ଚାଇନା ରୋବୋଟକୁ ନିଜର କହି ଫସିଗଲା ଏଆଇ ସମ୍ମିଟରେ ଗଲଗୋଟିଆ ୟୁନିଭରସିଟି

ଦିଲ୍ଲୀରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଟରେ ଏକ ରୋବୋଟିକ୍ ଡଗକୁ ନେଇ ବଡ଼ ବିବାଦ ଛିଡ଼ା ହୋଇଛି। ଅଭିଯୋଗ ହୋଇଛି ଯେ, ଗ୍ରେଟର ନୋଏଡାର ଗଲଗୋଟିଆ ୟୁନିଭରସିଟି ଏହି ରୋବୋଟକୁ ନିଜ ଦ୍ୱାରା ତିଆରି କରି ସମ୍ମିଟରେ ପ୍ରଦର୍ଶନ କରିଥିଲା। କିନ୍ତୁ ଅସଲରେ ଏହା ଏକ ଚାଇନିଜ୍ ରୋବୋଟ ଥିଲା। ଏଆଇ ସମ୍ମିଟରେ ଏଭଳି କାଣ୍ଡ କରିଥିବା ଗଲଗୋଟିଆ ୟୁନିଭରସିଟି ଫସିଯାଇଛି। ଏହି ରୋବଟକୁ ନୂଆ ନାଁ ଓରିକନ୍ ଦେଇ ସମ୍ମିଟରେ ପ୍ରଦର୍ଶିତ କରିଥିଲା ୟୁନିଭରସିଟି। ୟୁନିଭରସିଟିର ଏଭଳି କାରନାମା ବିରୁଦ୍ଧରେ ଆକ୍ସନ ନେଇଛନ୍ତି ସରକାର। ତୁରନ୍ତ ପ୍ରଦର୍ଶନସ୍ଥଳରୁ ଏହାର ଷ୍ଟଲକୁ ହଟାଇଦିଆଯାଇଛି। ଏହା ସହ ବିଦ୍ୟୁତ୍ ବିଛିନ୍ନ କରିଦିଆଯାଇଥିଲା। ଏହି ରୋବୋଟ୍ ଆତ୍ମନିର୍ଭର ଭାରତର ପ୍ରତିଫଳନ ବୋଲି ଦର୍ଶାଇଥିଲା ୟୁନିଭରସିଟି। ସେମାନଙ୍କ କ୍ୟାମ୍ପସରେ ଏହା ତିଆରି ହୋଇଛି ବୋଲି ଦାବି କରିଥିଲା। ହେଲେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ୟୁନିଟ୍ରି ଗୋ-୨ ଡିଭାଇସ ବୋଲି ଚିହ୍ନଟ କରିଥିଲେ। ଯାହା ଚାଇନିଜ୍ କମ୍ପାନୀ ୟୁନିଟ୍ରି ନିର୍ମାଣ କରିଥିଲା। ୨ରୁ ୩ ଲକ୍ଷ ଟଙ୍କାରେ ଏହା ଭାରତରେ ଅନଲାଇନରେ ଉପଲବ୍ଧ ବୋଲି କୁହାଯାଉଛି। ଏଭଳି ଆରୋପକୁ ଖଣ୍ଡନ କରି ୟୁନିଭରସିଟି କହିଛି, ଏହା ସେମାନଙ୍କ ବିରୁଦ୍ଧରେ ଏକ ପ୍ରୋପାଗାଣ୍ଡା କ୍ୟାମ୍ପେନ୍। ରୋବୋଟ ରିସର୍ଚ୍ଚ ଲାଗି ଗ୍ରହଣ କରାଯାଇଥିଲା। ଏହାକୁ ଅବିକଳ ସମ୍ମିଟରେ ପ୍ରଦର୍ଶନ ହୋଇନି। କେବଳ ଏତିକି ନୁହେଁ। ସଂପୃକ୍ତ ୟୁନିଭରସିଟି ଆଉ ଏକ ବିବାଦରେ ବି ଫସିଛି। ଏକ ସାଉଥ୍ କୋରିଆନ୍ ନିର୍ମିତ ଷ୍ଟ୍ରାଇକର ଭି୩ ଡ୍ରୋନ୍ ବି ନିଜସ୍ୱ କ୍ୟାମ୍ପସରେ ତିଆରି ହୋଇଥିବାର ଦାବି କରିଛି। ଭାରତର ଏଆଇ ଦକ୍ଷତାକୁ ଦର୍ଶାଇବାକୁ ଏଭଳି ହାଇପ୍ରୋଫାଇଲ ସମ୍ମିଟରେ ଏମିତି ବିଭ୍ରାନ୍ତିକର ରୋବୋଟ ପ୍ରଦର୍ଶନକୁ ନେଇ ଅଧିକାରୀସ୍ତରରେ ଚେତାବନୀ ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *