
ଅନ୍ତଃରାଷ୍ଟ୍ରୀୟ ସୀମା ଓ ଏଲଓସି ପାଖରେ ୪ଟି ରାଜ୍ୟର ୨୬ଟି ସ୍ଥାନକୁ ଟାର୍ଗେଟ କରିଛି ପାକିସ୍ତାନ। ପାକିସ୍ତାନ ଡ୍ରୋନର ଗତିବିଧି ବାରାମୁଳା, ଶ୍ରୀନଗର, ଅଓ୍ୱନ୍ତିପୋରା, ନଗରାଟୋ, ଜମ୍ମୁ, ଫିରୋଜପୁର, ପଠାନକୋଟ, ଜୈସଲମେର, ବାଡ଼ମେର, ଭୁଜ, କଛ ଆଦି ଅଞ୍ଚଳରେ ଦେଖାଦେଇଛି। ଶୁକ୍ରବାର ବିଳମ୍ୱିତ ରାତିରେ ପାକିସ୍ତାନ ସେନା ଜନବହୁଳ ଅଞ୍ଚଳକୁ ଟାର୍ଗେଟ କରି ଡ୍ରୋନ୍ ଆଟାକ୍ କରିଥିଲା। ଅନେକ ଡ୍ରୋନ୍ ଭିତରେ ସନ୍ଦିଗ୍ଧ ରୂପରେ ହତିଆର ଥିଲା। ଯାହା ନାଗରିକ ଓ ସେନା ଠିକଣାକୁ ଗମ୍ଭୀର ବିପଦରେ ପକାଇପାରିଥାଆନ୍ତା। ମିସାଇଲ ଆଟାକର ଭିଡ଼ିଓ ଫୁଟେଜ ବି ପାକିସ୍ତାନ ସେନା ଜାରି କରିଛି। ଏହା ବ୍ୟତୀତ ପାକିସ୍ତାନର ଗୁଳି ମାଡ଼ରେ ରାଜୌରୀର ଅତିରିକ୍ତ ଜିଲ୍ଲା କମିଶନର ରାଜ କୁମାର ଥାପ୍ପା ଓ ଦୁଇ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ରାଜୌରିରେ ରାତି ଯାକ ଗୁଳି ବର୍ଷା ହୋଇଥିଲା। ଏଥିରେ ଡିସି କଲୋନୀସ୍ଥିତ ଥାପାଙ୍କ ଘରେ ବୋମା ମାଡ଼ ହୋଇଥିଲା। ଏଥିରେ ଥାପ୍ପା ଗୁରୁତର ଆହତ ହୋଇଥିଲେ। ଆଉ ଚିକିତ୍ସାଧୀନ ଅବସ୍ଥାରେ କିଛି ସମୟ ପରେ ହିଁ ତାଙ୍କର ବିୟୋଗ ହୋଇଥିଲା। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ଥାପାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି। ଥାପାଙ୍କ ଘରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଅବଦ୍ଦୁଲ୍ଲା ସଡ଼କମାର୍ଗରେ ଶ୍ରୀନଗର ପହଞ୍ଚିଥିଲେ। ପାକିସ୍ତାନ ପଟୁ ଡ୍ରୋନ୍ ଆଟାକ୍ ପରେ ମୁଖ୍ୟମନ୍ତ୍ରୀ ଆହତଙ୍କୁ ଭେଟିବା ସହ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଫିରୋଜପୁର ଡ୍ରୋନ ଆକ୍ରମଣରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜମ୍ମୁ ସେକ୍ଚରର ବିଏସଏଫ ପୋଷ୍ଟକୁ ବି ଆଟାକ୍ କରିଛି ପାକିସ୍ତାନ। ଏହାର ଜବାବରେ ବିଏସଏଫ ପାକିସ୍ତାନ ରେଞ୍ଜର୍ସ ପୋଷ୍ଟ ଉପରେ ଆକ୍ରମଣ କରି ବିପୁଳ କ୍ଷତି ପହଞ୍ଚାଇଛି। ପାକିସ୍ତାନ ସୈନ୍ୟ ଠିକଣାକୁ ଟାର୍ଗେଟ କଲେ ବରଦାସ୍ତ କରାଯିବନି। ସେପଟେ ଶୁକ୍ରବାର ରାତିରେ ପାକିସ୍ତାନର ଡ୍ରୋନ ଓ ମିସାଇଲ ଆଟାକକୁ କେମିତି ଭାରତୀୟ ସେନା ସଫଳତାର ସହ ପ୍ରତିହତ କରିଥିଲା। ବାରାମୁଳାରୁ ଭୁଜ୍ ଯାଏଁ। ଧାର୍ମିକସ୍ଥଳ, ସାଧାରଣ ନାଗରିକ, ସ୍କୁଲକୁ ବି କେିମିତି ଟାର୍ଗେଟ କରିଥିଲା