ରାଜ୍ୟ ସାମିଲ୍ ହୋଇଥିଲେ ସୁଦ୍ଧା ଆନ୍ଧ୍ରର କୌଣସି ଦଳ ଏଥିରେ ଭାଗ ନେଇନାହାନ୍ତି। ଆନ୍ଧ୍ରରେ ନାଇଡୁଙ୍କ ନେତୃତ୍ୱରେ ଏନଡିଏ ସରକାର ଚାଲୁଛି। ପଶ୍ଚିମବଙ୍ଗ ସରକାରର ନେତୃତ୍ୱ ନେଉଥିବା ଟିଏମସି ବି ବୈଠକକୁ ନିଜର କୌଣସି ପ୍ରତିନିଧି ପଠାଇଲାନି। ଓଡ଼ିଶାରୁ ବିଜେଡିର ଦୁଇ ପ୍ରତିନିଧି ସଞ୍ଜୟ ଦାସବର୍ମା, ଅମର ପଟ୍ଟନାୟକ ପ୍ରମୁଖ ସାମିଲ ଥିଲା ବେଳେ ପିସିସି ସଭାପତି ଭକ୍ତ ଦାସ ବି ଏହି ବୈଠକରେ ଯୋଗ ଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now