
ବିହାର ଛପ୍ରାରେ ମଦ ମୃତ୍ୟୁ ଘଟଣା। ବିଷାକ୍ତ ମଦ ପିଇ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଗୁରୁତର ଅଛନ୍ତି। ବିହାରର ମାକେର ଥାନା ଅଞ୍ଚଳର ଧନୁକ ଟୋଲି ଗ୍ରାମରେ ଏହି ଘଟଣା ଘଟିଛି। ଗୁରୁତରମାନଙ୍କୁ ଛପ୍ରା ଓ ପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୧୪ ଜଣ ନିଜର ଦୃଷ୍ଟି ଶକ୍ତି ହରାଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏକ ମଦ ମାଫିଆକୁ ଗିରଫ କରିଛି।
ଦେଶରେ ମଦ ମୃତ୍ୟୁ ମାମଲା ବଢିବାରେ ଲାଗିଛି। ବିଷକ୍ତ ମଦ ପିଇ ପୁଣି ଲୋକଙ୍କ ମୃତ୍ୟୁ ଘଟିଛି। ବିଷାକ୍ତ ମତ ଜନିତ ମୃତ୍ୟୁ ଉପରେ ଲାଗିପାରୁ ନାହିଁ ରୋକ । ରାଜ୍ୟ ପରେ ରାଜ୍ୟରେ ଦେଖାଦେଇଛି ଏହି ଦୁଃଖଦ ଘଟଣା। ଗୁଜୁରାଟ ପରେ ଏବେ ପୁଣିଥରେ ବିହାରରେ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ୨୪ ଘଣ୍ଟା ମଧ୍ୟରେ ବିଷାକ୍ତ ମଦ ପିଇ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଗୁରୁତର ଅଛିନ୍ତି। ୧୪ଜଣ ଦୃଷ୍ଟି ଶକ୍ତି ମଧ୍ୟ ହରାଇ ସାରିଲେଣି। ବୁଧବାର ରାତିରେ ମାକେର ଥାନା ଅଞ୍ଚଳର ଧନୁକ ଟୋଲି ଗ୍ରାମରେ ଏହି ଅଘଟଣ ଘଟିଛି। ଗାଁରେ କୌଣସି ଏକ ପୂଜା ସାରି ଲୋକମାନେ ଫେରୁଥିବା ବେଳେ ମଦ୍ୟପାନ କରିଥିଲେ। ବିଳମ୍ୱିତ ରାତିରେ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସ୍ୱାସ୍ଥ୍ୟ ବିଭାଗ ଟିମ ଗାଁରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସେଠାରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଜାଣିପାରିଥିଲେ ଯେ, ବିଷାକ୍ତ ମଦ ଦ୍ୱାରା ଏହି ପରିସ୍ଥିତି ଉପୁଜିଛି। ଏଥିରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଛାପ୍ରାର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା ବେଳେ ସେଠାରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ସେମାନଙ୍କୁ ପାଟଣାର ପିଏମସି ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି। ସେମାନଙ୍କର ଚିକିତ୍ସା ଜାରି ରହିଛି। ତେବେ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ବେଆଇନ ମଦ କାରବାର ସମ୍ପର୍କରେ ଅଧିକ ଖୋଳତାଡ କରୁଛି ପୋଲିସ। ସେପଟେ ନିକଟରେ ଗୁଜୁରାଟ, ମଧ୍ୟପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ ।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