ପାକିସ୍ତାନ। ତାକୁ ନେଇ ସେନା ବିସ୍ତୃତ ତଥ୍ୟ ରଖିଛି। ପାକିସ୍ତାନର ମିଛକୁ ଫଟୋ ଓ ଭିଡିଓରେ କାଉଣ୍ଟର କରିଛି ଭାରତ ସେନା। ଭାରତୀୟ ସେନା ପାକିସ୍ତାନୀ ପୋଷ୍ଟ ଓ ଆତଙ୍କି ଲଞ୍ଚ ପ୍ୟାଡକୁ ଧ୍ୱସ୍ତ କରିଦେଇଛନ୍ତି। ଯେଉଁଠୁ ଡ୍ରୋନ ଆଟାକ୍ ହେଉଥିଲା। ଲାହୋରରେ ଏୟାରଫୋର୍ସ ବେସକୁ ବି ମିସାଇଲ ଆଟାକ୍ କରିଛି ଭାରତୀୟ ସେନା। ପାକିସ୍ତାନ ରାଜଧାନୀ ଇସଲାମାବାଦରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ପାକିସ୍ତାନକୁ ଜବାବୀ ଓ ପ୍ରଭାବୀ ହମଲା କରିଛି ଭାରତ। ଲାହୋରରୁ ଉଡ଼ାଣ ଭରୁଥିବା ଯାତ୍ରିବାହୀ ବିମାନର ଆଳ ନେଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଦୁରୁପୁଯୋଗ କରିଛି ପାକିସ୍ତାନ। ନିଜର ଗତିବିଧିକୁ ଲୁଚାଇବାକୁ କରିଥିଲା ଷଡ଼ଯନ୍ତ୍ର। ମିଛ ସୂଚନାର ଆଳ ନେଇ ପାକିସ୍ତାନ ସେନାଭୀଷଣ ଗୁଳିବାରି କରିଥିଲା ବେଳେ ସେମାଙ୍କର ବିପୁଳ କ୍ଷତି କରିଛି ଭାରତ। ଭାରତ କୌଣସି ଉତ୍ତେଜନା ଚାହୁଁନି। ପାକିସ୍ତାନ ବି ଏଭଳି ବ୍ୟବହାର ନ କରୁ। ଭାରତ-ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ୟୁଏସ ଷ୍ଟେଟ୍ ସେକ୍ରେଟାରୀ ମାର୍କୋ ରୁବିଓ ପାକିସ୍ତାନର ଆର୍ମି ମୁଖ୍ୟ ଅସୀମ ମୁନିରଙ୍କ ସହ କଥା ହୋଇଛନ୍ତି। ଉଭୟ ରାଷ୍ଟ୍ର ଯୁଦ୍ଧରୁ ବିରତ ରହିବାକୁ ଅପିଲ୍ କରିବା ସହ ସକରାତ୍ମକ କଥାବାର୍ତ୍ତା ଜରିଆରେ ଭବିଷ୍ୟତରେ ଏଭଳି ବିବାଦକୁ ଦୂର କରିବାକୁ ପରାମର୍ଶ ଦେଇଛନ୍ତି। ଏଥିଲାଗି ୟୁଏସ ସବୁପ୍ରକାର ସହାୟତା ଓ ସହଯୋଗ କରିବାକୁ କଥା ଦେଇଛନ୍ତି ମାର୍କୋ। ସେପଟେ ଚୀନ ବି ଉତ୍ତେଜନା ଏଡ଼ାଇବାକୁ କରିଛି ଅପିଲ୍। ଉଭୟ ଦେଶ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ଉତ୍ତେଜନା ଏଡାନ୍ତୁ ବୋଲି ଅନୁରୋଧ କରିଛନ୍ତି ଚୀନ୍ ବିଦେଶ ମନ୍ତ୍ରାଳୟର ମୁଖପାତ୍ର। ସେପଟେ ପାକିସ୍ତାନର ଡ୍ରୋନ ହମଲା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀ ସାଉଥବ୍ଲକରେ ସିଡିଏସ ଓ ୩ ସେନା ମୁଖ୍ୟଙ୍କ ସହ ପରବର୍ତ୍ତୀ ରଣନୀତି ନେଇ କରିଛନ୍ତି ଆଲୋଚନା। ଭାରତ- ପାକିସ୍ତାନ ଭିତରେ ଯୁଦ୍ଧ ଉତ୍ତେଜନା ଜାରି ରହିଛି। ଅନେକ ରାଷ୍ଟ୍ର ଶାନ୍ତିବଜାୟ ଲାଗି ଅପିଲ୍ କରିଥିଲେ ସୁଦ୍ଧା ଉଭୟ ରାଷ୍ଟ୍ର ଭିତରେ ଉତ୍ତେଜନା ଚରମସୀମାରେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now